1 ପରେ ସେମାନେ ଆଂଫିପଲି ଓ ଆପଲୋନିଆ ଦେଇ ଯାତ୍ରା କରି ଥେସଲନିକିକୁ ଆସିଲେ;ସେଠାରେ ଯିହୁଦୀମାନଙ୍କର ଗୋଟିଏ ସମାଜ ଗୃହ ଥିଲା |।

2 ଆଉ ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ,ପୁଣି ତିନି ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ,

3 ପୁଣି ଖ୍ରୀଷ୍ଟଙ୍କର ଯେ ମୃତ୍ୟୁଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍‌ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି,ସେ ଯେ ଖ୍ରୀଷ୍ଟ,ଏହାର ସ୍ପଷ୍ଟ ପ୍ରମାଣ ଦେଲେ |।

4 ସେଥିରେ ସେମାନଙ୍କ ମଧ୍ୟରୁ କେତେକଜଣ ବିଶ୍ୱାସ କରି ପାଉଲ ଓ ଶିଲାଙ୍କ ସହିତ ଯୋଗ ଦେଲେ; ପୁଣି ଯିହୁଦିମତାମବଲମ୍ବୀ ଗ୍ରୀକ୍ ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ|।

5 କିନ୍ତୁ ଯିହୁଦୀମାନେ ଈର୍ଷାରେ ଜ୍ୱଳୀଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ,ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ |।

6 ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ଭାଇଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚ ସ୍ୱରରେ ଡାକି କହିଲେ,ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରି ପକାଇଲେଣି,ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି;ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି |।

7 ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି |।

8 ସେମାନଙ୍କର ଏହି କଥା ଶୁଣି ଲୋକସମୁହ ଓ ନଗରର ଶାସନକର୍ତ୍ତାମାନେ ଉଦ୍‌ବିଗ୍ନ ହେଲେ |।

9 ପରେ ସେମାନେ ଯାସୋନ ଓ ତାହାଙ୍କ ସଙ୍ଗୀମାନଙ୍କଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ିଦେଲେ |।

10 ପୁଣି ଭାଇମାନେ ଅବିଳମ୍ବରେ ପାଉଲ ଓ ଶୀଲାଙଙଙ୍କୁ ରାତ୍ରିକାଳରେ ବେରୟାକୁ ପଠାଇଦେଲେ;ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୁଦୀମାନଙ୍କ ସମାଜଗୃହକୁ ଗଲେ |।

11 ଥେସଲନିକିରେ ଥିବା ଯିହୁଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ |ଏମାନେ ପୁର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ,ପୁଣି ଏହିସମସ୍ତ ସତ୍ୟ କି ନା,ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ |।

12 ତେଣୁ ସେମାନେଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍ ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ |।

13 କିନ୍ତୁ ଯେତେବେଳେ ଥେସଲନିକିୟ ଯିହୁଦୀମାନେ ଜାଣିଲେ ଯେ,ଈଶ୍ୱରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରୟାରେ ସୁଦ୍ଧା ପ୍ରଚାରିତ ହେଉଅଛି,ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୁହଙ୍କୁ ଉତ୍ତେଜିତ ଓ ଉଦ୍‌ବିଗ୍ନ କଲେ |।

14 ସେଥିରେ ଭାଇମାନେ ଅବିଳମ୍ବରେ ପାଉଲଙ୍କୁ ସମୁଦ୍ର ଆଡ଼କୁ ଯିବା ପାଇଁ ପଠାଇଦେଲେ,ଆଉ ଶୀଲା ଓ ତୀମଥୀ ସେହି ସ୍ଥାନରେ ରହିଲେ |।

15 କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ,ସେମାନେ ତାହା ଙ୍କୁ ଆଥିନୀ ପର୍ଯ୍ୟନ୍ତ ଆଣିଲେ,ଆଉ ଶୀଲା ଓ ତୀ ମଥୀ ଯେପରି ଅତିଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି,ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ |।

16 ଆଥିନୀରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୁର୍ଣ୍ଣ ଦେଖି ତାହାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା |।

17 ତେଣୁ ସେ ସମାଜଗୃହରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ବିଜାତୀୟମାନଙ୍କ ସହିତ,ଆଉ ବଜାର ଛକରେ ପ୍ରତିଦିନ ଯେଉଁମାନଙ୍କ ସାଙ୍ଗରେ ଦେଖା ହେଉଥିଲା,ସେମାନଙ୍କୁ ଉପଦେଶ ଦେଉଥିଲେ |।

18 ସେଥିରେ ଏପିକୁରୀୟ ଓ ସ୍ତୋୟିକ କେତେକ ଦାର୍ଶନିକ ମଧ୍ୟ ତାହାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ,ପୁଣି କେହି କେହି କହିଲେ,ଏ ବାଚାଳଟା କଣ କହିବାକୁ ଇଚ୍ଛା କରୁଅଛ ଆଉ କେହି କେହି କହିଲେ,ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି;କାରଣ ସେ ଯୀଶୁ ଓ ପୁନରୁତ୍ଥାନ୍ ବିଷୟକ ସୁସମାଚାର ପ୍ରଚାର କରୁଥିଲେ |।

19 ପରେ ସେମାନେ ତାହାଙ୍କୁ ଆରୟପାଗକୁ ଘେନିଯାଇ କହିଲେ,ଏହି ଯେ ନୁତନ ଶିକ୍ଷା ଆପଣ ଦେଉଅଛନ୍ତି,ତାହା କଅଣ ବୋଲି ଆମ୍ଭେମାନେ ଜାଣି ପାରିବା କି।

20 କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି;ଅତଏବ ଏହି ସମସ୍ତ କଥାର ଅର୍ଥ କଅଣ,ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁଁ |।

21 ଆଥିନିୟ ଲୋକସମସ୍ତେ ଓ ସେଠାରେ ପ୍ରବାସୀ ବିଦେଶୀୟମାନେ କେବଳ କୌଣସି ନୁତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳ କ୍ଷେପଣ କରୁ ନ ଥିଲେ |।

22 ଏଥିରେ ପାଉଲ ଆରୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ,ହେ ଆଥିନୀୟଲୋକମାନେ,ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବ ଭକ୍ତ,ଏହା ମୁଁ ଦେଖୁଅଛି |।

23 କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୁଜ୍ୟ ବସ୍ତୁସମସ୍ତ ଦେଖୁଁ ଦେଖୁଁ ଗୋଟିଏ ବେଦୀ ମଧ୍ୟ ଦେଖିଲି,ଯାହା ଉପରେ ଏହି କଥା ଲେଖା ହୋଇଅଛି, ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ |ଅତଏବ ଆପଣମାନେ ନ ଜାଣି ଯାହାଙ୍କର ପୁଜା କରୁଅଛନ୍ତି,ମୁଁ ତାହାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି |।

24 ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି,ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରସମୁହରେ ବାସ କରନ୍ତି ନାହିଁ,

25 କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ,ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ,ନିଶ୍ୱାସ,ଓ ସମସ୍ତ ପଦାର୍ଥ ଦାନ କରନ୍ତି |।

26 ଆଉ ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି;ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି,

27 ସେମାନେ ଯେପରି ଈଶ୍ୱରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି,ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି |।

28 କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି,ଗତି ଓ ସ୍ଥିତି,ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି,କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ |।

29 ତେବେ ଆମ୍ଭେମାନେ ଈଶ୍ୱରଙ୍କର ବଂଶ ହେବାରୁ ଈଶ୍ୱରଙ୍କ ସ୍ୱରୁପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ଜ୍ଞାନ କରିବା ଆମ୍ଭମାନଙ୍କର ଉଚିତ୍ ନୁହେଁ |।

30 ଈଶ୍ୱର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ,କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି;

31 କାରଣ ଯେଉଁ ଦିନ ସେ ଆପଣା ନିରୁପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ,ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି,ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍‌ଥାପନ କରି ଏ ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି |।

32 ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ; ଆଉ କେହି କେହି କହିଲେ,ଆମ୍ଭେମାନେ ଆଉଥରେ ଆପଣଙ୍କଠାରୁ ଏହି ବିଷୟ ଶୁଣିବା |।

33 ଏହି ପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ |।

34 କିନ୍ତୁ କୌଣସି କୌଣସି ଲୋକ ତାହାଙ୍କ ସପକ୍ଷ ହୋଇ ବିଶ୍ୱାସ କଲେ; ସେମାନଙ୍କ ମଧ୍ୟରେ ଆରୟପାଗୀ ଦିୟନୁସିୟ,ଦାମାରି ନାମ୍ନୀ ଜଣେ ମହିଳା ସେମାନଙ୍କ ସହିତ ଆଉ କେତେକ ଲୋକ ଥିଲେ |।