1 ଏଥି ମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ସମସ୍ତ ରାଜବଂଶ ବିନାଶ କଲା।

2 ମାତ୍ର ଯୋରାମ୍‍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶେବା ଅହସୀୟଙ୍କର ପୁତ୍ର ଯୋୟାଶକୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାହାକୁ ଚୋରାଇ ନେଇ ତାହାକୁ ଓ ତାହାର ଧାତ୍ରୀକି ଶୟନାଗାରରେ ରଖିଲା; ଆଉ ସେମାନେ ତାହାକୁ ଅଥଲୀୟାଠାରୁ ଲୁଚାଇ ରଖିବାରୁ ସେ ହତ ହେଲା ନାହିଁ।

3 ଆଉ ସେ ତାହା ସହିତ ସଦାପ୍ରଭୁଙ୍କ ଗୃହରେ ଛଅ ବର୍ଷ ଗୋପନରେ ରହିଲା; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲା।

4 ଅନନ୍ତର ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀବର୍ଗର ଶତପତିମାନଙ୍କୁ ଅଣାଇ ସଦାପ୍ରଭୁଙ୍କ ଗୃହକୁ ଆପଣା କତିକି ନେଲା; ଆଉ ସେ ସେମାନଙ୍କ ସହିତ ନିୟମ କରି ସଦାପ୍ରଭୁଙ୍କ ଗୃହରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ରଙ୍କୁ ଦେଖାଇଲା।

5 ଆଉ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲା, ତୁମ୍ଭେମାନେ ଏହି କର୍ମ କରିବ; ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ରାମଦିନରେ ଆସନ୍ତି, ସେମାନଙ୍କ ତୃତୀୟାଂଶ ରାଜଗୃହର ରକ୍ଷଣୀୟ ରକ୍ଷା କରିବେ।

6 ଓ ତୃତୀୟାଂଶ ସୂର-ଦ୍ୱାରରେ ରହିବେ ଓ ତୃତୀୟାଂଶ ପ୍ରହରୀବର୍ଗର ପଶ୍ଚାତ୍‍ ଦ୍ୱାରରେ ରହିବେନ୍ତ ଏହିରୂପେ ତୁମ୍ଭେମାନେ ଗୃହର ରକ୍ଷଣୀୟ ରକ୍ଷା କରି ପ୍ରତିରୋଧକ ହେବ।

7 ଆଉ ତୁମ୍ଭମାନଙ୍କର ଦୁଇ ଦଳ, ଅର୍ଥାତ୍‍, ବିଶ୍ରାମବାରରେ ବାହାରକୁ ଯିବା ଲୋକ ସମସ୍ତେ ରାଜାଙ୍କ ସମୀପରେ ସଦାପ୍ରଭୁଙ୍କ ଗୃହର ରକ୍ଷଣୀୟ ରକ୍ଷା କରିବେ।

8 ପୁଣି ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ହସ୍ତରେ ଅସ୍ତ୍ର ନେଇ ରାଜାଙ୍କୁ ଚତୁର୍ଦ୍ଦିଗରେ ବେଷ୍ଟନ କରିବ; ଆଉ ଯେ କେହି ଶ୍ରେଣୀ ଭିତରକୁ ଆସେ, ସେ ହତ ହେଉ ଓ ରାଜା ବାହାରକୁ ଯିବା ବେଳେ ଓ ଭିତରକୁ ଆସିବା ବେଳେ ତୁମ୍ଭେମାନେ ତାଙ୍କ ସଙ୍ଗେ ଥାଅ।

9 ତହିଁରେ ଯିହୋୟାଦା ଯାଜକ ଯାହାସବୁ ଆଜ୍ଞା କଲା, ତଦନୁସାରେ ଶତପତିମାନେ କଲେ; ପୁଣି ସେମାନେ ପ୍ରତ୍ୟେକେ ବିଶ୍ରାମବାରରେ ଅନ୍ତର୍ଗାମୀ ଓ ବିଶ୍ରାମବାରରେ ବହିର୍ଗାମୀ ଆପଣା ଆପଣା ଲୋକମାନଙ୍କୁ ନେଇ ଯିହୋୟାଦା ଯାଜକ ନିକଟକୁ ଆସିଲେ।

10 ତହିଁରେ ଦାଉଦ-ରାଜାଙ୍କର ଯେ ଯେ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ଗୃହରେ ଥିଲା, ତାହାସବୁ ଯାଜକ ସେହି ଶତପତିମାନଙ୍କୁ ଦେଲା।

11 ତହୁଁ ଗୃହର ଦକ୍ଷିଣ ପାଶ୍ୱର୍ରୁ ବାମ ପାଶ୍ୱର୍ ପର୍ଯ୍ୟନ୍ତ ଯଜ୍ଞବେଦି ଓ ଗୃହ ନିକଟରେ ପ୍ରହରୀବର୍ଗର ପ୍ରତ୍ୟେକ ଲୋକ ହସ୍ତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କର ଚତୁର୍ଦ୍ଦିଗରେ ଠିଆ ହେଲେ।

12 ସେତେବେଳେ ସେ ରାଜପୁତ୍ରଙ୍କୁ ବାହାରକୁ ଆଣି ତାଙ୍କର ମସ୍ତକରେ ମୁକୁଟ ପିନ୍ଧାଇ ତାଙ୍କୁ ସାକ୍ଷ୍ୟ-ପୁସ୍ତକ ଦେଲା; ତହିଁରେ ସେମାନେ ତାଙ୍କୁ ରାଜା କରି ଅଭିଷେକ କଲେ; ଆଉ ସେମାନେ କରତାଳି ଦେଇ କହିଲେ, ରାଜା ଚିରଜୀବୀ ହେଉନ୍ତୁ।

13 ଏଥିରେ ଅଥଲୀୟା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ କତିକି ଆସିଲା।

14 ପୁଣି ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ବିଧି ଅନୁସାରେ ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଓ ତୂରୀବାଦକମାନେ ଅଛନ୍ତି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି ରାଜଦ୍ରୋହ ରାଜଦ୍ରୋହ ବୋଲି ଡାକ ପକାଇଲା।

15 ଏଥିରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ଆଜ୍ଞା ଦେଇ କହିଲା, ସୈନ୍ୟଶ୍ରେଣୀର ମଧ୍ୟଦେଇ ଏହାକୁ ବାହାରକୁ ନେଇ ଯାଅ ଓ ଯେ ତାହାର ପଶ୍ଚାତ୍‍ଗାମୀ ହୁଏ, ତାହାକୁ ଖଡ଼୍‍ଗରେ ବଧ କରନ୍ତ କାରଣ ଯାଜକ କହିଲା, ସେ ସଦାପ୍ରଭୁଙ୍କ ଗୃହ ଭିତରେ ହତ ନ ହେଉ।

16 ତହୁଁ ସେମାନେ ତାହା ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହକୁ ଯିବା ଅଶ୍ୱଦ୍ୱାରର ପଥ ଦେଇ ଗଲା ଓ ସେଠାରେ ହତ ହେଲା।

17 ଅନନ୍ତର ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ସଦାପ୍ରଭୁଙ୍କର ଏବଂ ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ନିୟମ କଲା; ରାଜା ଓ ଲୋକମାନଙ୍କ ମଧ୍ୟରେ ହିଁ ନିୟମ କଲା।

18 ଏଉତ୍ତାରେ ଦେଶର ସମଗ୍ର ଲୋକ ବାଲ୍‍-ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ; ସେମାନେ ତାହାର ଯଜ୍ଞବେଦି ଓ ତାହାର ପ୍ରତିମାସବୁ ସମ୍ପୂର୍ଣ୍ଣ ରୂପେ ଚୂର୍ଣ୍ଣ କଲେ ଓ ଯଜ୍ଞବେଦିମାନର ସମ୍ମୁଖରେ ବାଲ୍‍ର ଯାଜକ ମତ୍ତନକୁ ବଧ କଲେ ପୁଣି ଯାଜକ ସଦାପ୍ରଭୁଙ୍କ ଗୃହରେ କର୍ମଚାରୀମାନଙ୍କୁ ନିଯୁକ୍ତ କଲା।

19 ପୁଣି ସେ ଶତପତିମାନଙ୍କୁ ଓ କରୀୟମାନଙ୍କୁ ଓ ପ୍ରହରୀବର୍ଗକୁ ଓ ଦେଶର ସମଗ୍ର ଲୋକଙ୍କୁ ନେଲା; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହରୁ ରାଜାଙ୍କୁ ଆଣି ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ ଏଥିରେ ସେ ରାଜସିଂହାସନରେ ଉପବିଷ୍ଟ ହେଲେ।

20 ଏହିରୂପେ ଦେଶର ସମୁଦାୟ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା; ଆଉ ସେମାନେ ରାଜଗୃହ ନିକଟରେ ଅଥଲୀୟାକୁ ଖଡ଼୍‍ଗରେ ବଧ କଲେ।

21 ଯୋୟାଶ୍‍ ସାତ ବର୍ଷ ବୟସରେ ରାଜ୍ୟ କରିବାକୁ ଆରମ୍ଭ କଲେ।