1 ଧାର୍ମିକ ଲୋକ ବିନଷ୍ଟ ହେଉଅଛି ଓ ସେ ବିଷୟରେ କେହି ମନୋଯୋଗ କରୁ ନାହିଁ; ପୁଣି, ଭକ୍ତ ଲୋକମାନେ ନିଆ ଯାଉଅଛନ୍ତି, ଧାର୍ମିକମାନେ ଯେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି, ଏହା କେହି ବିବେଚନା କରୁ ନାହିଁ ।

2 ସେ ଶାନ୍ତିରେ ପ୍ରବେଶ କରେନ୍ତ ସରଳ-ପଥଗାମୀମାନେ ପ୍ରତ୍ୟେକେ ଆପଣା ଆପଣା ଶଯ୍ୟାରେ ବିଶ୍ରାମ କରନ୍ତି ।

3 ହେ ଗଣିକାର ପୁତ୍ରଗଣ, ପାରଦାରିକ ଓ ବେଶ୍ୟାର ବଂଶ, ତୁମ୍ଭେମାନେ ନିକଟକୁ ଆସ ।

4 ତୁମ୍ଭେମାନେ କାହାକୁ ଉପହାସ କରୁଅଛ ? ତୁମ୍ଭେମାନେ କାହାଆଡ଼େ ମୁଖ ମେଲାଇ ଜିହ୍ୱା ବାହାର କରୁଅଛ ? ତୁମ୍ଭେମାନେ କି ଅଧର୍ମର ସନ୍ତାନ ଓ ଅସତ୍ୟତାର ବଂଶ ନୁହଁ ?

5 ତୁମ୍ଭେମାନେ ଅଲୋନ ବୃକ୍ଷଗଣ ମଧ୍ୟରେ, ପ୍ରତ୍ୟେକ ହରିତ୍‍ପୂର୍ଣ୍ଣ ବୃକ୍ଷ ତଳେ ଆସକ୍ତିରୂପ ଅନଳରେ ଆପଣାମାନଙ୍କୁ କି ଉତ୍ତପ୍ତ କରୁ ନାହଁ; ତୁମ୍ଭେମାନେ ନାନା ଉପତ୍ୟକାରେ, ଶୈଳଗଣର ଫାଟ ତଳେ ସନ୍ତାନଗଣକୁ କି ବଧ କରୁ ନାହଁ ?

6 ଉପତ୍ୟକାର ଚିକ୍‍କଣ ପ୍ରସ୍ତରସକଳ ମଧ୍ୟରେ ତୁମ୍ଭର ଅଂଶ, ସେସବୁ ତୁମ୍ଭର ଅଧିକାରନ୍ତ ଆଉ, ସେମାନଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ପେୟ-ନୈବେଦ୍ୟ ଢାଳିଅଛ, ନୈବେଦ୍ୟ ଉତ୍ସର୍ଗ କରିଅଛ । ଏହିସବୁ ହେତୁରୁ ଆମ୍ଭେ କି ଶାନ୍ତ ହେବା ?

7 ଉଚ୍ଚ ଓ ଉନ୍ନତ ପର୍ବତ ଉପରେ ତୁମ୍ଭେ ଆପଣା ଶଯ୍ୟା ପାତିଅଛ; ସେସ୍ଥାନକୁ ମଧ୍ୟ ତୁମ୍ଭେ ବଳିଦାନ କରିବା ପାଇଁ ଯାଇଅଛ ।

8 ପୁଣି, କବାଟ ଓ ଚୌକାଠର ପଛରେ ତୁମ୍ଭେ ତୁମ୍ଭର ସ୍ମରଣାର୍ଥକ ସ୍ତମ୍ଭ ସ୍ଥାପନ କରିଅଛ; କାରଣ ତୁମ୍ଭେ ଆମ୍ଭ ଛଡ଼ା ଅନ୍ୟ ପ୍ରତି ଆପଣାକୁ ଅନାବୃତ କରି ଉପରକୁ ଯାଇଅଛ; ତୁମ୍ଭେ ଆପଣା ଶଯ୍ୟା ବଢ଼ାଇ ସେମାନଙ୍କ ସଙ୍ଗେ ନିୟମ କରିଅଛନ୍ତ ତୁମ୍ଭେ ଯେଉଁଠାରେ ସେମାନଙ୍କ ଶଯ୍ୟା ଦେଖିଲ, ତାହା ଭଲ ପାଇଅଛ ।

9 ପୁଣି, ତୁମ୍ଭେ ତୈଳ ଘେନି ରାଜା ନିକଟକୁ ଯାଇଅଛ ଓ ଆପଣା ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ, ଆଉ ତୁମ୍ଭେ ଦୂର ଦେଶକୁ ଆପଣା ଦୂତଗଣ ପଠାଇଅଛ ଓ ପାତାଳ ପର୍ଯ୍ୟନ୍ତ ଆପଣାକୁ ଅଧମ କରିଅଛ ।

10 ତୁମ୍ଭେ ଆପଣା ମାର୍ଗର ଦୀର୍ଘତା ହେତୁ କ୍ଳାନ୍ତ ହୋଇଥିଲ, ତଥାପି ଆଉ ଭରସା ନାହିଁ ବୋଲି କହିଲ ନାହିଁ; ତୁମ୍ଭର ବଳ ସତେଜ ହେଲା ବୋଲି ବୋଧ ପାଇଲ, ଏଥିପାଇଁ ତୁମ୍ଭେ କ୍ଳାନ୍ତ ହେଲ ନାହିଁ ।

11 ପୁଣି, କାହାର ସକାଶୁ ତୁମ୍ଭେ ଏପରି ତ୍ରାସଯୁକ୍ତା ଓ ଭୀତା ହୋଇଅଛଯେ, ତୁମ୍ଭେ ମିଥ୍ୟା କହୁଅଛ ଓ ଆମ୍ଭକୁ ସ୍ମରଣ କରି ନାହଁ, କିଅବା ଆପଣା ମନ ତହିଁରେ ଦେଇ ନାହଁ ? ଆମ୍ଭେ କି ଦୀର୍ଘକାଳ ନୀରବ ରହି ନାହୁଁ, ତେଣୁ ତୁମ୍ଭେ କି ଆମ୍ଭକୁ ଭୟ କରୁ ନାହଁ ?

12 ଆମ୍ଭେ ତୁମ୍ଭର ଧାର୍ମିକତା ପ୍ରକାଶ କରିବା; ପୁଣି, ତୁମ୍ଭର କର୍ମସକଳ ତୁମ୍ଭର ଉପକାରୀ ନୋହିବ ।

13 ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ, ତୁମ୍ଭେ କାନ୍ଦିବା ବେଳେ ସେମାନେ ଉଦ୍ଧାର କରନ୍ତୁନ୍ତ ମାତ୍ର ବାୟୁ ସେମାନଙ୍କୁ ଉଡ଼ାଇ ନେବ, ଏକ ନିଶ୍ୱାସ ସେସମସ୍ତଙ୍କୁ ନେଇ ଯିବ; କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ, ସେ ଦେଶ ଅଧିକାର କରିବ ଓ ଆମ୍ଭ ପବିତ୍ର ପର୍ବତର ଅଧିକାରୀ ହେବ ।

14 ଆଉ, ସେ କହିବେ, ତୁମ୍ଭେମାନେ ଉଚ୍ଚ କର, ଉଚ୍ଚ କର, ପଥ ପ୍ରସ୍ତୁତ କର, ଆମ୍ଭ ଲୋକମାନଙ୍କ ପଥରୁ ବିଘ୍ନ ଦୂର କର ।

15 କାରଣ ଯେ ଅନନ୍ତ କାଳନିବାସୀ, ଯାହାଙ୍କର ନାମ ଧର୍ମମୟ, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି; ଆମ୍ଭେ ଊର୍ଦ୍ଧ୍ବ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହେଁ ବାସ କରୁ ।

16 କାରଣ ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ, ଅଥବା ନିରନ୍ତର କ୍ରୋଧ କରିବା ନାହିଁ; କଲେ, ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖରେ କ୍ଷୀଣ ହେବେ ।

17 ଆମ୍ଭେ ତାହାର ଲୋଭରୂପ ଅପରାଧ ହେତୁ କ୍ରୁଦ୍ଧ ହୋଇ ତାହାକୁ ଆଘାତ କଲୁ, ଆମ୍ଭେ ଆପଣା ମୁଖ ଲୁଚାଇ କ୍ରୁଦ୍ଧ ହେଲୁ, ତହିଁରେ ସେ ଅବାଧ୍ୟ ହୋଇ ଆପଣା ମନର ମାର୍ଗରେ ଚାଲିଲା ।

18 ଆମ୍ଭେ ତାହାର ଗତି ଦେଖିଅଛୁ ଓ ତାହାକୁ ସୁସ୍ଥ କରିବା; ମଧ୍ୟ ଆମ୍ଭେ ତାହାକୁ ପଥ କଢ଼ାଇବା, ପୁଣି ତାହାକୁ ଓ ତାହାର ଶୋକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ୱନା ଦେବା ।

19 ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁନ୍ତ ସଦାପ୍ରଭୁ କହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକ ପ୍ରତି ଶାନ୍ତି, ଶାନ୍ତି ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା ।

20 ମାତ୍ର ଦୁଷ୍ଟମାନେ ତରଙ୍ଗିତ ସମୁଦ୍ର ତୁଲ୍ୟ, କାରଣ ତାହା ସ୍ଥିର ହୋଇପାରେ ନାହିଁ, ଆଉ ତହିଁର ଜଳରେ ପଙ୍କ ଓ କାଦୁଅ ଉଠେ ।

21 ଆମ୍ଭର ପରମେଶ୍ୱର କହନ୍ତି, ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ ।