1 ପ୍ରଭୁ ସଦାପ୍ରଭୁ ମୋତେ ଏରୂପ ଦେଖାଇଲେ ଆଉ ଦେଖ, ପଶ୍ଚାତ୍ ଉତ୍ପନ୍ନ ତୃଣ ଅଙ୍କୁରିବାର ଆରମ୍ଭରେ ସେ ପଙ୍ଗପାଳମାନଙ୍କୁ ଗଢ଼ିଲେ ଓ ଦେଖ, ରାଜାଙ୍କ ତୃଣ କଟାଗଲା ଉତ୍ତାରେ ସେହି ପଶ୍ଚାତର ତୃଣ ବଢ଼ୁଥିଲା।
2 ପୁଣି, ସେହି ପଙ୍ଗପାଳମାନେ ଦେଶର ତୃଣ ଖାଇବାର ଶେଷ କଲା ଉତ୍ତାରେ ମୁଁ କହିଲି, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, କ୍ଷମା କର ! ଯାକୁବ କିରୂପେ ଠିଆ ହେବ କାରଣ ସେ ସାନ।
3 ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; ଏହା ହେବ ନାହିଁ, ଏହା ସଦାପ୍ରଭୁ କହନ୍ତି।
4 ପ୍ରଭୁ ସଦାପ୍ରଭୁ ମୋତେ ଏହିରୂପ ଦେଖାଇଲେ ଆଉ ଦେଖ, ପ୍ରଭୁ ସଦାପ୍ରଭୁ ଅଗ୍ନି ଦ୍ୱାରା ବିବାଦ କରିବା ପାଇଁ ଆହ୍ୱାନ କଲେ ତହିଁରେ ତାହା ମହାସାଗରକୁ ଗ୍ରାସ କଲା, ଆଉ ଭୂମିକୁ ଗ୍ରାସ କରିଥା'ନ୍ତା।
5 ଏପରି ସମୟରେ ମୁଁ କହିଲି, ହେ ପ୍ରଭୁ, ସଦାପ୍ରଭୁ, ବିନୟ କରେ, କ୍ଷାନ୍ତ ହୁଅ ଯାକୁବ କିରୂପେ ଠିଆ ହେବ କାରଣ ସେ ସାନ।
6 ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ ତାହା ମଧ୍ୟ ହେବ ନାହିଁ, ପ୍ରଭୁ ସଦାପ୍ରଭୁ ଏହା କହନ୍ତି।
7 ସେ ମୋତେ ଏରୂପ ଦେଖାଇଲେ ଆଉ ଦେଖ, ପ୍ରଭୁ ଆପଣା ହସ୍ତରେ ଓଳମ ଘେନି ଓଳମ ଦ୍ୱାରା ନିର୍ମିତ ଏକ କାନ୍ଥ ନିକଟରେ ଠିଆ ହେଲେ।
8 ପୁଣି, ସଦାପ୍ରଭୁ ମୋତେ ପଚାରିଲେ, ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ ତହିଁରେ ମୁଁ କହିଲି, ଗୋଟିଏ ଓଳମ ତେବେ ପ୍ରଭୁ କହିଲେ, ଦେଖ, ଆମ୍ଭେ ଆପଣା ଲୋକ ଇସ୍ରାଏଲର ମଧ୍ୟରେ ଓଳମ ପକାଇବା ଆମ୍ଭେ ପୁନର୍ବାର ଆଉ ସେମାନଙ୍କୁ ଛାଡ଼ି ଯିବା ନାହିଁ।
9 ପୁଣି, ଇସ୍ହାକର ଉଚ୍ଚସ୍ଥଳୀସକଳ ଧ୍ୱଂସିତ ହେବ ଓ ଇସ୍ରାଏଲର ଧର୍ମଧାମସକଳ ଉତ୍ସନ୍ନ ହେବ ଆଉ ଆମ୍ଭେ ଖଡ଼୍ଗ ଘେନି ଯାରବୀୟାମର ବଂଶ ବିରୁଦ୍ଧରେ ଉଠିବା।
10 ଯେତେବେଳେ ବୈଥେଲ୍ର ଯାଜକ ଅମତ୍ସୀୟ ଇସ୍ରାଏଲର ରାଜା ଯାରବୀୟାମଙ୍କ ନିକଟକୁ ଏହି କଥା କହି ପଠାଇଲା, ଇସ୍ରାଏଲ-ବଂଶ ମଧ୍ୟରେ ଆମୋଷ ଆପଣଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଅଛନ୍ତି ଦେଶ ତାଙ୍କର ବାକ୍ୟସବୁ ସହି ପାରୁ ନାହିଁ।
11 କାରଣ ଆମୋଷ ଏରୂପ କହୁଅଛନ୍ତି, ଯାରବୀୟାମ ଖଡ଼୍ଗରେ ହତ ହେବ ଓ ଇସ୍ରାଏଲ ନିଶ୍ଚୟ ଆପଣା ନିଜ ଦେଶରୁ ନିର୍ବାସିତ ହେବ।
12 ଆହୁରି, ଅମତ୍ସୀୟ ଆମୋଷଙ୍କୁ କହିଲା, ହେ ଦର୍ଶକ, ତୁମ୍ଭେ ଯାଅ, ଯିହୁଦା ଦେଶକୁ ପଳାଅ, ସେଠାରେ ଭୋଜନ କର ଓ ସେଠାରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର।
13 ମାତ୍ର ବୈଥେଲ୍ରେ ପୁନର୍ବାର ଆଉ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ କାରଣ ତାହା ରାଜାଙ୍କର ଧର୍ମଧାମ ଓ ତାହା ରାଜକୀୟ ଗୃହ ଅଟେ।
14 ତହିଁରେ ଆମୋଷ ଉତ୍ତର କରି ଅମତ୍ସୀୟକୁ କହିଲେ, ମୁଁ ଭବିଷ୍ୟଦ୍ବକ୍ତା ନ ଥିଲି, କିଅବା କୌଣସି ଭବିଷ୍ୟଦ୍ବକ୍ତାର ପୁତ୍ର ନ ଥିଲି ମାତ୍ର ମୁଁ ଗୋପାଳକ ଓ ଡିମିରି ବୃକ୍ଷର କୃଷକ ଥିଲି।
15 ପୁଣି, ସଦାପ୍ରଭୁ ପଲର ପଶ୍ଚାଦ୍ଗମନରୁ ମୋତେ ନେଲେ ଓ ସଦାପ୍ରଭୁ ମୋତେ କହିଲେ, ଯାଅ, ଆମ୍ଭର ଇସ୍ରାଏଲ ଲୋକ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର।
16 ଏହେତୁ ଏବେ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣ ତୁମ୍ଭେ କହୁଅଛ, ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ ଓ ଇସ୍ହାକ-ବଂଶ ବିରୁଦ୍ଧରେ ତୁମ୍ଭର ବାକ୍ୟ ବର୍ଷାଅ ନାହିଁ:
17 ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି ତୁମ୍ଭର ଭାର୍ଯ୍ୟା ନଗର ମଧ୍ୟରେ ବେଶ୍ୟା ହେବ ଓ ତୁମ୍ଭର ପୁତ୍ର କନ୍ୟାଗଣ ଖଡ଼୍ଗରେ ପତିତ ହେବେ, ଆଉ ତୁମ୍ଭର ଭୂମି ପରିମାପକ ରଜ୍ଜୁ ଦ୍ୱାରା ବିଭାଗ କରାଯିବ ପୁଣି, ତୁମ୍ଭେ ନିଜେ ଅଶୁଚି ଦେଶରେ ମରିବ, ଆଉ ଇସ୍ରାଏଲ ନିଶ୍ଚୟ ଆପଣା ଦେଶରୁ ନିର୍ବାସିତ ହେବ।