1 ଇକନିୟରେ ମଧ୍ୟ ସେହି ପ୍ରକାର ଘଟିଲା; ସେମାନେ ଯିହୂଦୀମାନଙ୍କ ସମାଜଗୃହରେ ପ୍ରବେଶ କରି ଏପରି କଥା କହିଲେ ଯେ, ଯିହୂଦୀ ଓ ଗ୍ରୀକ୍ ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ୱାସ କଲେ |।

2 କିନ୍ତୁ ଯେଉଁ ଯିହୂଦୀମାନେ ବିଶ୍ୱାସ କଲେ ନାହିଁ, ସେମାନେ ବିଜାତିମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ |।

3 ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ; ଆଉ ସେ ସେମାନଙ୍କ ହସ୍ତ ଦ୍ୱାର ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ଆପଣା ଅନୁଗ୍ରହବାକ୍ୟ ସପକ୍ଷରେ ସାକ୍ଷ ଦେଲେ |।

4 କିନ୍ତୁ ନଗରର ଲୋକ ସମୂହ ଦୁଇ ଦଳ ହେଲେ, ଦଳେ ଯିହୂଦୀମାନଙ୍କ ପକ୍ଷରେ ଆଉ ଦଳେ ପ୍ରେରିତମାନଙ୍କ ପକ୍ଷରେ |।

5 ଯେତେବେଳେ ବିଜାତି ଓ ଯିହୂଦୀମାନେ ସେମାନଙ୍କର ଅଧ୍ୟକ୍ଷମାନଙ୍କ ସହିତ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋପାଡ଼ିବାକୁ ଉଠିଲେ,

6 ସେତେବେଳେ ସେମାନେ ତାହା ଜାଣି ପାରି ଲୁକାଅନିଆର ଲୁସ୍ତ୍ରା ଓ ଦର୍ବୀ ନଗର ପୁଣି ଚାରିଆଡ଼ର ଅଞ୍ଚଳକୁ ପଳାଇଗଲେ,

7 ଆଉ ସେମାନେ ସେଠାରୁ ସୁସମାଚାର ପ୍ରଚାର କରିବାକୁ ଲାଗିଲେ |।

8 ଲୁସ୍ତ୍ରାରେ ଜଣେ ଲୋକ ରହୁଥିଲା, ତାହାର ପାଦ ଦୁର୍ବଳ, ସେ ମାତୃଗର୍ଭରୁ ଖଞ୍ଜ, ଆଉ ସେ କେବେ ଚାଲି ନ ଥିଲା |।

9 ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା | ପାଉଲ ତାହାକୁ ଏକ ଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଥିବାର ଦେଖି ଉଚ୍ଛ ସ୍ୱରରେ କହିଲେ,

10 ତୁମ୍ଭର ପାଦର ଭାର ଦେଇ ସିଧା ଠିଆ ହୁଅ | ସେଥିରେ ସେ କୁଦା ମାରୀ ଚାଲିବାକୁ ଲାଗିଲା |।

11 ପାଉଲ ଯାହା କରିଅଛନ୍ତି, ଲୋକସମୂହ ତାହା ଦେଖି ଲୁକାଅନିଆ ଭାଷାରେ ଉଚ୍ଛ ସ୍ୱରରେ କହିବାକୁ ଲାଗିଲେ, ଦେବତାମାନେ ମନୁଷ୍ୟରୂପରେ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇଆସିଅଛନ୍ତି |।

12 ସେମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ବୋଲି କହିଲେ, ପୁଣି ପାଉଲ ପ୍ରଧାନ ବକ୍ତା ଥିବାରୁ ତାହାଙ୍କୁ ବୁଧ ବୋଲି କହିଲେ |।

13 ନଗର ସମ୍ମୁଖରେ ଥିବା ବୃହସ୍ପତିଙ୍କ ମନ୍ଦିରର ଯାଜକକେତେକ ବୃଷ ଓ ପୁଷ୍ପହାର ଦ୍ୱାରା ନିକଟକୁ ଆଣି ଲୋକସମୂହ ସହିତ ବଳି ଦେବାକୁ ଇଚ୍ଛା କରିଥିଲେ |।

14 କିନ୍ତୁ ପ୍ରେରିତମାନେ, ଅର୍ଥାତ୍ ବର୍ଣ୍ଣବ୍ବା ଓ ପାଉଲ, ଏହା ଶୁଣି ଆପଣା ଆପଣାର ବସ୍ତ୍ର ଚିରି ଲୋକସମୂହ ମଧ୍ୟକୁ ବେଗେ ଦୌଡ଼ିଯାଇ ଉଚ୍ଛ ସ୍ୱରରେ କହିବାକୁ ଲାଗିଲେ,

15 ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁଁ, ଯେପରି ଆପଣମାନେ ଏହି ସବୁ ଅସର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଇଶ୍ୱରଙ୍କ ପ୍ରତି ଫେରନ୍ତି | ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି;

16 ସେ ଅତୀତ ପୁରୁଷପରମ୍ପରାରେ ସମସ୍ତ ଜାତିତ ଲୋକଙ୍କୁ ଆପଣା ଆପଣା ପଥରେ ଚାଲିବାକୁ ଛାଡ଼ିଦେଇଥିଲେ |।

17 ତଥାପି ସେ ଆପଣାକୁ ସାକ୍ଷ ବିହୀନ କରି ରଖି ନାହାନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁଗୁଡ଼ିକ ଦେଇ ଭକ୍ଷ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି |।

18 ଏହି ସବୁ କଥା କହି ସେମାନେ ଅତି କଷ୍ଟରେ ସେମାନଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାରୁ ଲୋକସମୂହଙ୍କୁ ନିବୃତ୍ତ କଲେ |।

19 କିନ୍ତୁ ଆନ୍ତିୟଖିଆ ଓ ଇକନିୟରୁ ସେଠାକୁ ଯିହୂଦୀମାନେ ଆସି ଲୋକସମୂହକୁ ପ୍ରବର୍ତ୍ତାଇଲେ, ପୁଣି ପାଉଲଙ୍କୁ ପଥର ମାରି ସେ ମରିଅଛନ୍ତି ବୋଲି ମନେ କରି ବାହାରକୁ ଟାଣି ଘେନିଗଲେ |।

20 ମାତ୍ର ଶିଷ୍ୟମାନେ ତାହାଙ୍କୁ ଘେରି ଠିଆ ହୁଅନ୍ତେ ସେ ଉଠି ନଗର ମଧ୍ୟରେ ପ୍ରବେଶ କଲେ | ପରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀକୁ ବାହାରିଗଲେ |।

21 ସେମାନେ ସେହି ନଗରରେ ସୁସମାଚାର ପ୍ରଚାର କରି ଓ ଅନେକଙ୍କୁ ଶିଷ୍ୟ କଲା ଉତ୍ତାରେ ଲୁସ୍ତ୍ରା, ଇକନିୟ ଓ ଆନ୍ତିୟଖିଆକୁ ବାହୁଡ଼ିଆସିଲେ,

22 ପୁଣି ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହିତ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ |।

23 ଆଉ ସେମାନେ ସେମାନଙ୍କ ନିମନ୍ତେ ପ୍ରତ୍ୟେକ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି ଉପବାସ ସହିତ ପ୍ରାର୍ଥନା କଲେ, ପୁଣି ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ୱାସ କରିଥିଲେ, ତାହାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ |।

24 ପରେ ସେମାନେ ପିସିଦିଆ ମଧ୍ୟ ଦେଇ ପଂଫୂଲିଆକୁ ଆସିଲେ,

25 ଆଉ ପର୍ଗୀରେ ବାକ୍ୟ ପ୍ରଚାର କରି ଆତ୍ତାଲିଆକୁ ଗଲେ |।

26 ସେଠାରୁ ସେମାନେ ଆନ୍ତିୟଖିଆକୁ ଜାହାଜରେ ଯାତ୍ରା କଲେ; ସେମାନେ ଯେଉଁ କାର୍ଯ୍ୟ ସାଧନ କରିଥିଲେ, ତାହା କରିବା ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହରେ ସମର୍ପିତ ହୋଇ ସେ ସ୍ଥାନରୁ ବାହାରିଥିଲେ |।

27 ସେମାନେ ପହଞ୍ଚି ମଣ୍ଡଳୀକି ଏକତ୍ର କଲେ, ପୁଣି ଇଶ୍ୱର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ବିଜାତିମାନଙ୍କ ପ୍ରତି ବିଶ୍ୱାସର ଦ୍ୱାର ଫିଟାଇଦେଇଥିଲେ, ସେହିସବୁ ବର୍ଣ୍ଣନା କଲେ |।

28 ଆଉ ସେମାନେ ଶିଷ୍ୟମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ |।