1 ଅନନ୍ତର ମୋଶା ମୋୟାବ ପଦାରୁ ନବୋ ପର୍ବତକୁ, ଅର୍ଥାତ୍‍, ଯିରୀହୋ ସମ୍ମୁଖସ୍ଥିତ ପିସ୍‍ଗା ଶୃଙ୍ଗ ଆରୋହଣ କଲେ ତହିଁରେ ସଦାପ୍ରଭୁ ଗିଲୀୟଦଠାରୁ ଦାନ୍‍ ପର୍ଯ୍ୟନ୍ତ ସବୁ ଦେଶ।

2 ପୁଣି ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ନପ୍ତାଲି ଓ ଇଫ୍ରୟିମ ଓ ମନଃଶି ଓ ଯିହୁଦାର ସମସ୍ତ ଦେଶ।

3 ଆଉ ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର- ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ।

4 ପୁଣି ସଦାପ୍ରଭୁ ତାଙ୍କୁ କହିଲେ, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି ଯେଉଁ ଦେଶ ବିଷୟରେ ଅବ୍ରହାମ ଓ ଇସ୍‍ହାକ ଓ ଯାକୁବ ନିକଟରେ ଶପଥ କରି କହିଥିଲୁ, ସେହି ଦେଶ ଏହିନ୍ତ ଆମ୍ଭେ ତାହା ତୁମ୍ଭକୁ ସ୍ୱଚକ୍ଷୁରେ ଦେଖାଇଲୁ, ମାତ୍ର ତୁମ୍ଭେ ପାର ହୋଇ ସେଠାକୁ ଯିବ ନାହିଁ।

5 ତହୁଁ ସଦାପ୍ରଭୁଙ୍କ ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ।

6 ପୁଣି ସେ ମୋୟାବ ଦେଶରେ ବୈତ୍‍ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାଙ୍କୁ କବର ଦେଲେ ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର କବରସ୍ଥାନ କେହି ଜାଣେ ନାହିଁ।

7 ମରଣ କାଳରେ ମୋଶାଙ୍କୁ ଏକ ଶହ କୋଡ଼ିଏ ବର୍ଷ ବୟସ ହୋଇଥିଲା ତାଙ୍କର ଚକ୍ଷୁ ଧନ୍ଦଳା ହୋଇ ନ ଥିଲା କିଅବା ତାଙ୍କର ସ୍ୱାଭାବିକ ବଳ ହ୍ରାସ ପାଇ ନ ଥିଲା।

8 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋୟାବ ପଦାରେ ତିରିଶ ଦିନ ରୋଦନ କଲେ ଏଥିରେ ମୋଶାଙ୍କ ହେତୁ ଶୋକରେ ସେମାନଙ୍କ ରୋଦନର ଦିନ ସମ୍ପୂର୍ଣ୍ଣ ହେଲା।

9 ମୋଶା ନୂନର ପୁତ୍ର ଯିହୋଶୂୟଙ୍କର ମସ୍ତକରେ ହସ୍ତାର୍ପଣ କରିଥିବାରୁ ସେ ଜ୍ଞାନଦାୟକ ଆତ୍ମାରେ ପରିପୂର୍ଣ୍ଣ ଥିଲେ ପୁଣି ଇସ୍ରାଏଲ-ସନ୍ତାନଗଣ ତାଙ୍କର କଥା ଶୁଣି ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କରିବାକୁ ଲାଗିଲେ।

10 ମାତ୍ର ସଦାପ୍ରଭୁ ଯାହା ସଙ୍ଗେ ମୁଖାମୁଖି ଆଳାପ କରିଥିଲେ।

11 ଓ ଯାହାଙ୍କୁ ସଦାପ୍ରଭୁ ମିସର ଦେଶରେ ଫାରୋ ପ୍ରତି ଓ ତାଙ୍କର ସମସ୍ତ ଦାସ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯାହା କରିବା ପାଇଁ ପଠାଇଥିଲେ, ସେସବୁ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବିଷୟରେ,

12 ପୁଣି ମୋଶା ସମସ୍ତ ବାହୁବଳ ଏବଂ ଯେସବୁ ଭୟାନକ କର୍ମ ସମଗ୍ର ଇସ୍ରାଏଲ ଦୃଷ୍ଟିରେ କରିଥିଲେ, ସେସବୁ ତୁଳନାରେ ମୋଶାଙ୍କ ସଦୃଶ ଆଉ କୌଣସି ଭବିଷ୍ୟଦ୍‍ବକ୍ତା ସେହି ଦିନଠାରୁ ଇସ୍ରାଏଲ ମଧ୍ୟରେ ଉତ୍ପନ୍ନ ହୋଇ ନାହାନ୍ତି।