1 କାରଣ ସଦାପ୍ରଭୁ ଯାକୁବ ପ୍ରତି ଦୟା କରିବେ, ପୁଣି ଇସ୍ରାଏଲକୁ ପୁନର୍ବାର ମନୋନୀତ କରିବେ ଓ ସେମାନଙ୍କୁ ସେମାନଙ୍କ ଦେଶରେ ସ୍ଥାପନ କରିବେ, ତହିଁରେ ବିଦେଶୀ ଲୋକ ସେମାନଙ୍କ ସଙ୍ଗେ ସଂଯୁକ୍ତ ହେବ, ସେମାନେ ଯାକୁବ ବଂଶ ପ୍ରତି ଆସକ୍ତ ହେବେ ।

2 ପୁଣି, ନାନା ଗୋଷ୍ଠୀୟ ଲୋକମାନେ ସେମାନଙ୍କୁ ନେଇ ସେମାନଙ୍କ ନିଜ ସ୍ଥାନରେ ପହୁଞ୍ଚାଇ ଦେବେ; ଆଉ, ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ଦେଶରେ ସେମାନଙ୍କୁ ଦାସଦାସୀ ରୂପେ ଅଧିକାର କରିବେ; ପୁଣି, ସେମାନେ ଯେଉଁମାନଙ୍କର ବନ୍ଦୀ ହୋଇଥିଲେ, ସେମାନଙ୍କୁ ବନ୍ଦୀ କରି ନେବେ ଓ ସେମାନେ ଆପଣା ଉପଦ୍ରବକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ ।

3 ପୁଣି, ଯେଉଁ ଦିନ ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଦୁଃଖ ଓ କ୍ଳେଶରୁ ଓ ଯେଉଁ କଠୋର ଦାସତ୍ୱରେ ତୁମ୍ଭକୁ ଦାସ୍ୟ କର୍ମ କରିବାକୁ ହେଲା, ତହିଁରୁ ବିଶ୍ରାମ ଦେବେ,

4 ସେଦିନ ତୁମ୍ଭେ ବାବିଲ-ରାଜ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କଥା ନେଇ କହିବ, ଯଥା, ଉପଦ୍ରବକାରୀ କିପରି ଶେଷ ହୋଇଅଛି ! ସୁବର୍ଣ୍ଣ ନଗରୀ କିପରି ଶେଷ ହୋଇଅଛି !

5 ଯେଉଁମାନେ କୋପରେ ନାନା ଗୋଷ୍ଠୀକି ଅନବରତ ଆଘାତ କଲେ ଓ ନାନା ଦେଶୀୟ ଲୋକଙ୍କୁ କ୍ରୋଧରେ ଶାସନ କରି ଅନିବାରିତ ରୂପେ ତାଡ଼ନା କଲେ,

6 ସଦାପ୍ରଭୁ ସେହି ଦୁଷ୍ଟମାନଙ୍କର ଯଷ୍ଟି ଓ ଶାସନକର୍ତ୍ତାମାନଙ୍କ ରାଜଦଣ୍ଡ ଭାଙ୍ଗି ପକାଇ ଅଛନ୍ତି ।

7 ସମୁଦାୟ ପୃଥିବୀ ଶାନ୍ତ ଓ ସୁସ୍ଥିର ହୋଇଅଛି; ସେମାନେ ଆନନ୍ଦରେ ଗାନ କରୁଅଛନ୍ତି ।

8 ହଁ, ଦେବଦାରୁ ଓ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି, ତୁମ୍ଭେ ଭୂମିସାତ୍‍ ହେବାଠାରୁ କୌଣସି ଛେଦନକର୍ତ୍ତା ଆମ୍ଭମାନଙ୍କ ପ୍ରତିକୂଳରେ ଆସି ନାହିଁ ।

9 ତୁମ୍ଭ ଆଗମନ ସମୟରେ ତୁମ୍ଭ ସଙ୍ଗେ ସାକ୍ଷାତ କରିବା ପାଇଁ ଅଧଃସ୍ଥ ପାତାଳ ଚାଳିତ ହୁଏ; ତାହା ତୁମ୍ଭ ନିମନ୍ତେ ମୃତମାନଙ୍କୁ, ପୃଥିବୀର ପ୍ରଧାନମାନଙ୍କୁ ହିଁ ଜଗାଏ; ତାହା ଗୋଷ୍ଠୀବର୍ଗର ରାଜାସକଳକୁ ସେମାନଙ୍କ ସିଂହାସନରୁ ଉଠାଇଅଛି ।

10 ସେସମସ୍ତେ ଉତ୍ତର ଦେଇ ତୁମ୍ଭକୁ କହିବେ, ତୁମ୍ଭେ ମଧ୍ୟ କ'ଣ ଆମ୍ଭମାନଙ୍କ ପରି କ୍ଷୀଣବଳ ହେଲ ? ତୁମ୍ଭେ କ'ଣ ଆମ୍ଭମାନଙ୍କର ସମାନ ହେଲ ?

11 ତୁମ୍ଭର ଐଶ୍ୱର୍ଯ୍ୟ ଓ ତୁମ୍ଭ ନେବଲ ଯନ୍ତ୍ରର ସ୍ୱର ପାତାଳ ପର୍ଯ୍ୟନ୍ତ ଅବରୋହିତ ହୋଇଅଛି; କୀଟ ତୁମ୍ଭ ତଳେ ପ୍ରସାରିତ (ବିଛଣା) ଓ କୃମି ତୁମ୍ଭର ଆଚ୍ଛାଦନ ହୋଇଅଛି ।

12 ହେ ଲୁଶିଫର ! ପ୍ରତୁ୍ୟଷର ପୁତ୍ର ! ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ ! ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ !

13 ପୁଣି, ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ରଗଣର ଊର୍ଦ୍ଧ୍ବରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା;

14 ଆମ୍ଭେ ମେଘମାଳର ଉଚ୍ଚସ୍ଥଳୀର ଊର୍ଦ୍ଧ୍ବକୁ ଆରୋହଣ କରିବା; ଆମ୍ଭେ ସର୍ବୋପରିସ୍ଥଙ୍କର ତୁଲ୍ୟ ହେବା ।

15 ମାତ୍ର ତୁମ୍ଭେ ପାତାଳକୁ, ଗର୍ତ୍ତର ପ୍ରାନ୍ତ ସୀମାକୁ ଅବରୋହିତ ହେବ ।

16 ଯେଉଁମାନେ ତୁମ୍ଭକୁ ଦେଖନ୍ତି, ସେମାନେ ସୂକ୍ଷ୍ମ ରୂପେ ନିରୀକ୍ଷଣ କରି ତୁମ୍ଭ ବିଷୟ ବିବେଚନା କରି କହିବେ, ଯେ ପୃଥିବୀକି କମ୍ପାନ୍ୱିତ କଲା, ଯେ ରାଜ୍ୟସମୂହକୁ ଥରହର କରାଇଲା;

17 ଯେ ଜଗତକୁ ଅରଣ୍ୟ ତୁଲ୍ୟ କଲା ଓ ତହିଁର ନଗରସମୂହକୁ ଉତ୍ପାଟନ କଲା; ଯେ ଆପଣା ବନ୍ଦୀଗଣକୁ ସେମାନଙ୍କ ଗୃହକୁ ଯିବାକୁ ଛାଡ଼ିଲା ନାହିଁ, ସେ କି ଏହି ପୁରୁଷ ?

18 ଗୋଷ୍ଠୀବର୍ଗର ରାଜଗଣ, ସେମାନଙ୍କର ସମସ୍ତେ ହିଁ, ସମ୍ଭ୍ରମରେ ଆପଣା ଆପଣା ଗୃହରେ ଶୟନ କରୁଅଛନ୍ତି ।

19 ମାତ୍ର ତୁମ୍ଭେ ଘୃଣିତ ଶାଖା ତୁଲ୍ୟ, ଖଡ଼୍‍ଗବିଦ୍ଧ ଓ ଗର୍ତ୍ତର ପ୍ରସ୍ତର ମଧ୍ୟରେ ନିକ୍ଷିପ୍ତ ହତ ଲୋକ ଦ୍ୱାରା ଆଚ୍ଛାଦିତ ହୋଇ, ଆପଣା କବରଠାରୁ ଦୂରରେ ନିକ୍ଷିପ୍ତ ହୋଇଅଛ; ତୁମ୍ଭେ ପଦଦଳିତ ଶବ ତୁଲ୍ୟ ହୋଇଅଛ ।

20 ତୁମ୍ଭେ ସେମାନଙ୍କ ସଙ୍ଗେ କବରସ୍ଥ ହେବ ନାହିଁ, କାରଣ ତୁମ୍ଭେ ଆପଣା ଦେଶ ଉଚ୍ଛିନ୍ନ କରିଅଛ, ତୁମ୍ଭେ ଆପଣା ଲୋକମାନଙ୍କୁ ବଧ କରିଅଛ, କୁକ୍ରିୟାକାରୀମାନଙ୍କ ବଂଶର ନାମ ଅନନ୍ତ କାଳ ଉଲ୍ଲିଖିତ ହେବ ନାହିଁ ।

21 ତାହାର ସନ୍ତାନଗଣ ଉଠି ଯେପରି ପୃଥିବୀ ଅଧିକାର ନ କରନ୍ତି ଓ ଜଗତକୁ ନଗରରେ ପରିପୂର୍ଣ୍ଣ ନ କରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପିତୃପୁରୁଷଗଣର ଅପରାଧ ସକାଶୁ ସେମାନଙ୍କ ପାଇଁ ହତ୍ୟାସ୍ଥାନ ପ୍ରସ୍ତୁତ କର ।

22 ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଉଠିବା, ସଦାପ୍ରଭୁ କହନ୍ତି, ଆମ୍ଭେ ବାବିଲରୁ ନାମ ଓ ଅବଶିଷ୍ଟାଂଶ, ପୁତ୍ର ଓ ପୌତ୍ର, ଉଚ୍ଛିନ୍ନ କରିବା,

23 ଆହୁରି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସେହି ନଗରକୁ ଝିଙ୍କ ପକ୍ଷୀର ଅଧିକାର ଓ ଜଳାଶୟ କରିବା ଓ ଆମ୍ଭେ ସଂହାରରୂପ ଝାଡ଼ୁ ଦ୍ୱାରା ତାହାକୁ ଝାଡ଼ି ପକାଇବା ।

24 ସୈନ୍ୟାଧିପତି ସଦାପ୍ରଭୁ ଶପଥ କରି କହିଅଛନ୍ତି, ଆମ୍ଭେ ଯାହା ଭାବିଅଛୁ, ନିଶ୍ଚୟ ତଦ୍ରୂପ ଘଟିବ ଓ ଆମ୍ଭେ ଯେପରି ମନ୍ତ୍ରଣା କରିଅଛୁ, ସେପରି ସ୍ଥିର ହେବ;

25 ଆମ୍ଭେ ଆପଣା ଦେଶରେ ଅଶୂରୀୟକୁ ଭଗ୍ନ କରିବା ଓ ଆପଣା ପର୍ବତ ଉପରେ ତାହାକୁ ପଦ ତଳେ ଦଳିତ କରିବା; ତେବେ ଲୋକମାନଙ୍କଠାରୁ ତାହାର ଯୁଆଳି ଓ ସେମାନଙ୍କ ସ୍କନ୍ଧରୁ ତାହାର ଭାର ଦୂରୀକୃତ ହେବ ।

26 ସମୁଦାୟ ପୃଥିବୀ ବିଷୟରେ ଏହି ମନ୍ତ୍ରଣା ସ୍ଥିର ହୋଇଅଛି ଓ ଏହି ହସ୍ତ ସମସ୍ତ ଗୋଷ୍ଠୀ ଉପରେ ବିସ୍ତୀର୍ଣ୍ଣ ହୋଇଅଛି ।

27 କାରଣ ସୈନ୍ୟାଧିପତି ସଦାପ୍ରଭୁ ମନ୍ତ୍ରଣା କରିଅଛନ୍ତି, ଆଉ ତାହା କିଏ ଅନ୍ୟଥା କରିବ ? ଓ ତାହାଙ୍କର ହସ୍ତ ବିସ୍ତାରିତ ହୋଇଅଛି, ଆଉ କିଏ ତାହା ଫେରାଇବ ?

28 ଯେଉଁ ବର୍ଷରେ ଆହସ୍‍ ରାଜାଙ୍କର ମୃତ୍ୟୁ ହେଲା, ସେହି ବର୍ଷର ଏହି ଭାରୋକ୍ତି ।

29 ହେ ପଲେଷ୍ଟୀୟେ, ଯେଉଁ ଦଣ୍ଡ ତୁମ୍ଭକୁ ପ୍ରହାର କଲା, ତାହା ଭଗ୍ନ ହୋଇଅଛି ବୋଲି ତୁମ୍ଭେ ସମସ୍ତେ ଆନନ୍ଦ କର ନାହିଁ; କାରଣ ସର୍ପର ମୂଳରୁ କାଳସର୍ପ ଉତ୍ପନ୍ନ ହେବ ଓ ଅଗ୍ନିମୟ ଉଡ଼ନ୍ତା ସର୍ପ ତାହାର ଫଳ ହେବ ।

30 ପୁଣି, ଦରିଦ୍ରର ପ୍ରଥମଜାତ ସନ୍ତାନ ଭୋଜନ କରିବ ଓ ଦୀନହୀନମାନେ ନିରାପଦରେ ଶୟନ କରିବେ; ପୁଣି, ଆମ୍ଭେ ଦୁର୍ଭିକ୍ଷ ଦ୍ୱାରା ତୁମ୍ଭର ମୂଳ ନଷ୍ଟ କରିବା ଓ ତୁମ୍ଭର ଅବଶିଷ୍ଟାଂଶ ସଂହାରିତ ହେବ ।

31 ହେ ନଗର-ଦ୍ୱାର, ହାହାକାର କର; ହେ ନଗର, କ୍ରନ୍ଦନ କର; ହେ ପଲେଷ୍ଟୀୟେ, ତୁମ୍ଭର ସମୁଦାୟ ତରଳି ଯାଇଅଛି; କାରଣ ଉତ୍ତର ଦିଗରୁ ଧୂମ ଆସୁଅଛି ଓ କେହି ଆପଣା ନିରୂପିତ ସମୟରେ ଦୂରରେ ଠିଆ ହେଉ ନାହିଁ ।

32 ଆଉ, ଏହି ଗୋଷ୍ଠୀର ଦୂତଗଣକୁ କି ଉତ୍ତର ଦିଆଯିବ ? ଏହି ଯେ, ସଦାପ୍ରଭୁ ସିୟୋନର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତହିଁ ମଧ୍ୟରେ ତାହାଙ୍କର ଦୁଃଖଗ୍ରସ୍ତ ଲୋକମାନେ ଆଶ୍ରୟ ନିଅନ୍ତି ।