1 ତହିଁ ଉତ୍ତାରୁ ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକି ଏକତ୍ର କରି କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସମସ୍ତ ବାକ୍ୟ ପାଳନ କରିବାକୁ ଆଜ୍ଞା ଦେଇଅଛନ୍ତି।

2 ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବନ୍ତ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାବିଶ୍ରାମଦିନ ହେବ, ଯେ କେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ଡ ହେବ।

3 ତୁମ୍ଭେମାନେ ବିଶ୍ରାମଦିନରେ ଆପଣାମାନଙ୍କ କୌଣସି ବାସସ୍ଥାନରେ ଅଗ୍ନି ଜାଳିବ ନାହିଁ। ଆବାସ (ତମ୍ବୁ) ନିମନ୍ତେ ଉପହାର।

4 ଆଉ, ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକି ଆହୁରି କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଲେ।

5 ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କରନ୍ତ ଯେ କେହି ସ୍ୱଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ୱର୍ଣ୍ଣଓ ରୌପ୍ୟ ଓ ପିତ୍ତଳ,

6 ପୁଣି ନୀଳ ବର୍ଣ୍ଣ ଓ ଧୂମ୍ର ବର୍ଣ୍ଣ ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର ଓ କ୍ଷୌମ ସୂତ୍ରଓ ଛାଗ ଲୋମ,

7 ପୁଣି ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଓ ଶିଟୀମ୍‍ କାଷ୍ଠ,

8 ପୁଣି ଦୀପାର୍ଥକ ତୈଳ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପାର୍ଥକ ଗନ୍ଧଦ୍ରବ୍ୟ,

9 ପୁଣି ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ।

10 ଆଉ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଜ୍ଞମନା ଲୋକ ଆସି ସଦାପ୍ରଭୁଙ୍କର ଆଦିଷ୍ଟ ସକଳ ବସ୍ତୁ ନିର୍ମାଣ କରନ୍ତୁ,

11 ଅର୍ଥାତ୍‍, ଆବାସ ଓ ତହିଁର ତମ୍ବୁ ଓ ଛାତ ଓ ଘୁଣ୍ଡି ଓ ପଟା ଓ ଅର୍ଗଳ ଓ ସ୍ତମ୍ଭ ଓ ଚୁଙ୍ଗୀ,

12 ପୁଣି ସିନ୍ଦୁକ ଓ ତହିଁର ସାଙ୍ଗୀ ଓ ପାପାଚ୍ଛାଦନ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର,

13 ପୁଣି ମେଜଓ ତହିଁର ସାଙ୍ଗୀ ଓ ପାତ୍ରସକଳ ଓ ଦର୍ଶନୀୟ ରୋଟୀ,

14 ପୁଣି ଦୀପ୍ତି ନିମନ୍ତେ ଦୀପବୃକ୍ଷ ଓ ତହିଁର ପାତ୍ର ଓ ପ୍ରଦୀପ ଓ ଦୀପାର୍ଥକ ତୈଳ,

15 ପୁଣି ଧୂପବେଦି ଓ ତହିଁର ସାଙ୍ଗୀ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ଓ ଆବାସ-ପ୍ରବେଶଦ୍ୱାରର ଆଚ୍ଛାଦନବସ୍ତ୍ର,

16 ପୁଣି ହୋମବେଦି ଓ ତହିଁର ପିତ୍ତଳ ଝାଞ୍ଜିରୀ ଓ ସାଙ୍ଗୀ ଓ ପାତ୍ରସକଳ ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି,

17 ପୁଣି ପ୍ରାଙ୍ଗଣର ପରଦା ଓ ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନବସ୍ତ୍ର,

18 ପୁଣି ଆବାସର ମେଖ ଓ ପ୍ରାଙ୍ଗଣର ମେଖ ଓ ଉଭୟର ରଜ୍ଜ୍ୱୁ,

19 ପୁଣି ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର, ଅର୍ଥାତ୍‍, ହାରୋଣ ଯାଜକଙ୍କ ନିମନ୍ତେ ପବିତ୍ର ବସ୍ତ୍ର ଓ ଯାଜକକର୍ମ ନିମନ୍ତେ ତାଙ୍କର ପୁତ୍ରମାନଙ୍କର ବସ୍ତ୍ର, ଏହି ସମସ୍ତ ପ୍ରସ୍ତୁତ କରିବ।

20 ଅନନ୍ତର ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ସମ୍ମୁଖରୁ ପ୍ରସ୍ଥାନ କଲେ।

21 ପୁଣି ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ବୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ।

22 ପୁଣି ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ୱଚ୍ଛନ୍ଦମନା ଥିଲେ, ସେ ସମସ୍ତେ ଆସି ଉରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀୟ ଓ ହାର ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରସବୁ ଆଣିଲେ; ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱର୍ଣ୍ଣର ଉପହାର ଉତ୍ସର୍ଗ କଲେ।

23 ପୁଣି ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଓ ଛାଗ ଲୋମ ଓ ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଥିଲା, ସେମାନେ ପ୍ରତ୍ୟେକେ ତାହା ଆଣିଲେ।

24 ପୁଣି ଯେ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲାନ୍ତ ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍‍ କାଷ୍ଠ ଥିଲା, ସେ ତାହା ଆଣିଲା।

25 ବୁଦ୍ଧିମତୀ ସ୍ତ୍ରୀମାନେ ଆପଣା ଆପଣା ହସ୍ତରେ ସୂତା କାଟି ନୀଳ ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଆଣିଲେ।

26 ପୁଣି ଯେଉଁ ସ୍ତ୍ରୀମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ସେସମସ୍ତେ ଛାଗ ଲୋମର ସୂତା କାଟିଲେ।

27 ପୁଣି ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି,

28 ଆଉ ଦୀପ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ ଓ ତୈଳ ଆଣିଲେ।

29 ଇସ୍ରାଏଲ-ସନ୍ତାନଗଣ ସେ୍ୱଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ।

30 ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, ଦେଖ, ସଦାପ୍ରଭୁ ଯିହୁଦାବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଲେ।

31 ପୁଣି ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ- ଦାୟକ ପରମେଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି।

32 ଚିତ୍ର କର୍ମ ଓ ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ ଖୋଦନ।

33 ଓ ଖଚନାର୍ଥକ ମଣିକର୍ତ୍ତନ ଓ ନାନା ଶିଳ୍ପ କର୍ମ ନିମନ୍ତେ କାଷ୍ଠ ଖୋଦନ, ଏହିସବୁ ଶିଳ୍ପକର୍ମ କରିବା ପାଇଁ ତାହାକୁ ନିପୁଣ କଲେ।

34 ପୁଣି ଶିକ୍ଷା ଦେବା ପାଇଁ ତାହାର ଓ ଦାନବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ।

35 ଆଉ ଖୋଦନ ଓ ଶିଳ୍ପକର୍ମ କରିବା ନିମନ୍ତେ, ପୁଣି ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ରରେ ସୂଚି କର୍ମ ଓ ତନ୍ତୀ କର୍ମ କରିବା ନିମନ୍ତେ, ଅର୍ଥାତ୍‍, ଯାବତୀୟ ଶିଳ୍ପ କର୍ମ ଓ ଚିତ୍ର କର୍ମ କରିବା ପାଇଁ ସେମାନଙ୍କ ମନକୁ ଜ୍ଞାନରେ ପରିପୂର୍ଣ୍ଣ କଲେ।