1 ଅନନ୍ତର ସେ ମୋତେ କହିଲେ, ହେ ମନୁଷ୍ୟ- ସନ୍ତାନ, ତୁମ୍ଭେ ଆପଣା ଚରଣରେ ଠିଆ ହୁଅ, ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା ।

2 ସେ କଥା କହିବା ବେଳେ ଆତ୍ମା ମୋ' ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ; ତହିଁରେ ଯେ ମୋ' ସଙ୍ଗେ କଥା କହିଲେ, ତାହାଙ୍କ ବାକ୍ୟ ମୁଁ ଶୁଣିଲି ।

3 ପୁଣି, ସେ ମୋତେ କହିଲେ,ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ହିଁ କରୁଅଛନ୍ତି ।

4 ସେହି ସନ୍ତାନମାନେ ନିର୍ଲଜ୍ଜମୁଖ ଓ କଠିନଚିତ୍ତ; ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି ।

5 ସେମାନେ ବିଦ୍ରୋହୀ-ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍‍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ ।

6 ହେ ମନୁଷ୍ୟ-ସନ୍ତାନ, ସତ୍ୟ, ସେମାନେ ତୁମ୍ଭ ନିକଟରେ କାନକୋଳି ଓ କଣ୍ଟକ ତୁଲ୍ୟ ଅଟନ୍ତି ଓ ତୁମ୍ଭେ କଙ୍କଡ଼ାବିଛାମାନଙ୍କ ମଧ୍ୟରେ ବାସ କରୁଅଛ, ତଥାପି ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ କଥାରେ ଭୀତ ହୁଅ ନାହିଁ; ସେମାନେ ବିଦ୍ରୋହୀ-ବଂଶ ହେଲେ ହେଁ ତୁମ୍ଭେ ସେମାନଙ୍କ କଥାରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍‍ବିଗ୍ନ ହୁଅ ନାହିଁ ।

7 ସେମାନେ ଅତ୍ୟନ୍ତ ବିଦ୍ରୋହୀ, ଏହେତୁ ସେମାନେ ଶୁଣନ୍ତୁ, ଅବା ନ ଶୁଣନ୍ତୁ, ତୁମ୍ଭେ ସେମାନଙ୍କୁ ଆମ୍ଭର ବାକ୍ୟସବୁ କୁହ ।

8 ମାତ୍ର ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା କହୁ, ତାହା ତୁମ୍ଭେ ଶୁଣ; ତୁମ୍ଭେ ସେହି ବିଦ୍ରୋହୀ-ବଂଶ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ ଆପଣା ମୁଖ ଫିଟାଅ, ଆମ୍ଭେ ତୁମ୍ଭକୁ ଯାହା ଦେଉ, ତାହା ଭୋଜନ କର ।

9 ତହିଁରେ ମୁଁ ଅନାନ୍ତେ, ଦେଖ, ଖଣ୍ଡେ ହସ୍ତ ମୋ' ଆଡ଼େ ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକଖଣ୍ଡ ନଳାକାର ପୁସ୍ତକ ଥିଲା ;

10 ଆଉ, ସେ ମୋ' ସମ୍ମୁଖରେ ତାହା ପ୍ରସାର କଲେ; ପୁଣି, ତାହା ଭିତରେ ବାହାରେ ଲେଖା ହୋଇଥିଲା; ଆଉ, ତହିଁ ମଧ୍ୟରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା ।