1 ଏଥି ଉତ୍ତାରେ ହାଗୟ ଭବିଷ୍ୟଦ୍‍ବକ୍ତା ଓ ଇଦ୍ଦୋର ପୁତ୍ର ଜିଖରୀୟ, ଏହି ଭବିଷ୍ୟଦ୍‍ବକ୍ତାମାନେ ଯିହୁଦା ଓ ଯିରୂଶାଲମସ୍ଥିତ ଯିହୁଦୀୟମାନଙ୍କ ନିକଟରେ ଭବିଷ୍ୟଦ୍‍- ବାକ୍ୟ ପ୍ରଚାର କଲେ; ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।

2 ତହିଁରେ ଶଲ୍‍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୂଶାଲମରେ ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବାକୁ ଲାଗିଲେ; ଆଉ, ପରମେଶ୍ୱରଙ୍କ ଭବିଷ୍ୟଦ୍‍ବକ୍ତାମାନେ ସେମାନଙ୍କ ସଙ୍ଗେ ଥାଇ ସେମାନଙ୍କର ସାହାଯ୍ୟ କଲେ।

3 ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର-ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଚାରିଲେ, ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା ?

4 ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ; ସେମାନେ ପଚାରିଲେ, ଏହି ଗାନ୍ଥକମାନଙ୍କ ନାମ କଅଣ ?

5 ମାତ୍ର ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରୀୟାବସ ନିକଟରେ ଏହି କଥା ଉପସ୍ଥିତ ନୋହିବା ଓ ପତ୍ର ଦ୍ୱାରା ସେହି ବିଷୟର ଉତ୍ତର ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ ନିବୃତ୍ତ କଲେ ନାହିଁ।

6 ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥରବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସଖୀୟମାନଙ୍କର ଦାରୀୟାବସ ରାଜା ନିକଟକୁ ପ୍ରେରିତ ପତ୍ରର ଅନୁଲିପି;

7 ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ, ତହିଁରେ ଏରୂପ ଲେଖା ଥିଲା; ମହାରାଜ ଦାରୀୟାବସଙ୍କର ସର୍ବମଙ୍ଗଳ।

8 ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ଗୃହକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି, ଆଉ ଏହି କାର୍ଯ୍ୟ ଯନିରେ ହେଉଅଛି ଓ ସେମାନଙ୍କ ହସ୍ତରେ ସଫଳ ହେଉଅଛି।

9 ତେବେ ଆମ୍ଭେମାନେ ସେହି ପ୍ରାଚୀନବର୍ଗଙ୍କୁ ପଚାରି ଏହିପରି କହିଲୁ, ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା ?

10 ମଧ୍ୟ ଆମ୍ଭେମାନେ ଆପଣଙ୍କ ଗୋଚରାର୍ଥେ ସେମାନଙ୍କ ପ୍ରଧାନବର୍ଗଙ୍କର ନାମ ଲେଖି ନେବାକୁ ସେମାନଙ୍କ ନାମ ପଚାରିଲୁ।

11 ତହୁଁ ସେମାନେ ଆମ୍ଭମାନଙ୍କୁ ଏହି ଉତ୍ତର ଦେଲେ, ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ପୁଣି ଏହି ଯେଉଁ ଗୃହ ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା, ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ।

12 ମାତ୍ର ଆମ୍ଭମାନଙ୍କ ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କୋପାନ୍ୱିତ କଲା ଉତ୍ତାରେ ସେ ସେମାନଙ୍କୁ ବାବିଲର ରାଜା କଲଦୀୟ ନବୁଖଦ୍‍ନିତ୍ସର ହସ୍ତରେ ସମର୍ପଣ କରନ୍ତେ, ସେ ଏହି ଗୃହ ବିନାଶ କରି ଲୋକମାନଙ୍କୁ ବାବିଲକୁ ନେଇଗଲା।

13 ମାତ୍ର ବାବିଲର ରାଜା କୋରସ୍‍ଙ୍କ ଅଧିକାରର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବା ପାଇଁ କୋରସ୍‍ ରାଜା ଆଜ୍ଞା କଲେ।

14 ଆହୁରି, ନବୁଖଦ୍‍ନିତ୍ସର ପରମେଶ୍ୱରଙ୍କ ଗୃହର ଯେସକଳ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଥିଲା, ତାହାସବୁ କୋରସ୍‍ ରାଜା ବାବିଲସ୍ଥ ମନ୍ଦିରରୁ ବାହାର କରି ଦେଲେ, ପୁଣି ତାହାସବୁ ଶେଶବସର ନାମକ ତାଙ୍କ ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ ହେଲା;

15 ଆଉ, ସେ ତାହାକୁ କହିଲେ, ଏହିସବୁ ପାତ୍ର ନେଇଯାଇ ଯିରୂଶାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ଗୃହ ସ୍ୱସ୍ଥାନରେ ନିର୍ମିତ ହେଉ।

16 ତହିଁରେ ସେହି ଶେଶବସର ଆସି ଯିରୂଶାଲମରେ ପରମେଶ୍ୱରଙ୍କ ଗୃହର ଭିତ୍ତିମୂଳ ସ୍ଥାପନ କଲା; ଆଉ, ସେହି ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି, ତଥାପି ତାହା ସମ୍ପୂର୍ଣ୍ଣ ହୋଇନାହିଁ।

17 ଏହେତୁ ଯେବେ ମହାରାଜଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ୍‍ ରାଜା ଯିରୂଶାଲମରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ, ତାହା ବାବିଲସ୍ଥ ମହାରାଜଙ୍କ ଭଣ୍ଡାର-ଗୃହରେ ଅନୁସନ୍ଧାନ କରାଯାଉ, ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ।