1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଫାରୋ ନିକଟକୁ ଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଛାଡ଼ି ଦିଅ।
2 ଯେବେ ତୁମ୍ଭେ ସେମାନଙ୍କୁ ଛାଡ଼ି ଦେବା ପାଇଁ ଅସମ୍ମତ ହେବ, ତେବେ ଦେଖ, ଆମ୍ଭେ ବେଙ୍ଗ ଦ୍ୱାରାତୁମ୍ଭର ସମସ୍ତ ଦେଶକୁ ଦଣ୍ଡ ଦେବା।
3 ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେସମସ୍ତ ବେଙ୍ଗ ଉଠି ତୁମ୍ଭ ଗୃହରେ ଓ ଶୟନାଗାରରେଓ ଶଯ୍ୟାରେ ଓ ତୁମ୍ଭ ଦାସମାନଙ୍କ ଗୃହରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ତନ୍ଦୁରରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ;
4 ପୁଣି ତୁମ୍ଭର ଓ ତୁମ୍ଭ ଲୋକମାନଙ୍କର ଓ ଦାସମାନଙ୍କ ଉପରକୁ ଉଠିବେ।
5 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ହାରୋଣକୁ କୁହ, ତୁମ୍ଭେ ନଦୀ, ନାଳ ଓ ପୁଷ୍କରିଣୀ ଉପରେ ଆପଣାର ସଯଷ୍ଟି ହସ୍ତ ବିସ୍ତାର କରି ମିସର ଦେଶ ଉପରେ ବେଙ୍ଗ ଅଣାଅ।
6 ତହିଁରେ ହାରୋଣ ମିସରର ସମସ୍ତ ଜଳ ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ବେଙ୍ଗସମୂହ ଉଠି ମିସର ଦେଶରେ ବ୍ୟାପିଗଲେ।
7 ସେତେବେଳେ ମନ୍ତ୍ରଜ୍ଞମାନେ ଆପଣାମାନଙ୍କ ମାୟାରେ ସେପ୍ରକାର କରି ମିସର ଦେଶ ଉପରେ ବେଙ୍ଗ ଆଣିଲେ।
8 ତହୁଁ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, ଆମ୍ଭଠାରୁ ଓ ଆମ୍ଭ ଲୋକଙ୍କଠାରୁ ଏହିସବୁ ବେଙ୍ଗ ଦୂର କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; ତହିଁରେ ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନଙ୍କୁ ଛାଡ଼ି ଦେବା।
9 ତେବେ ମୋଶା ଫାରୋଙ୍କୁ କହିଲେ, ମୋ' ଉପରେ ଦର୍ପ କର; ବେଙ୍ଗ ସବୁ ଯେପରି ଆପଣଙ୍କଠାରୁ ଓ ଆପଣଙ୍କ ଗୃହରୁ ଉଚ୍ଛିନ୍ନ ହୋଇ କେବଳ ନଦୀରେ ରହନ୍ତି, ଆପଣଙ୍କ ସଦାପ୍ରଭୁଙ୍କ ଛାମୁରେ କେବେ ଏହି ପ୍ରାର୍ଥନା କରିବି?
10 ସେ କହିଲେ, କାଲି କର। ସେତେବେଳେ ମୋଶା କହିଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ କେହି ନାହିଁ, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି, ଏଥିପାଇଁ ଆପଣଙ୍କ ବାକ୍ୟାନୁସାରେ ହେଉ।
11 ବେଙ୍ଗମାନେ ଆପଣଙ୍କଠାରୁ ଓ ଆପଣଙ୍କ ଗୃହ, ଦାସ ଓ ସମସ୍ତ ଲୋକଙ୍କଠାରୁ ଦୂର ହୋଇ କେବଳ ନଦୀରେ ରହିବେ।
12 ଅନନ୍ତର ମୋଶା ଓ ହାରୋଣ ଫାରୋଙ୍କ ନିକଟରୁ ବାହାରକୁ ଗଲେ; ପୁଣି ମୋଶା ଫାରୋଙ୍କ ବିରୁଦ୍ଧରେ ଆନୀତ ବେଙ୍ଗ ବିଷୟରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
13 ତହିଁରେ ସଦାପ୍ରଭୁ ମୋଶାଙ୍କ ବାକ୍ୟାନୁସାରେ କରନ୍ତେ, ଗୃହରେ, ପ୍ରାଙ୍ଗଣରେ ଓ କ୍ଷେତ୍ରରେ ସମସ୍ତ ବେଙ୍ଗ ମଲେ।
14 ତହୁଁ ଲୋକମାନେ ସେସବୁକୁ ଏକତ୍ର କରି ଗଦା କରନ୍ତେ, ଦେଶ ଦୁର୍ଗନ୍ଧମୟ ହେଲା।
15 ମାତ୍ର ଫାରୋ ବିପଦର ନିବୃତ୍ତି ଦେଖି ସଦାପ୍ରଭୁଙ୍କ ବାକ୍ୟପ୍ରମାଣେ ଆପଣା ହୃଦୟ ଭାରୀ କଲେ ଓ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
16 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ହାରୋଣକୁ କୁହ, ସମସ୍ତ ମିସର ଦେଶରେ ଯେପରି ଉକୁଣିଆ ପୋକ ହୁଅଇ, ଏଥିପାଇଁ ତୁମ୍ଭେ ଆପଣା ଯଷ୍ଟି ଉଠାଇ ଭୂମିର ଧୂଳିରେ ପ୍ରହାର କର।
17 ତହିଁରେ ସେମାନେ ସେପ୍ରକାର କଲେନ୍ତ ହାରୋଣ ସଯଷ୍ଟି ହସ୍ତ ବିସ୍ତାର କରି ଭୂମିର ଧୂଳିରେ ପ୍ରହାର କରନ୍ତେ, ମନୁଷ୍ୟ ଓ ପଶୁମାନଙ୍କଠାରେ ଉକୁଣିଆ ପୋକ ହେଲା; ପୁଣି ମିସର ଦେଶର ଭୂମିସ୍ଥ ସମସ୍ତ ଧୂଳି ଉକୁଣିଆ ପୋକ ହେଲା।
18 ସେତେବେଳେ ମନ୍ତ୍ରଜ୍ଞମାନେ ଆପଣା ଆପଣା ମାୟାରେ ସେପ୍ରକାର ଉକୁଣିଆ ପୋକ ଉତ୍ପନ୍ନ କରିବାକୁ ଯନି କଲେ, ମାତ୍ର ପାରିଲେ ନାହିଁ; ତହିଁରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଉକୁଣିଆ ପୋକ ହେଲା।
19 ତେବେ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ଏ ତ ପରମେଶ୍ୱରଙ୍କ ଅଙ୍ଗୁଳିକୃତ କର୍ମ; ତଥାପି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା, ପୁଣି ସେ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ। ଚତୁର୍ଥ ଦଣ୍ଡ - ଦଂଶକାଦି ଝାଙ୍କ।
20 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଛିଡ଼ା ହୁଅନ୍ତ ଦେଖ, ସେ ଜଳ ନିକଟକୁ ଆସିଲେ, ତୁମ୍ଭେ ତାହାକୁ ଏହି କଥା କହିବ, ସଦାପ୍ରଭୁ କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ।
21 ପୁଣି ଯେବେ ଆମ୍ଭ ଲୋକମାନଙ୍କୁ ଛାଡ଼ି ନ ଦେବ, ତେବେ ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ଗୃହ ଭିତରେ ଏପରି ଦଂଶକାଦିର ଝାଙ୍କ ପଠାଇବା ଯେ, ତଦ୍ଦ୍ୱାରା ମିସ୍ରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ।
22 ପୁଣି ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶଭିନ୍ନ କରିବା; ସେଠାରେ ଦଂଶକାଦିର ଝାଙ୍କ ହେବ ନାହିଁ।
23 ଆମ୍ଭେ ଆପଣା ଲୋକମାନଙ୍କ ଓ ତୁମ୍ଭ ଲୋକମାନଙ୍କ ମଧ୍ୟରେ ବିଶେଷ କରିବାନ୍ତ କାଲି ଏହି ଚିହ୍ନ ହେବ।
24 ଅନନ୍ତର ସଦାପ୍ରଭୁ ସେହି ପ୍ରକାର କଲେନ୍ତ ତହିଁରେ ଫାରୋଙ୍କର ଓ ତାଙ୍କ ଦାସମାନଙ୍କ ଗୃହରେ ଦଂଶକାଦିର ବୃହତ୍ ଝାଙ୍କ ଉପସ୍ଥିତ ହେଲାନ୍ତ ପୁଣି ସମୁଦାୟ ମିସର ଦେଶ ଦଂଶକାଦି ହେତୁରୁ ନଷ୍ଟ ହେଲା।
25 ସେତେବେଳେ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।
26 ତହିଁରେ ମୋଶା କହିଲେ, ତାହା କରିବା ଉପଯୁକ୍ତ ନୁହେଁ; କାରଣ ତାହା କଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମିସ୍ରୀୟମାନଙ୍କର ଘୃଣାଜନକ ବଳିଦାନ କରିବାକୁ ହେବନ୍ତ ଦେଖ, ମିସ୍ରୀୟମାନଙ୍କ ଚକ୍ଷୁଗୋଚରରେ ସେମାନଙ୍କର ଘୃଣାଜନକ ବଳିଦାନ କଲେ, ସେମାନେ କି ଆମ୍ଭମାନଙ୍କୁ ପଥର ପକାଇ ମାରିବେ ନାହିଁ?
27 ଏଣୁକରି ଆମ୍ଭେମାନେ ତିନି ଦିନର ବାଟ ପ୍ରାନ୍ତରକୁ ଯାଇ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱର ଯେଉଁ ଆଜ୍ଞା ଦେବେ, ତଦନୁସାରେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା।
28 ତହୁଁ ଫାରୋ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ଛାଡ଼ିଦେବା, ତୁମ୍ଭେମାନେ ପ୍ରାନ୍ତରକୁ ଯାଇ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର; ମାତ୍ର ବହୁ ଦୂରକୁ ଯାଅ ନାହିଁ, ପୁଣି ଆମ୍ଭ ନିମନ୍ତେ ପ୍ରାର୍ଥନା କର।
29 ଅନନ୍ତର ମୋଶା କହିଲେ, ଦେଖ, ମୁଁ ଆପଣଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରିବି, ତହିଁରେ ଆପଣଙ୍କର ଓ ଆପଣଙ୍କ ଦାସମାନଙ୍କ ଓ ଆପଣଙ୍କ ଲୋକମାନଙ୍କ ନିକଟରୁ କାଲି ସମସ୍ତ ଦଂଶକ-ଝାଙ୍କ ଦୂର ହୋଇଯିବେନ୍ତ ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲୋକମାନଙ୍କୁ ଛାଡ଼ିଦେବା ବିଷୟରେ ଫାରୋ ପୁନର୍ବାର ପ୍ରବଞ୍ଚନା କରିବେ ନାହିଁ।
30 ତହୁଁ ମୋଶା ଫାରୋଙ୍କ ନିକଟରୁ ବାହାରକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
31 ତହିଁରେ ସଦାପ୍ରଭୁ ମୋଶାଙ୍କ ପ୍ରାର୍ଥନାନୁସାରେ ଫାରୋଙ୍କଠାରୁ, ତାଙ୍କ ଦାସଗଣ ଓ ଲୋକ ସମସ୍ତଙ୍କଠାରୁ ସମସ୍ତ ଦଂଶକାଦି ଝାଙ୍କ ଦୂର କଲେ; ଗୋଟିଏ ଅବଶିଷ୍ଟ ରହିଲା ନାହିଁ।
32 ଏଥର ମଧ୍ୟ ଫାରୋ ଆପଣା ହୃଦୟ ଭାରୀ କଲେ ଓ ଲୋକମାନଙ୍କୁ ଛାଡ଼ି ଦେଲେ ନାହିଁ।