1 ଅନନ୍ତର ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ ଆଜ୍ଞା ଦେଲେ, ଏହି ଲୋକମାନଙ୍କ ପଟରେ ଯେତେ ଶସ୍ୟ ଧରଇ, ସେତେ ପରିପୂର୍ଣ୍ଣ କରି ଦିଅ, ପୁଣି ପ୍ରତ୍ୟେକର ଟଙ୍କା ପ୍ରତ୍ୟେକର ପଟ ମୁଖରେ ରଖ।
2 ଆଉ କନିଷ୍ଠ ପଟରେ ତାହାର ଶସ୍ୟ କିଣିବା ଟଙ୍କା ସଙ୍ଗେ ଆମ୍ଭ ତାଟିଆ, ସେ ରୂପା ତାଟିଆ ରଖ। ତହିଁରେ ସେ ଯୋଷେଫଙ୍କ କଥାନୁସାରେ କଲା।
3 ଆଉ ପ୍ରଭାତ ହେବା ମାତ୍ରେ, ସେମାନେ ଗର୍ଦ୍ଦଭ ସହିତ ବିଦାୟ ପାଇଲେ।
4 ପୁଣି ନଗରରୁ ବାହାରି ବହୁତ ଦୂର ନ ଯାଉଣୁ, ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ କହିଲେ, ତୁମ୍ଭେ ଉଠି ସେହି ମନୁଷ୍ୟମାନଙ୍କ ପଛେ ପଛେ ଦୌଡ଼ି ଯାଇ ସେମାନଙ୍କ ସଙ୍ଗ ଧରି କୁହ, ତୁମ୍ଭେମାନେ ଉପକାର ବଦଳେ କାହିଁକି ଅପକାର କଲ ?
5 ଆମ୍ଭ ପ୍ରଭୁ ଯହିଁରେ ପାନ କରନ୍ତି ଓ ଯଦ୍ଦ୍ୱାରା ଗଣକତା କରନ୍ତି, ସେହି ତାଟିଆ କି ଏ ନୁହେଁ ? ଏପରି କର୍ମ ଦ୍ୱାରା ତୁମ୍ଭେମାନେ ଦୋଷ କରିଅଛ।
6 ଅନନ୍ତର ସେ ସେମାନଙ୍କ ସଙ୍ଗ ଧରି ଏହି ସବୁ କଥା କହିଲା।
7 ତହିଁରେ ସେମାନେ କହିଲେ, ଆମ୍ଭର ପ୍ରଭୁ କାହିଁକି ଏପରି କଥା କହନ୍ତି ? ଆପଣଙ୍କ ଦାସମାନଙ୍କର ଏପରି କର୍ମ କରିବା ଦୂରେ ଥାଉ।
8 ଦେଖନ୍ତୁ, ଆପଣା ଆପଣା ପଟ ମୁଖରୁ ଆର ଥର ଯେଉଁ ଟଙ୍କା ପାଇଥିଲୁ; ତାହା ଆମ୍ଭେମାନେ କିଣାନ ଦେଶରୁ ପୁନର୍ବାର ଆପଣଙ୍କ ନିକଟକୁ ଆଣିଲୁ; ତେବେ କିରୂପେ ଆପଣଙ୍କ ପ୍ରଭୁଙ୍କ ଗୃହରୁ ରୂପା କି ସୁନା ଚୋରି କରିବୁ ?
9 ଆପଣଙ୍କ ଦାସମାନଙ୍କ ମଧ୍ୟରେ ଯାହାଠାରୁ ତାହା ମିଳେ, ସେ ମରୁ, ପୁଣି ଆମ୍ଭେମାନେ ମଧ୍ୟ ପ୍ରଭୁଙ୍କର ଦାସ ହେବୁ।
10 ତହିଁରେ ସେ କହିଲା, ଭଲ, ତୁମ୍ଭମାନଙ୍କ କଥାନୁସାରେ ହେଉ; ଯାହା ପାଖରୁ ତାହା ମିଳିବ, ସେ ଆମ୍ଭର ଦାସ ହେବ, ମାତ୍ର ଅନ୍ୟମାନେ ନିର୍ଦ୍ଦୋଷ ହେବେ।
11 ତହୁଁ ସେମାନେ ସେହିକ୍ଷଣି ଭୂମିରେ ଆପଣା ଆପଣା ପଟ ଉତ୍ତାରି ପ୍ରତ୍ୟେକେ ଆପଣା ଆପଣା ପଟ ଫିଟାଇବାକୁ ଲାଗିଲେ।
12 ସେ ଗୃହାଧ୍ୟକ୍ଷ ଜ୍ୟେଷ୍ଠଠାରୁ ଆରମ୍ଭ କରି କନିଷ୍ଠ ପର୍ଯ୍ୟନ୍ତ ଖୋଜି ଗଲା; ଆଉ ବିନ୍ୟାମିନର ପଟରୁ ସେହି ତାଟିଆ ମିଳିଲା।
13 ସେତେବେଳେ ସେମାନେ ଆପଣା ଆପଣା ବସ୍ତ୍ର ଚିରିଲେ, ଆଉ ପ୍ରତ୍ୟେକେ ଗଧ ବୋଝାଇ କରି ନଗରକୁ ଫେରି ଗଲେ।
14 ଆଉ ଯିହୁଦା ଓ ତାହାର ଭ୍ରାତୃଗଣ ଯୋଷେଫଙ୍କ ଗୃହରେ ପ୍ରବେଶ କଲେ; ଯୋଷେଫ ସେ ସମୟ ପର୍ଯ୍ୟନ୍ତ ସେଠାରେ ଥିଲେ; ଏଣୁ ସେମାନେ ତାଙ୍କ ସାକ୍ଷାତରେ ଭୂମିରେ ପଡ଼ିଲେ।
15 ତେବେ ଯୋଷେଫ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏ କିପରି କାର୍ଯ୍ୟ କଲ ? ଆମ୍ଭ ପରା ଲୋକ ଯେ ଅବଶ୍ୟ ଗଣକତା କରି ପାରିବ, ଏହା କି ତୁମ୍ଭେମାନେ ଜାଣ ନାହିଁ ?
16 ତହିଁରେ ଯିହୁଦା କହିଲା, ଆମ୍ଭେମାନେ ପ୍ରଭୁଙ୍କ ଛାମୁରେ ଆଉ କି ଉତ୍ତର ଦେବୁ ? ଆଉ କି କଥା କହିବୁ ? ଅବା କିରୂପେ ଆପଣାମାନଙ୍କୁ ନିର୍ଦ୍ଦୋଷ କରିବୁ ? ପରମେଶ୍ୱର ଆପଣଙ୍କ ଦାସମାନଙ୍କର ଅପରାଧ ପ୍ରକାଶ କରିଅଛନ୍ତି; ଦେଖନ୍ତୁ, ଆମ୍ଭେମାନେ ଓ ଯାହାଠାରୁ ତାଟିଆ ମିଳିଅଛି ସେ, ସମସ୍ତେ ହିଁ ପ୍ରଭୁଙ୍କର ଦାସ ହେଲୁ।
17 ତହିଁରେ ଯୋଷେଫ କହିଲେ, ଏପରି କର୍ମ ଆମ୍ଭଠାରୁ ଦୂର ହେଉ; ଯାହାଠାରୁ ତାଟିଆ ମିଳିଅଛି, ସେ ଆମ୍ଭର ଦାସ ହେବ; ମାତ୍ର ତୁମ୍ଭେମାନେ କୁଶଳରେ ପିତାଙ୍କ ନିକଟକୁ ଚାଲି ଯାଅ।
18 ତହିଁରେ ଯିହୁଦା ନିକଟକୁ ଯାଇ କହିଲା, ପ୍ରଭୋ, ଆପଣଙ୍କ ଏହି ଦାସକୁ ପ୍ରଭୁଙ୍କ କର୍ଣ୍ଣଗୋଚରରେ ପଦେ ନିବେଦନ କରିବାକୁ ଅନୁମତି ଦେଉନ୍ତୁ ଓ ଆପଣା ଦାସ ପ୍ରତି ଆପଣଙ୍କ କ୍ରୋଧ ପ୍ରଜ୍ୱଳିତ ନ ହେଉ; କାରଣ ଆପଣ ଫାରୋଙ୍କ ତୁଲ୍ୟ ଅଟନ୍ତି।
19 ପ୍ରଭୁ ଆପଣା ଦାସମାନଙ୍କୁ ପଚାରିଥିଲେ, ତୁମ୍ଭମାନଙ୍କର ପିତା କିଅବା ଭାଇ ଅଛନ୍ତି କି ?
20 ତହିଁରେ ଆମ୍ଭେମାନେ ପ୍ରଭୁଙ୍କୁ ଉତ୍ତର ଦେଇଥିଲୁ, ଆମ୍ଭମାନଙ୍କ ପିତା ଅଛନ୍ତି, ସେ ବୃଦ୍ଧ ଲୋକ; ପୁଣି, ତାଙ୍କ ବୃଦ୍ଧାବସ୍ଥାର ଗୋଟିଏ ପୁତ୍ର ଅଛି, ସେହି ଜଣକ କନିଷ୍ଠ; ମାତ୍ର ତାହାର ସହୋଦର ମରିଅଛି, ସେହି କେବଳ ତାହାର ମାତାର ଅବଶିଷ୍ଟ ପୁତ୍ର; ଏଣୁ ତାହାର ପିତା ତାହାକୁ ସ୍ନେହ କରନ୍ତି।
21 ଏଥିରେ ଆପଣ ଏହି ଦାସମାନଙ୍କୁ କହିଥିଲେ, ତୁମ୍ଭେମାନେ ତାକୁ ଆମ୍ଭ କତିକି ଆଣ, ଆମ୍ଭେ ତାକୁ ସ୍ୱଚକ୍ଷୁରେ ଦେଖିବା।
22 ତେବେ ଆମ୍ଭେମାନେ ପ୍ରଭୁଙ୍କୁ କହିଥିଲୁ, ସେ ଯୁବା ପିତାଙ୍କୁ ଛାଡ଼ି ପାରିବ ନାହିଁ; ସେ ତାହାର ପିତାଙ୍କୁ ଛାଡ଼ି ଆସିଲେ, ପିତା ମରିଯିବେ।
23 ତହିଁରେ ଆପଣ ଏହି ଦାସମାନଙ୍କୁ କହିଲେ, ତୁମ୍ଭମାନଙ୍କ ସଙ୍ଗରେ କନିଷ୍ଠ ଭାଇ ନ ଆସିଲେ, ତୁମ୍ଭେମାନେ ଆଉ ଆମ୍ଭ ମୁଖ ଦେଖି ପାରିବ ନାହିଁ।
24 ଅନନ୍ତର ଆମ୍ଭେମାନେ ଆପଣଙ୍କ ଦାସ ଯେ ମୋ' ପିତା, ତାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ପ୍ରଭୁଙ୍କର ଏହି ସବୁ କଥା କହିଲୁ।
25 ଏଥିଉତ୍ତାରେ ଆମ୍ଭମାନଙ୍କ ପିତା କହିଲେ, ତୁମ୍ଭେମାନେ ପୁନର୍ବାର ଯାଇ ଆମ୍ଭମାନଙ୍କ ନିମନ୍ତେ କିଛି ଭକ୍ଷ୍ୟ କିଣି ଆଣ।
26 ତହିଁରେ ଆମ୍ଭେମାନେ କହିଲୁ, ଯାଇ ପାରିବୁ ନାହିଁ; ଯେବେ ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ଥିବ, ତେବେ ଯାଇ ପାରିବୁ; କାରଣ ସାନ ଭାଇ ଆମ୍ଭମାନଙ୍କ ସଙ୍ଗରେ ନ ଥିଲେ, ଆମ୍ଭେମାନେ ସେହି ବ୍ୟକ୍ତିଙ୍କର ମୁଖ ଦେଖି ପାରିବୁ ନାହିଁ।
27 ତହିଁରେ ଆପଣଙ୍କ ଦାସ ଯେ ମୋହର ପିତା, ସେ ଆମ୍ଭମାନଙ୍କୁ କହିଲେ, ତୁମ୍ଭେମାନେ ଜାଣ, ଆମ୍ଭର ସେହି ଭାର୍ଯ୍ୟାଠାରୁ ଦୁଇଟି ପୁତ୍ର ହୋଇଥିଲେ।
28 ସେମାନଙ୍କ ମଧ୍ୟରୁ ଗୋଟିଏ ଆମ୍ଭ ନିକଟରୁ ଚାଲିଗଲା, ତହୁଁ ଆମ୍ଭେ କହିଲୁ, ସେ ନିଶ୍ଚୟ ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଅଛିନ୍ତ ପୁଣି ସେହି ଦିନଠାରୁ ଆମ୍ଭେ ଆଉ ତାକୁ ଦେଖି ନାହୁଁ।
29 ଏବେ ଆମ୍ଭ ପାଖରୁ ଏହାକୁ ନେଇଗଲେ ଯେବେ ଏହାକୁ କୌଣସି ବିପତ୍ତି ଘଟେ, ତେବେ ତୁମ୍ଭେମାନେ ଆମ୍ଭକୁ ଶୋକରେ ଏହି ପକ୍ୱକେଶରେ ପାତାଳକୁ ପଠାଇବ।
30 ଏହେତୁ ଆପଣଙ୍କ ଦାସ ଯେ ମୋ' ପିତା, ତାଙ୍କ ନିକଟରେ ମୁଁ ଉପସ୍ଥିତ ହେଲେ, ଆମ୍ଭମାନଙ୍କ ସଙ୍ଗରେ ଯେବେ ଏହି ଯୁବା ନ ଥିବ, ତେବେ ଏହି ଯୁବା ନ ଥିବାର ଦେଖି ସେ ତତ୍କ୍ଷଣାତ୍ ମରିଯିବେ।
31 କାରଣ ତାଙ୍କ ପ୍ରାଣ ଏହି ଯୁବାର ପ୍ରାଣରେ ବନ୍ଧା ଅଟେ। ତହିଁରେ ଆପଣଙ୍କର ଏହି ଦାସମାନେ ଶୋକରେ ପକ୍ୱକେଶରେ ଆପଣଙ୍କ ଦାସ ଆମ୍ଭମାନଙ୍କ ପିତାଙ୍କୁ କବରକୁ ପଠାଇବେ।
32 ଆହୁରି, ଆପଣଙ୍କ ଦାସ ମୁଁ, ଆପଣା ପିତାଙ୍କ ନିକଟରେ ଏହି ଯୁବାର ଲଗା ହୋଇ କହିଅଛି, ମୁଁ ଯେବେ ତାକୁ ତୁମ୍ଭ ପାଖକୁ ନ ଆଣେ, ତେବେ ମୁଁ ଯାବଜ୍ଜୀବନ ପିତାଙ୍କ ନିକଟରେ ଅପରାଧୀ ହେବି।
33 ଏଣୁ ନିବେଦନ କରୁଅଛି, ପ୍ରଭୁଙ୍କ ନିକଟରେ ଏହି ଯୁବାର ପରିବର୍ତ୍ତେ ଆପଣଙ୍କ ଦାସ ମୁଁ ଆପଣଙ୍କ ଦାସ ହୋଇ ଥାଏ, ମାତ୍ର ଏହି ଯୁବାକୁ ଭାଇମାନଙ୍କ ସଙ୍ଗରେ ବିଦାୟ କରନ୍ତୁ।
34 କାରଣ ଏହି ଯୁବା ମୋ' ସଙ୍ଗରେ ନ ଥିଲେ, ମୁଁ କି ପ୍ରକାରେ ପିତାଙ୍କ ନିକଟକୁ ଯାଇ ପାରିବି ? ପୁଣି ପିତାଙ୍କୁ ଯେଉଁ ବିପଦ ଘଟିବ, ତାହା କି ପ୍ରକାରେ ଅବା ଦେଖି ପାରିବି ?