1 ସେ ଆପଣା ଫଳର ବାହୁଲ୍ୟାନୁସାରେ ଆପଣା ଯଜ୍ଞବେଦିର ସଂଖ୍ୟା ବୃଦ୍ଧି କରିଅଛି; ତାହାର ଦେଶର ଉନ୍ନତି ଅନୁସାରେ ଲୋକମାନେ ମନୋହର ସ୍ତମ୍ଭ ନିର୍ମାଣ କରିଅଛନ୍ତି ।

2 ସେମାନଙ୍କର ଅନ୍ତଃକରଣ ବିଭକ୍ତ ହୋଇଅଛି; ଏବେ ସେମାନେ ଦୋଷୀ ଗଣାଯିବେ; ସେ ସେମାନଙ୍କର ଯଜ୍ଞବେଦିସବୁକୁ ଆଘାତ କରିବେ, ସେ ସେମାନଙ୍କର ସ୍ତମ୍ଭସବୁକୁ ନଷ୍ଟ କରିବେ ।

3 ଅବଶ୍ୟ ଏବେ ସେମାନେ କହିବେ, ଆମ୍ଭମାନଙ୍କର ରାଜା ନାହିଁ; କାରଣ ଆମ୍ଭେମାନେ ତ ସଦାପ୍ରଭୁଙ୍କୁ ଭୟ କରୁ ନାହୁଁ, ଏଣୁ ରାଜା ଆମ୍ଭମାନଙ୍କ ପାଇଁ କଅଣ କରି ପାରିବ ?

4 ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି; ଏଥିପାଇଁ କ୍ଷେତ୍ରର ଶିଆରରେ ଯେପରି ବିଷ ବୃକ୍ଷ, ସେପରି ସେମାନଙ୍କର ଦଣ୍ଡ ଅଙ୍କୁରିତ ହୁଏ ।

5 ଶମରୀୟା ନିବାସୀଗଣ ବୈଥ୍‍-ଆବନର ଗୋବତ୍ସ ପ୍ରତିମା ସକାଶୁ ତ୍ରାସଯୁକ୍ତ ହେବେନ୍ତ କାରଣ ତହିଁର ଲୋକମାନେ ତାହା ପାଇଁ ବିଳାପ କରିବେ ଓ ତହିଁର ଯେଉଁ ପୁରୋହିତମାନେ ତାହାର ଗୌରବ ସକାଶୁ ଆନନ୍ଦ କରିଥିଲେ, ସେମାନେ ବିଳାପ କରିବେ; କାରଣ ତାହାର ଗୌରବ ତାହାକୁ ଛାଡ଼ି ଯାଇଅଛି ।

6 ତାହା ମଧ୍ୟ ଯାରେବ ରାଜାର ଭେଟି ନିମନ୍ତେ ଅଶୂରକୁ ନୀତ ହେବ; ଇଫ୍ରୟିମ ଲଜ୍ଜାପ୍ରାପ୍ତ ହେବ ଓ ଇସ୍ରାଏଲ ନିଜ ମନ୍ତ୍ରଣା ବିଷୟରେ ଲଜ୍ଜିତ ହେବ ।

7 ଶମରୀୟାର ରାଜା ଜଳ ଉପରିସ୍ଥ ଫେଣ ତୁଲ୍ୟ ଉଚ୍ଛିନ୍ନ ହେଲା ।

8 ଆହୁରି, ଇସ୍ରାଏଲର ପାପ ସ୍ୱରୂପ ଆବେନର ଉଚ୍ଚସ୍ଥଳୀସବୁ ବିନଷ୍ଟ ହେବ; କଣ୍ଟା ଓ ଅଗରା ଗଛ ସେମାନଙ୍କର ଯଜ୍ଞବେଦି ଉପରେ ଉତ୍ପନ୍ନ ହେବ; ଆଉ, ସେମାନେ ପର୍ବତଗଣକୁ କହିବେ, ଆମ୍ଭମାନଙ୍କୁ ଘୋଡ଼ାଅ ଓ ଉପ-ପର୍ବତଗଣକୁ କହିବେ, ଆମ୍ଭମାନଙ୍କ ଉପରେ ପଡ଼ ।

9 ହେ ଇସ୍ରାଏଲ, ତୁମ୍ଭେ ଗିବୀୟାର ସମୟଠାରୁ ପାପ କରି ଆସିଅଛ; ଅଧର୍ମର ସନ୍ତାନଗଣର ପ୍ରତିକୂଳ ଯୁଦ୍ଧ ଯେପରି ଗିବୀୟାରେ ଲୋକମାନଙ୍କୁ ନ ଧରିବ, ଏଥିପାଇଁ ସେମାନେ ସେସ୍ଥାନରେ ଠିଆ ହେଲେ ।

10 ଯେତେବେଳେ ଆମ୍ଭର ଇଚ୍ଛା, ସେତେବେଳେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବୁ ଓ ସେମାନେ ଆପଣାମାନଙ୍କର ଦୁଇ ଅପରାଧରେ ବନ୍ଧାଯିବା ସମୟରେ ଗୋଷ୍ଠୀଗଣ ସେମାନଙ୍କ ବିରୁଦ୍ଧରେ ସଂଗୃହୀତ ହେବେ ।

11 ଆଉ ଇଫ୍ରୟିମ ଶିକ୍ଷିତା ଗାଭୀ, ସେ ଶସ୍ୟ ମର୍ଦ୍ଦନ କରିବାକୁ ଭଲ ପାଏ; ମାତ୍ର ଆମ୍ଭେ ତାହାର ସୁନ୍ଦର ଗ୍ରୀବାରେ ହସ୍ତାର୍ପଣ କରିଅଛୁନ୍ତ ଆମ୍ଭେ ଇଫ୍ରୟିମ ଉପରେ ଏକ ଆରୋହୀକି ବସାଇବା; ଯିହୁଦା ହଳ ବୁଲାଇବ, ଯାକୁବ ତାହାର ଟେଳା ଭାଙ୍ଗିବ ।

12 ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଧାର୍ମିକତାରେ ବିହନ ବୁଣ, ଦୟାନୁଯାୟୀ ଶସ୍ୟ କାଟନ୍ତ ଆପଣାମାନଙ୍କର ପଡ଼ିଆ-ଭୂମି ଭାଙ୍ଗ; କାରଣ ଯେପର୍ଯ୍ୟନ୍ତ ସଦାପ୍ରଭୁ ଆସି ତୁମ୍ଭମାନଙ୍କ ଉପରେ ଧାର୍ମିକତା ନ ବର୍ଷାନ୍ତି, ସେପର୍ଯ୍ୟନ୍ତ ତାହାଙ୍କର ଅନ୍ଵେଷଣ କରିବାର ସମୟ ଅଛି ।

13 ତୁମ୍ଭେମାନେ ଦୁଷ୍ଟତାରୂପ ଚାଷ କରି ଅଧର୍ମ ସ୍ୱରୂପ ଶସ୍ୟ କାଟିଅଛ; ତୁମ୍ଭେମାନେ ମିଥ୍ୟା କଥାର ଫଳ ଭୋଜନ କରିଅଛ; କାରଣ ତୁମ୍ଭେ ଆପଣା ପଥରେ, ଆପଣାର ବୀରସମୂହରେ ବିଶ୍ୱାସ କରିଅଛ ।

14 ଏଥିନିମନ୍ତେ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଏକ କୋଳାହଳ ଉଠିବ ଓ ଯୁଦ୍ଧ ଦିନରେ ଯେପରି ଶଲମନ୍‍ ବୈଥ୍‍- ଅରବେଲକୁ ବିନାଶ କରିଥିଲା, ସେପରି ତୁମ୍ଭ ଦୁର୍ଗସକଳ ବିନଷ୍ଟ ହେବ; ମାତା ଆପଣା ସନ୍ତାନଗଣ ସହିତ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହୋଇଥିଲା ।

15 ତୁମ୍ଭର ମହା ଦୁଷ୍ଟତା ସକାଶୁ ବୈଥେଲ୍‍ ତୁମ୍ଭ ପ୍ରତି ସେହି ପ୍ରକାର କରିବ; ଇସ୍ରାଏଲର ରାଜା ଅରୁଣୋଦୟ ସମୟରେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହେବ ।