1 ଯେଉଁ ସମୟରେ ସଦାପ୍ରଭୁ ସମସ୍ତ ଶତ୍ରୁ ହସ୍ତରୁ ଓ ଶାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ, ସେସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କଲେ;

2 ସେ କହିଲେ, ସଦାପ୍ରଭୁ ମୋହର ଶୈଳ ଓ ମୋହର ଗଡ଼ ଓ ମୋହର ରକ୍ଷାକର୍ତ୍ତା,

3 ମୋହର ଶୈଳ ସ୍ୱରୂପ ପରମେଶ୍ୱର, ମୁଁ ତାହାଙ୍କଠାରେ ଆଶ୍ରୟ ନେବି। ମୋହର ଢାଲ ଓ ମୋହର ପରିତ୍ରାଣ ସ୍ୱରୂପ ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ ଓ ମୋହର ଆଶ୍ରୟ; ମୋହର ତ୍ରାଣକର୍ତ୍ତା, ତୁମ୍ଭେ ମୋତେ ଦୌରାତ୍ମ୍ୟରୁ ଉଦ୍ଧାର କରୁଅଛ।

4 ମୁଁ ସଦାପ୍ରଭୁଙ୍କୁ ଆହ୍ୱାନ କରିବି, ସେ ପ୍ରଶଂସିତ ହେବା ଯୋଗ୍ୟ; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ଉଦ୍ଧାର ପାଇବି।

5 କାରଣ ମୃତ୍ୟୁରୂପ ଲହରୀ ମୋତେ ବେଷ୍ଟନ କଲା, ପାପାଧମତାର ପ୍ଳାବନ ମୋତେ ଭୀତ କଲା।

6 ପାତାଳର ବନ୍ଧନ ମୋତେ ବେଷ୍ଟନ କଲା, ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖବର୍ତ୍ତୀ ହେଲା।

7 ମୋହର ସଙ୍କଟ ବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ହଁ, ମୁଁ ଆପଣା ପରମେଶ୍ୱରଙ୍କୁ ଡାକିଲି; ତହୁଁ ସେ ଆପଣା ମନ୍ଦିରରେ ଥାଇ ମୋହର ରବ ଶୁଣିଲେ ଓ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ଉପସ୍ଥିତ ହେଲା।

8 ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା, ଗଗନମଣ୍ଡଳର ମୂଳସକଳ ଉଦ୍‍ବିଗ୍ନ ଓ ଟଳମଳ ହେଲା, କାରଣ ସେ ପ୍ରଜ୍ୱଳିତ ହୋଇ ଉଠିଲେ।

9 ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖରୁ ନିର୍ଗତ ଅଗ୍ନି ଗ୍ରାସ କଲା; ତଦ୍ଦ୍ୱାରା ଅଙ୍ଗାର ପ୍ରଜ୍ୱଳିତ ହେଲା।

10 ମଧ୍ୟ ସେ ଆକାଶମଣ୍ଡଳକୁ ନତ କରି ଓହ୍ଲାଇ ଆସିଲେ ଓ ନିବିଡ଼ ଅନ୍ଧକାର ତାହାଙ୍କ ପାଦ ତଳେ ଥିଲା।

11 ପୁଣି ସେ କିରୂବ ଉପରେ ଆରୋହଣ କରି ଉଡ୍‍ଡୀୟମାନ ହେଲେ; ହଁ, ସେ ବାୟୁର ପକ୍ଷ ଉପରେ ଦେଖାଗଲେ।

12 ସେ ଅନ୍ଧକାରକୁ, ଅର୍ଥାତ୍‍, ଜଳରାଶି ଓ ଆକାଶର ନିବିଡ଼ ମେଘକୁ ଆପଣା ଚତୁର୍ଦ୍ଦିଗସ୍ଥ କୁଟୀର ସ୍ୱରୂପ କଲେ।

13 ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ଆଗ୍ନେୟ-ଅଙ୍ଗାର ପ୍ରଜ୍ୱଳିତ ହେଲା।

14 ସଦାପ୍ରଭୁ ଆକାଶରୁ ଗର୍ଜନ କଲେ ଓ ସର୍ବୋପରିସ୍ଥ ଯେ, ସେ ଆପଣା ରବ ଉଚ୍ଚାରଣ କଲେ।

15 ପୁଣି ସେ ବାଣ ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କଲେ; ବିଜୁଳି ଦ୍ୱାରା ସେମାନଙ୍କୁ ଉଦ୍‍ବିଗ୍ନ କଲେ।

16 ସେତେବେଳେ ସଦାପ୍ରଭୁଙ୍କ ତର୍ଜ୍ଜନରେ ଓ ତାହାଙ୍କ ନାସିକାର ପ୍ରଶ୍ୱାସ ବାୟୁରେ ସମୁଦ୍ରର ଗର୍ଭ ପ୍ରକାଶ ପାଇଲା ଓ ଭୂମଣ୍ଡଳର ମୂଳସକଳ ଅନାବୃତ ହେଲା।

17 ସେ ଉର୍ଦ୍ଧରୁ (ହାତ) ବଢ଼ାଇଲେ, ସେ ମୋତେ ଧରିଲେ; ସେ ଅପାର ଜଳ ମଧ୍ୟରୁ ମୋତେ ଟାଣି ନେଲେ।

18 ସେ ମୋହର ବଳବାନ ଶତ୍ରୁଠାରୁ ଓ ମୋହର ଘୃଣାକାରୀମାନଙ୍କଠାରୁ ମୋତେ ରକ୍ଷା କଲେ; କାରଣ ସେମାନେ ମୋର ପ୍ରତି ଅତି ବଳବାନ ଥିଲେ।

19 ସେମାନେ ମୋହର ବିପଦ ଦିନରେ ମୋର ସମ୍ମୁଖବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ମୋର ଅବଲମ୍ବନ ହେଲେ।

20 ସେ ମଧ୍ୟ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ଆଣିଲେ; ସେ ମୋତେ ରକ୍ଷା କଲେ, କାରଣ ସେ ମୋ'ଠାରେ ସନ୍ତୁଷ୍ଟ ହେଲେ।

21 ସଦାପ୍ରଭୁ ମୋର ଧାର୍ମିକତାନୁସାରେ ମୋତେ ପୁରସ୍କାର ଦେଲେ; ମୋର ହସ୍ତର ଶୌଚାନୁସାରେ ମୋତେ ଫଳ ଦେଲେ।

22 କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଲି ଓ ଦୁଷ୍ଟତାପୂର୍ବକ ମୁଁ ଆପଣା ପରମେଶ୍ୱରଙ୍କୁ ତ୍ୟାଗ କଲି ନାହିଁ।

23 ଯେହେତୁ ତାହାଙ୍କର ସମସ୍ତ ଶାସନ ମୋହର ସମ୍ମୁଖରେ ଥିଲା ଓ ତାହାଙ୍କର ବିଧିସକଳ ମୁଁ ପରିତ୍ୟାଗ କଲି ନାହିଁ।

24 ମୁଁ ମଧ୍ୟ ତାହାଙ୍କ ପ୍ରତି ସିଦ୍ଧ ଥିଲି ଓ ମୁଁ ଆପଣା ଅଧର୍ମରୁ ଆପଣାକୁ ରକ୍ଷା କଲି।

25 ଏହେତୁ ସଦାପ୍ରଭୁ ମୋର ଧାର୍ମିକତାନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋହର ଶୌଚାନୁସାରେ ମୋତେ ଫଳ ଦେଲେ।

26 ତୁମ୍ଭେ ଦୟାଳୁ ପ୍ରତି ଆପଣାକୁ ଦୟାଳୁ ଓ ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ।

27 ଶୁଚି ଲୋକ ପ୍ରତି ତୁମ୍ଭେ ଆପଣାକୁ ଶୁଚି ଦେଖାଇବ ଓ କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ।

28 ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ଉଦ୍ଧାର କରିବ; ମାତ୍ର ଉଦ୍ଧତ ଲୋକମାନଙ୍କୁ ନତ କରିବାକୁ ସେମାନଙ୍କ ଉପରେ ତୁମ୍ଭର ଦୃଷ୍ଟି ଥାଏ।

29 ହେ ସଦାପ୍ରଭୋ, ତୁମ୍ଭେ ମୋହର ପ୍ରଦୀପ; ପୁଣି ସଦାପ୍ରଭୁ ମୋହର ଅନ୍ଧକାର ଆଲୋକମୟ କରିବେ।

30 କାରଣ ମୁଁ ତୁମ୍ଭ ଦ୍ୱାରା ସୈନ୍ୟ ଉପରେ ଦୌଡ଼େ; ମୁଁ ଆପଣା ପରମେଶ୍ୱରଙ୍କ ଦ୍ୱାରା ପାଚେରୀ ଡିଏଁ।

31 ସେ ପରମେଶ୍ୱର, ତାହାଙ୍କ ପଥ ଯଥାର୍ଥ; ସଦାପ୍ରଭୁଙ୍କ ବାକ୍ୟ ପରୀକ୍ଷାସିଦ୍ଧ; ସେ ଆପଣା ଆଶ୍ରିତ ସମସ୍ତଙ୍କର ଢାଲ।

32 ସଦାପ୍ରଭୁଙ୍କ ବିନା ଆଉ କିଏ ପରମେଶ୍ୱର ? ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛଡ଼ା ଆଉ କିଏ ଶୈଳ ?

33 ପରମେଶ୍ୱର ମୋହର ଦୃଢ଼ ଆଶ୍ରୟ; ସେ ସିଦ୍ଧ ଲୋକକୁ ଆପଣା ପଥରେ କଢ଼ାଇ ନିଅନ୍ତି।

34 ସେ ତାହାର ପାଦକୁ ହରିଣୀର ପାଦ ତୁଲ୍ୟ କରନ୍ତି ଓ ସେ ମୋତେ ମୋର ଉଚ୍ଚସ୍ଥଳୀରେ ବସାନ୍ତି।

35 ସେ ମୋ' ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି; ତହିଁରେ ମୋହର ବାହୁ ପିତ୍ତଳ ଧନୁ ବଙ୍କା କରେ।

36 ତୁମ୍ଭେ ମଧ୍ୟ ମୋତେ ନିଜ ପରିତ୍ରାଣରୂପ ଢାଲ ଦେଇଅଛ; ତୁମ୍ଭର ନମ୍ରତା ମୋତେ ବୃଦ୍ଧିପ୍ରାପ୍ତ କରିଅଛି।

37 ତୁମ୍ଭେ ମୋ' ତଳେ ମୋର ପାଦ-ବିକ୍ଷେପର ସ୍ଥାନ ପ୍ରଶସ୍ତ କରିଅଛ ଓ ମୋହର ଗୋଇଠି ଖସି ଯାଇ ନାହିଁ।

38 ମୁଁ ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଇ ସେମାନଙ୍କୁ ବିନାଶ କରିଅଛି ଓ ସେମାନେ ସଂହାରିତ ହେବା ପର୍ଯ୍ୟନ୍ତ ମୁଁ ଫେରିଲି ନାହିଁ।

39 ମୁଁ ସେମାନଙ୍କୁ ଏପରି ସଂହାର ଓ ଚୂର୍ଣ୍ଣ କରିଅଛି ଯେ, ସେମାନେ ଆଉ ଉଠି ନ ପାରନ୍ତି; ହଁ, ସେମାନେ ମୋର ପାଦ ତଳେ ପତିତ ହୋଇଅଛନ୍ତି।

40 ତୁମ୍ଭେ ଯୁଦ୍ଧ ନିମନ୍ତେ ବଳରୂପ ବନ୍ଧନୀରେ ମୋହର କଟି ବାନ୍ଧିଅଛ; ମୋ' ବିରୁଦ୍ଧରେ ଉତ୍‍ଥିତ ଲୋକମାନଙ୍କୁ ମୋହର ବଶୀଭୂତ କରିଅଛ।

41 ତୁମ୍ଭେ ମଧ୍ୟ ମୋହର ଶତ୍ରୁମାନଙ୍କ ପିଠି ମୋ' ଆଡ଼େ ଫେରାଇଲ, ତହିଁରେ ମୁଁ ଆପଣା ଘୃଣାକାରୀମାନଙ୍କୁ ଉଚ୍ଛିନ୍ନ କଲି।

42 ସେମାନେ ଅନାଇଲେ, ମାତ୍ର ଉଦ୍ଧାରକର୍ତ୍ତା କେହି ନ ଥିଲା; ସଦାପ୍ରଭୁଙ୍କ ପ୍ରତି ମଧ୍ୟ (ଅନାଇଲେ), ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।

43 ତହୁଁ ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି, ମୁଁ ସଡ଼କର କାଦୁଅ ପରି ସେମାନଙ୍କୁ ଦଳିଲି ଓ ସେମାନଙ୍କୁ ଛିନ୍ନଭିନ୍ନ କଲି।

44 ତୁମ୍ଭେ ମଧ୍ୟ ମୋ' ଲୋକମାନଙ୍କ ବିବାଦରୁ ମୋତେ ରକ୍ଷା କରିଅଛ; ତୁମ୍ଭେ ମୋତେ ଅନ୍ୟ ଦେଶୀୟମାନଙ୍କ ମସ୍ତକ ହେବା ପାଇଁ ରଖିଅଛ; ମୋହର ଅପରିଚିତ ଲୋକମାନେ ମୋହର ସେବା କରିବେ।

45 ବିଦେଶୀୟମାନେ ଆପଣାମାନଙ୍କୁ ମୋହର ବଶୀଭୂତ କରିବେ; ସେମାନେ ମୋ' ବିଷୟ ଶୁଣିବା ମାତ୍ରେ ମୋହର ଆଜ୍ଞାବହ ହେବେ।

46 ବିଦେଶୀୟମାନେ ମ୍ଳାନ ହୋଇଯିବେ ଓ ଆପଣାମାନଙ୍କ ଗୁପ୍ତ ସ୍ଥାନରୁ ଥରହର ହୋଇ ବାହାରି ଆସିବେ।

47 ସଦାପ୍ରଭୁ ନିତ୍ୟଜୀବୀ; ମୋହର ଶୈଳ ଧନ୍ୟ ହେଉନ୍ତୁ ଓ ମୋ' ପରିତ୍ରାଣର ଶୈଳ ସ୍ୱରୂପ ପରମେଶ୍ୱର ଉନ୍ନତ ହେଉନ୍ତୁ।

48 ସେହି ପରମେଶ୍ୱର ମୋ' ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋ' ତଳେ ନତ କରନ୍ତି।

49 ପୁଣି ସେ ମୋ' ଶତ୍ରୁଗଣଠାରୁ ମୋତେ ବାହାର କରି ଆଣନ୍ତି; ହଁ, ତୁମ୍ଭେ ମୋ' ବିରୁଦ୍ଧରେ ଉତ୍‍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ; ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ରକ୍ଷା କରୁଅଛ।

50 ଏହେତୁ ହେ ସଦାପ୍ରଭୋ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସାଗାନ କରିବି।

51 ସେ ଆପଣା ରାଜାକୁ ମହାପରିତ୍ରାଣ ପ୍ରଦାନ କରନ୍ତି; ସେ ଆପଣା ଅଭିଷିକ୍ତ ପ୍ରତି, ଦାଉଦ ଓ ତାହାର ବଂଶ ପ୍ରତି ଅନନ୍ତ କାଳ ଦୟା ବ୍ୟବହାର କରନ୍ତି।