1 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ' ନିକଟରେ ଉପସ୍ଥିତ ହେଲା, ଯଥା,

2 ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସୋର ବିଷୟରେ ବିଳାପ କର;

3 ଆଉ, ସୋରକୁ କୁହ, ହେ ସମୁଦ୍ରର ପ୍ରବେଶ-ସ୍ଥାନନି ବାସିନୀ; ଅନେକ ଦ୍ୱୀପରେ ଗୋଷ୍ଠୀଗଣର ବାଣିଜ୍ୟକାରିଣୀ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ହେ ସୋର, ତୁମ୍ଭେ କହିଅଛ, ମୁଁ ପରମ ସୁନ୍ଦରୀ,

4 ସମୁଦ୍ରଗଣର ମଧ୍ୟସ୍ଥଳରେ ତୁମ୍ଭର ସୀମା, ତୁମ୍ଭର ନିର୍ମାଣକାରୀମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି ।

5 ସେମାନେ ସେନୀରୀୟ ଦେବଦାରୁ କାଷ୍ଠରେ ତୁମ୍ଭର ତକ୍ତାସବୁ ପ୍ରସ୍ତୁତ କରିଅଛନ୍ତି, ସେମାନେ ତୁମ୍ଭର ମାସ୍ତୁଲ ପ୍ରସ୍ତୁତ କରିବା ପାଇଁ ଲିବାନୋନରୁ ଏରସ କାଷ୍ଠ ନେଇଅଛନ୍ତି ।

6 ବାଶନର ଅଲୋନ କାଷ୍ଠରେ ସେମାନେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି; ସେମାନେ କିତ୍ତୀମ ଦ୍ୱୀପରୁ ଆନୀତ ତାଶୂର କାଷ୍ଠରେ ଖଚିତ ହସ୍ତୀ ଦନ୍ତ ଦ୍ୱାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି ।

7 ତୁମ୍ଭର ଧ୍ୱଜା ହେବା ପାଇଁ ମିସର ଦେଶରୁ ଆନୀତ ସୂଚୀକର୍ମରେ ଚିତ୍ରିତ ଶୁଭ୍ର କ୍ଷୌମବସ୍ତ୍ରରେ ତୁମ୍ଭର ପାଲ ପ୍ରସ୍ତୁତ ହୋଇଥିଲା; ତୁମ୍ଭର ଚାନ୍ଦୁଆ ଇଲୀଶା ଦ୍ୱୀପ-ସମୂହର ନୀଳ ଓ ଧୂମ୍ର ବର୍ଣ୍ଣ ବସ୍ତ୍ରରେ ପ୍ରସ୍ତୁତ ହୋଇଥିଲା ।

8 ସୀଦୋନ ଓ ଅର୍ବଦ ନିବାସୀମାନେ ତୁମ୍ଭର ଆହୁଲା ମାରିବାର ଲୋକ ଥିଲେ; ହେ ସୋର, ତୁମ୍ଭର ଜ୍ଞାନୀଲୋକ ତୁମ୍ଭ ମଧ୍ୟରେ ଥିଲେ, ସେମାନେ ତୁମ୍ଭର କର୍ଣ୍ଣଧାର ହୋଇଥିଲେ ।

9 ତୁମ୍ଭର ମଧ୍ୟବର୍ତ୍ତୀ ଗବାଲର ପ୍ରାଚୀନବର୍ଗ ଓ ତହିଁର ଜ୍ଞାନୀମାନେ ତୁମ୍ଭର ନୌକା ବଟାଳିବା ଲୋକ ହୋଇଥିଲେ; ସମୁଦ୍ରର ଯାବତୀୟ ଜାହାଜ ଓ ସେମାନଙ୍କର ନାବିକଗଣ ବାଣିଜ୍ୟ ଦ୍ରବ୍ୟ ଧରିବା ନିମନ୍ତେ ତୁମ୍ଭ ମଧ୍ୟରେ ଥିଲେ ।

10 ପାରସ୍ୟ, ଲୁଦ୍‍ ଓ ପୁଟ ଦେଶୀୟମାନେ ତୁମ୍ଭ ସୈନ୍ୟସାମନ୍ତ ମଧ୍ୟରେ ତୁମ୍ଭର ଯୋଦ୍ଧା ଥିଲେନ୍ତ ସେମାନେ ତୁମ୍ଭ ମଧ୍ୟରେ ଢାଲ ଓ ଟୋପର ଟଙ୍ଗାଇ ରଖିଲେ; ସେମାନେ ତୁମ୍ଭର ଶୋଭା ପ୍ରକାଶ କଲେ ।

11 ଅର୍ବଦର ଲୋକମାନେ ତୁମ୍ଭ ସୈନ୍ୟସାମନ୍ତ ସଙ୍ଗରେ ତୁମ୍ଭ ପ୍ରାଚୀରର ଉପରେ ଚତୁର୍ଦ୍ଦିଗରେ ଥିଲେ ଓ ଯୁଦ୍ଧବୀରମାନେ ତୁମ୍ଭର ସବୁ ଗଡ଼ ଉପରେ ଥିଲେନ୍ତ ସେମାନେ ତୁମ୍ଭ ପ୍ରାଚୀର ଉପରେ ଚତୁର୍ଦ୍ଦିଗରେ ଆପଣା ଆପଣା ଢାଲ ଟଙ୍ଗାଇଲେ; ସେମାନେ ତୁମ୍ଭର ସୌନ୍ଦର୍ଯ୍ୟ ସିଦ୍ଧ କରିଅଛନ୍ତି ।

12 ସବୁ ପ୍ରକାର ଧନର ବାହୁଲ୍ୟ ହେତୁରୁ ତର୍ଶୀଶ୍‍ ତୁମ୍ଭର ବଣିକ ଥିଲା, ସେମାନେ ରୂପା, ଲୁହା, ଦସ୍ତା ଓ ସୀସା ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

13 ଯବନ, ତୁବଲ ଓ ମେଷକ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମନୁଷ୍ୟ ଓ ପିତ୍ତଳର ପାତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

14 ତୋଗର୍ମ ବଂଶୀୟ ଲୋକମାନେ ଅଶ୍ୱ, ଯୁଦ୍ଧାଶ୍ୱ ଓ ଖଚର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

15 ଦଦାନର ଲୋକମାନେ ତୁମ୍ଭର ବ୍ୟବସାୟୀ ଥିଲେ; ଅନେକ ଦ୍ୱୀପ ତୁମ୍ଭର ହସ୍ତଗତ ଗଞ୍ଜ ଥିଲା, ସେମାନେ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବଦଳେ ହସ୍ତୀଦନ୍ତର ଶୃଙ୍ଗ ଓ ଅବଲୁସ୍‍ କାଷ୍ଠ ଆଣିଲେ ।

16 ତୁମ୍ଭ ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ହେତୁ ଅରାମ ତୁମ୍ଭର ବଣିକ ଥିଲା; ସେମାନେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗମଣି ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

17 ଯିହୁଦା ଓ ଇସ୍ରାଏଲ ଦେଶ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ମିନ୍ନୀତର ଗହମ ଓ ମିଷ୍ଟାନ୍ନ, ମଧୁ, ତୈଳ ଓ ଗୁଗ୍‍ଗୁଳ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

18 ସର୍ବପ୍ରକାର ଧନର ବାହୁଲ୍ୟକ୍ରମେ, ତୁମ୍ଭର ହସ୍ତନିର୍ମିତ ଦ୍ରବ୍ୟର ବାହୁଲ୍ୟ ହେତୁରୁ ଦାମାସ୍‍କସ୍‍ ତୁମ୍ଭର ବଣିକ ଥିଲା, ସେମାନେ ହିଲ୍‍ବୋନର ଦ୍ରାକ୍ଷାରସ ଓ ଶୁଭ୍ର ମେଷଲୋମ ଦେଲେ ।

19 ବଦାନ ଓ ଯବନ ଲୋମନିର୍ମିତ ସୂତ୍ର ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ; ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ କାନ୍ତଲୌହ, ଗୁଡ଼ତ୍ୱକ୍‍ ଓ ସୁଗନ୍ଧି ବଚ ଥିଲା ।

20 ଦଦାନ ବାହନର ଉପଯୋଗୀ ବହୁମୂଲ୍ୟ ବସ୍ତ୍ରାଦିରେ ତୁମ୍ଭର ବ୍ୟବସାୟୀ ଥିଲା ।

21 ଆରବ ଓ କେଦରର ଅଧିପତି ସମସ୍ତେ ତୁମ୍ଭର ହସ୍ତଗତ ବଣିକ ଥିଲେ; ମେଷଶାବକ, ମେଷ ଓ ଛାଗ, ଏସକଳ ବିଷୟରେ ସେମାନେ ତୁମ୍ଭର ବଣିକ ଥିଲେ ।

22 ଶିବାର ଓ ରୟମାର ବ୍ୟବସାୟୀମାନେ ତୁମ୍ଭର ବ୍ୟବସାୟୀ ଥିଲେ; ସେମାନେ ସର୍ବପ୍ରକାର ଶ୍ରେଷ୍ଠ ଗନ୍ଧଦ୍ରବ୍ୟ ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର, ଆଉ ସୁବର୍ଣ୍ଣ ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ ।

23 ହାରଣ ଓ କନ୍ନୀ ଓ ଏଦନ୍‍, ଶିବାର ଏହି ବ୍ୟବସାୟୀମାନେ, ପୁଣି ଅଶୂର ଓ କିଲ୍ମଦ୍‍ ତୁମ୍ଭର ବ୍ୟବସାୟୀ ଥିଲେ ।

24 ଏମାନେ ବାଣିଜ୍ୟ ଦ୍ରବ୍ୟ ମଧ୍ୟରେ ଉତ୍କୃଷ୍ଟ ନାନା ଦ୍ରବ୍ୟ, ନୀଳବର୍ଣ୍ଣ ଓ ବୁଟାଦାର ଆବରଣୀୟ ବସ୍ତ୍ର ଓ ବହୁମୂଲ୍ୟ ବସ୍ତ୍ର, ରଜ୍ଜୁରେ ବନ୍ଧା ଏରସ କାଷ୍ଠନିର୍ମିତ ସିନ୍ଦୁକରେ ତୁମ୍ଭର ବ୍ୟବସାୟୀ ଥିଲେ ।

25 ତର୍ଶୀଶର ଜାହାଜସକଳ ତୁମ୍ଭର ବ୍ୟବସାୟକାରୀ ପଥିକ ସ୍ୱରୂପ ଥିଲେ; ପୁଣି, ତୁମ୍ଭେ ପରିପୂର୍ଣ୍ଣା ଓ ସମୁଦ୍ରର ମଧ୍ୟସ୍ଥଳରେ ଅତିଶୟ ପ୍ରତାପାନ୍ୱିତା ଥିଲ ।

26 ତୁମ୍ଭର ନାବିକମାନେ ତୁମ୍ଭକୁ ଗଭୀର ଜଳ ମଧ୍ୟକୁ ଆଣିଅଛନ୍ତି; ପୂର୍ବୀୟ ବାୟୁ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ତୁମ୍ଭକୁ ଭାଙ୍ଗି ପକାଇଅଛି ।

27 ତୁମ୍ଭର ଧନ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ, ତୁମ୍ଭର ବାଣିଜ୍ୟ, ତୁମ୍ଭର ନାବିକଗଣ ଓ ତୁମ୍ଭର କର୍ଣ୍ଣଧାରମାନେ, ତୁମ୍ଭର ଛିଦ୍ର ବଟାଳିବା ଲୋକମାନେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଧରିବା ଲୋକମାନେ, ଆଉ ତୁମ୍ଭର ମଧ୍ୟବର୍ତ୍ତୀ ଯୋଦ୍ଧା ସମସ୍ତେ ତୁମ୍ଭର ମଧ୍ୟବର୍ତ୍ତୀ ସମସ୍ତ ସମାଜ ସହିତ ତୁମ୍ଭର ପତନ ଦିନ ସମୁଦ୍ରମାନଙ୍କ ମଧ୍ୟସ୍ଥଳରେ ପତିତ ହେବେ ।

28 ତୁମ୍ଭ କର୍ଣ୍ଣଧାରଗଣର କ୍ରନ୍ଦନ ଶବ୍ଦରେ ଉପନଗରସମୂହ କମ୍ପିତ ହେବେ ।

29 ପୁଣି, ଆହୁଲା ଧରିବା ସମସ୍ତ ଲୋକ, ନାବିକମାନେ ଓ ସମୁଦ୍ରସ୍ଥ କର୍ଣ୍ଣଧାର ସମସ୍ତେ ଆପଣା ଆପଣା ଜାହାଜରୁ ଓହ୍ଳାଇ ଆସି ସ୍ଥଳରେ ଠିଆ ହେବେ,

30 ପୁଣି ତୁମ୍ଭ ଉଦ୍ଦେଶ୍ୟରେ ଆପଣାମାନଙ୍କ ଶବ୍ଦ ଶୁଣାଇ ଅତିଶୟ କ୍ରନ୍ଦନ କରିବେ ଓ ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ;

31 ଆଉ, ସେମାନେ ତୁମ୍ଭ ସକାଶୁ ମସ୍ତକ ମୁଣ୍ଡନ କରି କଟୀଦେଶରେ ଚଟ ବାନ୍ଧିବେ, ଆଉ ତୁମ୍ଭ ସକାଶୁ ପ୍ରାଣର ବିକଳତାରେ ରୋଦନ କରି ଅତିଶୟ ବିଳାପ କରିବେ ।

32 ପୁଣି, ସେମାନେ ଆପଣାମାନଙ୍କର ଶୋକ ସମୟରେ ତୁମ୍ଭ ଉଦ୍ଦେଶ୍ୟରେ ବିଳାପ କରି ତୁମ୍ଭ ବିଷୟରେ ଏହି କଥା କହି ବିଳାପ କରିବେ, ସୋର ପରି, ଯେ ସମୁଦ୍ର ମଧ୍ୟ ସ୍ଥାନରେ ନିସ୍ତବ୍‍ଧା ହେଲା, ତାହା ପରି କିଏ ଅଛି ?

33 ଯେତେବେଳେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟସବୁ ସମୁଦ୍ରମାନଙ୍କ ମଧ୍ୟରୁ ବାହାରି ଗଲା, ସେତେବେଳେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ପରିପୂର୍ଣ୍ଣ କଲନ୍ତ ତୁମ୍ଭେ ଆପଣା ଧନ ଓ ବାଣିଜ୍ୟ ଦ୍ରବ୍ୟର ବାହୁଲ୍ୟରେ ପୃଥିବୀର ରାଜଗଣକୁ ଧନୀ କଲ ।

34 ତୁମ୍ଭେ ସମୁଦ୍ର ଦ୍ୱାରା ଗଭୀର ଜଳରାଶିରେ ଭଗ୍ନ ହେବା ସମୟରେ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ଓ ତୁମ୍ଭର ସମସ୍ତ ସମାଜ ତୁମ୍ଭ ମଧ୍ୟରେ ପତିତ ହେଲେ ।

35 ଦ୍ୱୀପସମୂହର ନିବାସୀ ସମସ୍ତେ ତୁମ୍ଭ ବିଷୟରେ ବିସ୍ମିତ ହୋଇଅଛନ୍ତି ଓ ସେମାନଙ୍କର ରାଜଗଣ ଅତ୍ୟନ୍ତ ଭୀତ ହୋଇଅଛନ୍ତି ଓ ସେମାନଙ୍କର ବଦନ ବିଷର୍ଣ୍ଣ ହୋଇଅଛି ।

36 ଗୋଷ୍ଠୀଗଣର ମଧ୍ୟବର୍ତ୍ତୀ ବଣିକମାନେ ତୁମ୍ଭ ଉଦ୍ଦେଶ୍ୟରେ ସୀଷ୍‍ ଶବ୍ଦ କରନ୍ତିନ୍ତ ତୁମ୍ଭେ ଭୟଙ୍କର ହୋଇଅଛ, ପୁଣି ତୁମ୍ଭେ ଆଉ କେବେ ସ୍ଥାପିତ ହେବ ନାହିଁ ।