1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ,

2 ଦେଖ, ଆମ୍ଭେ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଲୁ।

3 ପୁଣି ଶିଳ୍ପକର୍ମ, ଅର୍ଥାତ୍‍, ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳରେ ଖୋଦନ ଓ ଖଚନାର୍ଥକ ମଣି-କର୍ତ୍ତନ ଓ କାଷ୍ଠ-ଖୋଦନ ପ୍ରଭୃତି।

4 ସର୍ବପ୍ରକାର ଶିଳ୍ପକର୍ମ କରଣାର୍ଥେ।

5 ତାହାକୁ ଜ୍ଞାନ, ବୃଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କଲୁ।

6 ଆଉ ଦେଖ, ଆମ୍ଭେ ଦାନବଂଶଜାତ ଅହୀଷାମକର ପୁତ୍ର ଅହଲୀୟାବକୁ ତାହାର ସହକାରୀ ହେବା ପାଇଁ ନିଯୁକ୍ତ କଲୁ; ପୁଣି ସମସ୍ତ ବିଜ୍ଞମନା ଲୋକମାନଙ୍କହୃଦୟରେ ଜ୍ଞାନ ଦେଲୁ; ଏଣୁ ଆମ୍ଭେ ତୁମ୍ଭକୁ ଯେସମସ୍ତ ଆଜ୍ଞା ଦେଲୁ, ତାହାସବୁ ସେମାନେ ନିର୍ମାଣ କରିବେ।

7 ଅର୍ଥାତ୍‍, ସମାଗମ-ତମ୍ବୁ ଓ ସାକ୍ଷ୍ୟସିନ୍ଦୁକ ଓ ତହିଁର ଉପରିସ୍ଥ ପାପାଚ୍ଛାଦନ ଓ ତମ୍ବୁର ସମସ୍ତ ପାତ୍ର,

8 ଆଉ ମେଜ ଓ ତହିଁର ପାତ୍ରାଦି ଓ ନିର୍ମଳ ଦୀପବୃକ୍ଷ ଓ ତହିଁର ସମସ୍ତ ପାତ୍ରଓ ଧୂପବେଦି।

9 ଓ ହୋମବେଦି ଓ ତହିଁର ସମସ୍ତ ପାତ୍ର ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି,

10 ପୁଣି ସୁଶୋଭିତ ବସ୍ତ୍ର ଓ ଯାଜକକର୍ମ କରଣାର୍ଥେ ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରଗଣର ବସ୍ତ୍ର,

11 ପୁଣି ଅଭିଷେକାର୍ଥକ ତୈଳ ଓ ପବିତ୍ର ସ୍ଥାନ ନିମନ୍ତେ ସୁଗନ୍ଧି ଧୂପ, ଏହି ଯେଉଁ ସମସ୍ତ ଆଜ୍ଞା ଆମ୍ଭେ ତୁମ୍ଭକୁ ଦେଲୁ, ତଦନୁସାରେ ସେମାନେ କରିବେ।

12 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,

13 ତୁମ୍ଭେ ଆହୁରି ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କୁହ, ନିଶ୍ଚୟ ତୁମ୍ଭେମାନେ ଆମ୍ଭର ବିଶ୍ରାମଦିନ ପାଳନ କରିବ; ଯେହେତୁ ଆମ୍ଭେ ଯେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ।

14 ଏଣୁ ତୁମ୍ଭେମାନେ ବିଶ୍ରାମଦିନ ପାଳନ କରିବ; କାରଣ ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ଅଟଇ; ଯେ କେହି ତାହା ଅପବିତ୍ର କରଇ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ; ପୁଣି ଯେ କୌଣସି ପ୍ରାଣୀ ସେହି ଦିନରେ କାର୍ଯ୍ୟ କରିବ, ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।

15 ଛଅ ଦିନ କାର୍ଯ୍ୟ କରାଯିବ, ମାତ୍ର ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ମହାବିଶ୍ରାମଦିନନ୍ତ ସେହି ବିଶ୍ରାମଦିନରେ ଯେ କେହି କାର୍ଯ୍ୟ କରଇ, ନିଶ୍ଚୟ ତାହାର ପ୍ରାଣଦଣ୍ଡ ହେବ।

16 ଏହେତୁ ଇସ୍ରାଏଲ-ସନ୍ତାନଗଣ ଅନନ୍ତକାଳୀନ ନିୟମ ରୂପେ ପୁରୁଷାନୁକ୍ରମେ ମାନ୍ୟ କରିବା ପାଇଁ ବିଶ୍ରାମଦିନ ପାଳନ କରିବେ।

17 ତାହା ଆମ୍ଭ ଓ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗୋଟିଏ ଅନନ୍ତକାଳୀନ ଚିହ୍ନ ହେବ, କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।

18 ତହୁଁ ସେ ସୀନୟ ପର୍ବତରେ ମୋଶାଙ୍କ ସହିତ କଥା ସାଙ୍ଗ କରି ସାକ୍ଷ୍ୟ ସ୍ୱରୂପ ଦୁଇ ପଟା, ଅର୍ଥାତ୍‍, ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇ ପ୍ରସ୍ତର ପଟା ତାଙ୍କୁ ଦେଲେ।