1 ଦାଉଦଙ୍କର ପୁତ୍ର, ଯିରୂଶାଲମସ୍ଥ ରାଜା, ଉପଦେଶକଙ୍କର ବାକ୍ୟମାଳା।

2 ଉପଦେଶକ କହୁଅଛନ୍ତି, ଅସାରର ଅସାର, ଅସାରର ଅସାର, ସକଳ ହିଁ ଅସାର।

3 ମନୁଷ୍ୟ ସୂର୍ଯ୍ୟ ତଳେ ଯେ ଯେ ପରିଶ୍ରମରେ ପରିଶ୍ରାନ୍ତ ହୁଏ, ତାହାର ସେହିସବୁରୁ କି ଲାଭ।

4 ଏକ ପୁରୁଷ ବହିଯାଏ ଓ ଅନ୍ୟ ପୁରୁଷ ଆସେ କିନ୍ତୁ ପୃଥିବୀ ସଦାକାଳ ଥାଏ।

5 ମଧ୍ୟ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ, ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଏ।

6 ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ ଆପଣା ପଥରେ ନିତ୍ୟ ନିତ୍ୟ ଘୁରେ ଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ।

7 ନଦୀସବୁ ସମୁଦ୍ରକୁ ବହିଯା'ନ୍ତି, ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ ନଦୀସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି।

8 ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ ମନୁଷ୍ୟ ତାହା ବର୍ଣ୍ଣନା କରି ପାରେ ନାହିଁ ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।

9 ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇଅଛି, ତାହା ହିଁ କରାଯିବ ପୁଣି, ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ।

10 ଯହିଁ ବିଷୟରେ ମନୁଷ୍ୟମାନେ କହନ୍ତି, ଦେଖ, ଏହା ନୂତନ, ଏପରି କି କୌଣସି ବିଷୟ ଅଛି ତାହା ତ ଏଥିପୂର୍ବେ ଆମ୍ଭମାନଙ୍କ ପୂର୍ବକାଳୀନ ସମୟରେ ଥିଲା।

11 ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ କିଅବା ଭବିଷ୍ୟତ କାଳରେ ଯେଉଁମାନେ ଉତ୍ପନ୍ନ ହେବେ, ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।

12 ମୁଁ ଉପଦେଶକ, ଯିରୂଶାଲମରେ ଇସ୍ରାଏଲ ଉପରେ ରାଜା ଥିଲି।

13 ପୁଣି, ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି ଏତଦ୍ଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ-ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ।

14 ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି ଆଉ ଦେଖ, ସବୁ ଅସାର, ବାୟୁର ପଶ୍ଚାଦ୍‍ଧାବନମାତ୍ର।

15 ଯାହା ବଙ୍କା, ତାହା ସଳଖ କରାଯାଇ ନ ପାରେ ପୁଣି, ଯାହା ଅଭାବ, ତାହା ଗଣିତ ହୋଇ ନ ପାରେ।

16 ମୁଁ ଆପଣା ହୃଦୟରେ ଭାବି କହିଲି, ଦେଖ, ଯିରୂଶାଲମରେ ମୋ' ପୂର୍ବେ ଥିବା ସମସ୍ତ ଲୋକଙ୍କ ଅପେକ୍ଷା ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି ଆହୁରି, ମୋହର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହାଅନୁଭବୀ ହୋଇଅଛି।

17 ତହୁଁ ମୁଁ ଜ୍ଞାନର ତତ୍ତ୍ୱ, ପୁଣି ବାତୁଳତା ଓ ଅଜ୍ଞାନତାର ତତ୍ତ୍ୱ ଜାଣିବା ପାଇଁ ମନୋଯୋଗ କଲି ଏହା ହିଁ ବାୟୁର ପଶ୍ଚାଦ୍‍ଧାବନ ବୋଲି ଜାଣିଲି।

18 କାରଣ ବହୁତ ଜ୍ଞାନରେ ବହୁତ କ୍ଳେଶ ଥାଏ ପୁଣି, ଯେ ବିଦ୍ୟା ବୃଦ୍ଧି କରେ, ସେ ଦୁଃଖ ବୃଦ୍ଧି କରେ।