1 ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋ' ନିକଟରେ ଉପସ୍ଥିତ ହେଲା, ଯଥା,

2 ହେ ମନୁଷ୍ୟସନ୍ତାନ, ତୁମ୍ଭେ ସେୟୀର ପର୍ବତ ବିରୁଦ୍ଧରେ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ତାହାକୁ କୁହ,

3 ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତିନ୍ତ ହେ ସେୟୀର ପର୍ବତ, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ ତୁମ୍ଭକୁ ଧ୍ୱଂସସ୍ଥାନ ଓ ବିସ୍ମୟର ବିଷୟ କରିବା ।

4 ଆମ୍ଭେ ତୁମ୍ଭର ନଗରସବୁ ଶୂନ୍ୟ କରିବା ଓ ତୁମ୍ଭେ ଧ୍ୱଂସସ୍ଥାନ ହେବ, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ ।

5 ତୁମ୍ଭର ଚିରକାଳ ଶତ୍ରୁତାଭାବ ଅଛି ଓ ତୁମ୍ଭେ ଇସ୍ରାଏଲସନ୍ତାନଗଣର ବିପଦ ସମୟରେ, ଅର୍ଥାତ୍‍, ସେମାନଙ୍କର ଶେଷ ଅଧର୍ମର ସମୟରେ ଖଡ଼୍‍ଗର ପରାକ୍ରମରେ ସେମାନଙ୍କୁ ସମର୍ପଣ କରିଅଛ;

6 ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବା ଓ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ; ତୁମ୍ଭେ ରକ୍ତ ଘୃଣା କରି ନାହଁ, ଏଥିପାଇଁ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ ।

7 ଏହି ପ୍ରକାର ଆମ୍ଭେ ସେୟୀର ପର୍ବତକୁ ବିସ୍ମୟର ବିଷୟ ଓ ଧ୍ୱଂସସ୍ଥାନ କରିବା ଓ ଆମ୍ଭେ ତହିଁ ମଧ୍ୟ ଦେଇ ଗମନକାରୀକୁ ଓ ଫେରିବା ଲୋକକୁ ଉଚ୍ଛିନ୍ନ କରିବା ।

8 ପୁଣି, ଆମ୍ଭେ ତାହାର ହତ ଲୋକରେ ତାହାର ପର୍ବତଗଣକୁ ପୂର୍ଣ୍ଣ କରିବା; ତୁମ୍ଭର ଉପପର୍ବତରେ ଓ ଉପତ୍ୟକାରେ ଓ ଜଳପ୍ରବାହ ସକଳରେ ଖଡ଼୍‍ଗ ଦ୍ୱାରା ହତ ଲୋକମାନେ ପତିତ ହେବେ ।

9 ଆମ୍ଭେ ତୁମ୍ଭକୁ ସଦାକାଳ ଧ୍ୱଂସସ୍ଥାନ କରିବା ଓ ତୁମ୍ଭର ନଗରସକଳ ନିବାସୀହୀନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ ।

10 ସେସ୍ଥାନରେ ସଦାପ୍ରଭୁ ଥିଲେ ହେଁ ତୁମ୍ଭେ କହିଅଛ, ଏହି ଦୁଇ ଗୋଷ୍ଠୀ ଓ ଏହି ଦୁଇ ଦେଶ ମୋର ହେବ ଓ ଆମ୍ଭେମାନେ ତାହା ଅଧିକାର କରିବା;

11 ଏହେତୁ ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଆପଣା ଘୃଣାଭାବ ହେତୁରୁ ସେମାନଙ୍କ ପ୍ରତି ଯେପରି କରିଅଛ, ଆମ୍ଭେ ତୁମ୍ଭର ସେହି କ୍ରୋଧ ଓ ସେହି ଈର୍ଷାନୁସାରେ ତୁମ୍ଭ ପ୍ରତି କର୍ମ କରିବା ଓ ଆମ୍ଭେ ଯେତେବେଳେ ତୁମ୍ଭର ବିଚାର କରିବା, ସେତେବେଳେ ସେମାନଙ୍କ ମଧ୍ୟରେ ଆପଣାର ପରିଚୟ ଦେବା ।

12 ଆଉ, ତୁମ୍ଭେ ଇସ୍ରାଏଲର ପର୍ବତଗଣ ବିରୁଦ୍ଧରେ ଯେଉଁ ସକଳ ନିନ୍ଦାର କଥା କହିଅଛ, ଅର୍ଥାତ୍‍, ସେସବୁ ଧ୍ୱଂସସ୍ଥାନ ଓ ସେସବୁ ଗ୍ରାସାର୍ଥେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି ବୋଲି କହିଅଛ, ତାହା ଆମ୍ଭେ ସଦାପ୍ରଭୁ ଯେ ଶୁଣିଅଛୁ, ଏହା ତୁମ୍ଭେ ଜାଣିବ ।

13 ପୁଣି, ତୁମ୍ଭେମାନେ ଆପଣା ମୁଖରେ ଆମ୍ଭ ବିରୁଦ୍ଧରେ ଆପଣାମାନଙ୍କୁ ବଡ଼ କରିଅଛ ଓ ଆମ୍ଭ ବିରୁଦ୍ଧରେ କଥା ବଢ଼ାଇଅଛ; ଆମ୍ଭେ ତାହା ଶୁଣିଅଛୁ ।

14 ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ସମୁଦାୟ ପୃଥିବୀର ଆନନ୍ଦ କାଳରେ ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା ।

15 ଇସ୍ରାଏଲ-ବଂଶର ଅଧିକାର ଧ୍ୱଂସ ହେବାରୁ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ସେପରି ଆମ୍ଭେ ତୁମ୍ଭ ପ୍ରତି କରିବା; ହେ ସେୟୀର ପର୍ବତ, ହେ ସମୁଦାୟ ଇଦୋମ, ତୁମ୍ଭେ ଧ୍ୱଂସ ହେବ, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ; ଏହା ଲୋକମାନେ ଜାଣିବେ ।