1 ଏଥିଉତ୍ତାରୁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଅବ୍ରହାମ ଓ ଇସ୍‍ହାକ ଓ ଯାକୁବ ନିକଟରେ ଶପଥ କରି ଯେଉଁ ଦେଶ ବିଷୟରେ କହିଥିଲୁ, ତୁମ୍ଭ ବଂଶକୁ ଏହି ଦେଶ ଦେବା, ସେହି ଦେଶକୁ ଯିବା ପାଇଁ ତୁମ୍ଭେ ଓ ମିସରରୁ ଆନୀତ ଲୋକମାନେ ଏସ୍ଥାନରୁ ପ୍ରସ୍ଥାନ କର;

2 ଆମ୍ଭେ ତୁମ୍ଭ ଆଗେ ଆଗେ ଏକ ଦୂତ ପଠାଇବା; ପୁଣି ଆମ୍ଭେ କିଣାନୀୟ ଓ ଇମୋରୀୟ ଓ ହିତ୍ତୀୟ ଓ ପିରିଷୀୟ ଓ ହି³ୀୟ ଓ ଯିବୂଷୀୟ ଲୋକମାନଙ୍କୁ ତଡ଼ିଦେବା।

3 ଏନିମନ୍ତେ ସେହି ଦୁଗ୍‍ଧମଧୁପ୍ରବାହୀ ଦେଶକୁ ଯାଅ; ମାତ୍ର ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ହୋଇ ଯିବା ନାହିଁ; ଗଲେ ଆମ୍ଭେ ପଥ ମଧ୍ୟରେ ତୁମ୍ଭଙ୍କୁ ସଂହାର କରିବା, କାରଣ ତୁମ୍ଭେ ଶକ୍ତଗ୍ରୀବ ଲୋକ।

4 ଲୋକମାନେ ଏହି ଅଶୁଭ ସମ୍ବାଦ ଶୁଣି ଶୋକ କଲେ; କେହି ଆପଣା ଶରୀରରେ ଆଭରଣ ପରିଧାନ କଲେ ନାହିଁ।

5 କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କୁହ, ତୁମ୍ଭେମାନେ ଶକ୍ତଗ୍ରୀବ ଲୋକ; ଯେବେ ଆମ୍ଭେ ଏକ ନିମିଷ ତୁମ୍ଭ ମଧ୍ୟକୁ ଯିବା, ତେବେ ତୁମ୍ଭଙ୍କୁ ସଂହାର କରିବାନ୍ତ ତୁମ୍ଭେ ଏବେ ଆପଣା ଶରୀରରୁ ଆଭରଣ ଦୂର କର, ତହିଁରେ ତୁମ୍ଭ ପ୍ରତି କି କର୍ତ୍ତବ୍ୟ ତାହା ଜାଣିବା।

6 ଏଥିରେ ଇସ୍ରାଏଲ-ସନ୍ତାନଗଣ ହୋରେବ ପର୍ବତ ନିକଟରୁ ଅଗ୍ରସର ହୋଇ ଯାଉ ଯାଉ ଆପଣା ଆପଣା ସମସ୍ତ ଆଭରଣ ଦୂର କଲେ।

7 ଏସମୟରେ ଏପରି ଥିଲା ଯେ, ମୋଶା ତମ୍ବୁ ନେଇ ଛାଉଣିର ବାହାରେ ଓ ଛାଉଣିଠାରୁ ଦୂରରେ ସ୍ଥାପନ କରିଥା'ନ୍ତି ଓ ତାହାର ନାମ ସମାଗମ-ତମ୍ବୁ ଦେଲେ। ସଦାପ୍ରଭୁଙ୍କ ଅନେ୍ୱଷଣକାରୀପ୍ରତ୍ୟେକ ଲୋକ ଛାଉଣିର ବାହାରସ୍ଥିତ ସେହି ସମାଗମ-ତମ୍ବୁ ନିକଟକୁ ଯା'ନ୍ତି।

8 ପୁଣି ଏପରି ଘଟିଲା ଯେ, ମୋଶା ବାହାର ହୋଇ ସେହି ତମ୍ବୁ ନିକଟକୁ ଯିବା ବେଳେ ସମସ୍ତ ଲୋକ ଉଠି ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ତମ୍ବୁରେ ପ୍ରବେଶ ନ କଲେ, ସେପର୍ଯ୍ୟନ୍ତ ସେମାନେ ତାଙ୍କର ପଶ୍ଚାତ୍‍ ଅନାଇ ରହିଲେ।

9 ଏଉତ୍ତାରେ ମୋଶା ତମ୍ବୁରେ ପ୍ରବେଶ କରନ୍ତେ, ମେଘ ସ୍ତମ୍ଭ ଓହ୍ଲାଇ ତମ୍ବୁ ଦ୍ୱାରରେ ଅବସ୍ଥିତ ହେଲା; ତହିଁରେ ସଦାପ୍ରଭୁ ମୋଶାଙ୍କ ସହିତ ଆଳାପ କଲେ।

10 ତମ୍ବୁ ଦ୍ୱାରରେ ଅବସ୍ଥିତ ମେଘ ସ୍ତମ୍ଭ ଦେଖନ୍ତେ, ସମସ୍ତ ଲୋକ ଉଠି ପ୍ରତ୍ୟେକେ ଆପଣା ଆପଣା ତମ୍ବୁ ଦ୍ୱାରରେ ଥାଇ ପ୍ରଣାମ କଲେ।

11 ମନୁଷ୍ୟ ଯେପରି ମିତ୍ର ସହିତ ଆଳାପ କରେ, ସେପରି ସଦାପ୍ରଭୁ ମୁଖାମୁଖି ହୋଇ ମୋଶାଙ୍କ ସହିତ ଆଳାପ କଲେ; ଏଉତ୍ତାରେ ମୋଶା ଛାଉଣିକି ବାହୁଡ଼ି ଆସିଲେ, ମାତ୍ର ନୂନର ପୁତ୍ର ଯିହୋଶୂୟ ନାମକ ତାଙ୍କର ଯୁବା ପରିଚାରକତମ୍ବୁ ମଧ୍ୟରୁ ପ୍ରସ୍ଥାନ କଲେ ନାହିଁ।

12 ଅନନ୍ତର ମୋଶା ସଦାପ୍ରଭୁଙ୍କୁ କହିଲେ, ଦେଖ, ତୁମ୍ଭେ ଏହି ଲୋକମାନଙ୍କୁ ଘେନିଯିବା ନିମନ୍ତେ ମୋତେ କହୁଅଛ; ମାତ୍ର ତୁମ୍ଭେ ମୋ' ସଙ୍ଗରେ କାହାକୁ ପଠାଇବ, ଏହା ତୁମ୍ଭେ ମୋତେ ଜଣାଇ ନାହଁ। ତଥାପି ତୁମ୍ଭେ କହିଅଛ, ଆମ୍ଭେ ନାମ ଦ୍ୱାରା ତୁମ୍ଭକୁ ଜାଣୁ ଓ ତୁମ୍ଭେ ଆମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛ।

13 ଉତ୍ତମ, ମୁଁ ଯେବେ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟରେ ଯେପରି ତୁମ୍ଭଙ୍କୁ ଜାଣି ପାରିବି, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ଗତି ଜଣାଅ; ପୁଣି ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ, ଏହା ବିବେଚନା କର।

14 ସେତେବେଳେ ସେ କହିଲେ, ଆମ୍ଭର ଶ୍ରୀମୁଖ ତୁମ୍ଭ ସହିତ ଗମନ କରିବେ, ପୁଣି ଆମ୍ଭେ ତୁମ୍ଭକୁ ବିଶ୍ରାମ ଦେବା।

15 ତହିଁରେ ସେ ତାହାଙ୍କୁ କହିଲେ, ଯେବେ ତୁମ୍ଭର ଶ୍ରୀମୁଖ ମୋ' ସହିତ ଗମନ ନ କରନ୍ତି, ତେବେ ଏସ୍ଥାନରୁ ଆମ୍ଭମାନଙ୍କୁ ନେଇ ଯାଅ ନାହିଁ।

16 କାରଣ ମୁଁ ଓ ତୁମ୍ଭର ଏହି ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛୁ, ଏହା ଏବେ କାହିଁରେ ଜଣାଯିବ? ଯେପରି ମୁଁ ଓ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକଠାରୁ ବିଶେଷ ଲୋକ ହେବା, ଆମ୍ଭମାନଙ୍କ ସହିତ ତୁମ୍ଭର ଗମନ ଦ୍ୱାରା କି ଏହା ଜଣାଯାଏ ନାହିଁ।

17 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଏହି ଯେଉଁ କଥା ତୁମ୍ଭେ କହିଲ, ତାହା ହିଁ ଆମ୍ଭେ କରିବା, କାରଣ ତୁମ୍ଭେ ଆମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର, ପୁଣି ଆମ୍ଭେ ନାମ ଦ୍ୱାରା ତୁମ୍ଭକୁ ଜାଣୁ।

18 ପୁଣି ସେ କହିଲେ, ବିନୟ କରୁଅଛି, ତୁମ୍ଭେ ମୋତେ ଆପଣା ମହିମା ଦେଖାଅ।

19 ସେ ଉତ୍ତର କଲେ, ଆମ୍ଭେ ତୁମ୍ଭ ସମ୍ମୁଖ ଦେଇ ଆପଣାର ସମସ୍ତ ଉତ୍ତମତା ଗମନ କରାଇବା, ତୁମ୍ଭ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରିବାନ୍ତ ଆମ୍ଭେ ଯାହାକୁ ଅନୁଗ୍ରହ କରୁ, ତାହାକୁ ଅନୁଗ୍ରହକରିବା ଓ ଯାହାକୁ ଦୟା କରୁ, ତାହାକୁ ଦୟା କରିବା।

20 ସେ ଆହୁରି କହିଲେ, ତୁମ୍ଭେ ଆମ୍ଭର ମୁଖ ଦେଖି ପାରିବ ନାହିଁ; କାରଣ ମନୁଷ୍ୟ ଆମ୍ଭଙ୍କୁ ଦେଖି ବଞ୍ଚିବ ନାହିଁ।

21 ସଦାପ୍ରଭୁ କହିଲେ, ଦେଖ, ଆମ୍ଭ ନିକଟରେ ଏକ ସ୍ଥାନ ଅଛି, ତୁମ୍ଭେ ସେହି ଶୈଳ ଉପରେ ଛିଡ଼ା ହେବ;

22 ତହିଁରେ ତୁମ୍ଭ ନିକଟ ଦେଇ ଆମ୍ଭ ମହିମାର ଗମନ ସମୟରେ ଆମ୍ଭେ ତୁମ୍ଭକୁ ଶୈଳର ସେହି ଛିଦ୍ରରେ ରଖିବା ଓ ଆମ୍ଭ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମ୍ଭକୁ ଆଚ୍ଛନ୍ନ କରିବା।

23 ଅନନ୍ତର ଆମ୍ଭେ ଆପଣା ହସ୍ତ କାଢ଼ି ନେଲେ ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ, ମାତ୍ର ଆମ୍ଭର ମୁଖ ଦେଖାଯିବ ନାହିଁ।