1 ଯିହୁଦା-ରାଜା ଉଷୀୟର ପୌତ୍ର ଯୋଥମ୍‍ର ପୁତ୍ର ଆହସର ସମୟରେ ଅରାମର ରତ୍ସୀନ ରାଜା ଓ ରମଲୀୟର ପୁତ୍ର ପେକହ ନାମେ ଇସ୍ରାଏଲର ରାଜା ଯିରୂଶାଲମର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେଠାକୁ ଗଲେ; ମାତ୍ର ତାହା ପରାସ୍ତ କରି ପାରିଲେ ନାହିଁ ।

2 ଅନନ୍ତର ଦାଉଦ-ବଂଶକୁ ଜ୍ଞାତ କରାଗଲା ଯେ, ଅରାମ ଇଫ୍ରୟିମର ସହାୟ ହୋଇଅଛି । ଏଥିରେ ତାହାର ହୃଦୟ ଓ ତାହାର ଲୋକମାନଙ୍କ ହୃଦୟ ବାୟୁରେ କମ୍ପିତ ଓ ବନବୃକ୍ଷ ତୁଲ୍ୟ କମ୍ପିତ ହେଲା ।

3 ସେତେବେଳେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, ତୁମ୍ଭେ ଓ ତୁମ୍ଭ ପୁତ୍ର ଶାର-ଯାଶୂବ, ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀର ନାଳ ମୁଣ୍ଡରେ ଆହସର ସଙ୍ଗେ ସାକ୍ଷାତ କରିବାକୁ ଯାଅ ।

4 ଓ ତାହାକୁ କୁହ, ସାବଧାନ ଓ ସୁସ୍ଥିର ହୁଅ; ଏହି ଧୂମମୟ କାଷ୍ଠର ଦୁଇ ଲାଞ୍ଜ, ଅର୍ଥାତ୍‍, ରତ୍ସୀନ ଓ ଅରାମର ଓ ରମଲୀୟର ପୁତ୍ରର ପ୍ରଚଣ୍ଡ କ୍ରୋଧ ସକାଶୁ ଭୀତ ହୁଅ ନାହିଁ, କିଅବା ଆପଣା ହୃଦୟକୁ ନିରାଶ ହେବାକୁ ଦିଅ ନାହିଁ ।

5 କାରଣ ଅରାମ, ମଧ୍ୟ ଇଫ୍ରୟିମ ଓ ରମଲୀୟର ପୁତ୍ର ତୁମ୍ଭ ବିରୁଦ୍ଧରେ କୁମନ୍ତ୍ରଣା କରି କହୁଅଛନ୍ତି,

6 ଆସ, ଆମ୍ଭେମାନେ ଯିହୁଦା ବିରୁଦ୍ଧରେ ଯାଇ ତାହାକୁ ଅଧୈର୍ଯ୍ୟ କରୁ ଓ ଆମ୍ଭମାନଙ୍କ ନିମନ୍ତେ ତହିଁ ମଧ୍ୟରେ ଭଗ୍ନ ସ୍ଥାନ କରି ଏକ ରାଜାକୁ, ଅର୍ଥାତ୍‍, ଟାବେଲର ପୁତ୍ରକୁ ସ୍ଥାପନ କରୁ ।

7 ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତାହା ସ୍ଥିର ହେବ ନାହିଁ ଅବା ସିଦ୍ଧ ହିଁ ହେବ ନାହିଁ ।

8 କାରଣ ଅରାମର ମସ୍ତକ ଦାମାସ୍‍କସ୍‍ ଓ ଦାମାସ୍‍କସ୍‍ର ମସ୍ତକ ରତ୍ସୀନ; ପୁଣି, ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଖଣ୍ଡ ଖଣ୍ଡ ହୋଇ ଏପରି ଭଗ୍ନ ହେବ ଯେ, ସେ ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ;

9 ଆଉ, ଇଫ୍ରୟିମର ମସ୍ତକ ଶମରୀୟା ଓ ଶମରୀୟାର ମସ୍ତକ ରମଲୀୟର ପୁତ୍ର । ଯେବେ ତୁମ୍ଭେମାନେ ବିଶ୍ୱାସ ନ କରିବ, ତେବେ ସ୍ଥିରୀକୃତ ହେବ ନାହିଁ, ଏହା ନିଶ୍ଚୟ ।

10 ଅନନ୍ତର ସଦାପ୍ରଭୁ ଆହସକୁ ଆହୁରି କହିଲେ,

11 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଏକ ଚିହ୍ନ ମାଗନ୍ତ ଅଧୋଲୋକରେ କି ଊର୍ଦ୍ଧ୍ବଲୋକରେ ହେଉ, ମାଗ ।

12 ମାତ୍ର ଆହସ କହିଲା, ମୁଁ ମାଗିବି ନାହିଁ କି ସଦାପ୍ରଭୁଙ୍କୁ ପରୀକ୍ଷା କରିବି ନାହିଁ ।

13 ଏଥିରେ ସେ କହିଲେ, ହେ ଦାଉଦର ବଂଶ, ତୁମ୍ଭେମାନେ ଏବେ ଶୁଣ; ମନୁଷ୍ୟକୁ କ୍ଳାନ୍ତ କରିବାର ତୁମ୍ଭମାନଙ୍କ ପ୍ରତି କ୍ଷୁଦ୍ର ବିଷୟ ବୋଲି କି ତୁମ୍ଭେମାନେ ମୋ' ପରମେଶ୍ୱରଙ୍କୁ ହିଁ କ୍ଳାନ୍ତ କରିବ ?

14 ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ; ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ସହିତ ପରମେଶ୍ୱର) ରଖିବ ।

15 ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ବେଳେ ସେ ଦଧି ଓ ମଧୁ ଖାଇବ ।

16 କାରଣ ବାଳକ ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାର ଜାଣିବା ପୂର୍ବେ ଯେଉଁ ଦେଶର ଦୁଇ ରାଜାଙ୍କୁ ତୁମ୍ଭେ ଘୃଣା କରୁଅଛ, ସେ ଦେଶ ପରିତ୍ୟକ୍ତ ହେବ ।

17 ଇଫ୍ରୟିମ ଯିହୁଦାଠାରୁ ପୃଥକ ହେବା ଦିନଠାରୁ ଯେପ୍ରକାର ସମୟ କେବେ ହୋଇ ନାହିଁ, ସେପ୍ରକାର ସମୟ ସଦାପ୍ରଭୁ ତୁମ୍ଭ ପ୍ରତି ଓ ତୁମ୍ଭ ଲୋକମାନଙ୍କ ପ୍ରତି ଓ ତୁମ୍ଭ ପିତୃବଂଶ ପ୍ରତି ଘଟାଇବେ; ଅର୍ଥାତ୍‍, ଅଶୂରର ରାଜାକୁ ଆଣିବେ ।

18 ପୁଣି, ସେହିଦିନ ସଦାପ୍ରଭୁ ମିସର ଦେଶୀୟ ନଦୀସବୁର ପ୍ରାନ୍ତସ୍ଥ ମକ୍ଷିକାର ପ୍ରତି ଓ ଅଶୂର ଦେଶୀୟ ମଧୁମକ୍ଷିକା ପ୍ରତି ଶିଷ୍‍ ଦେବେ ।

19 ତହିଁରେ ସେସମସ୍ତେ ଆସି ଉଚ୍ଛିନ୍ନ ଉପତ୍ୟକାସମୂହେ ର ଓ ଶୈଳମାନଙ୍କର ଛିଦ୍ର ସ୍ଥାନରେ ଓ କଣ୍ଟକ ବନରେ ଓ ଚରାଭୂମିସମୂହରେ ବସିବେ ।

20 ସେଦିନ ପ୍ରଭୁ ନଦୀର ସେପାରିସ୍ଥ ଭଡ଼ାଟିଆ କ୍ଷୁର ଦ୍ୱାରା, ଅର୍ଥାତ୍‍, ଅଶୂରର ରାଜା ଦ୍ୱାରା ମସ୍ତକ ଓ ପଦର ଲୋମ କ୍ଷୌର କରିବେ ଓ ତଦ୍ଦ୍ୱାରା ଦାଢ଼ି ମଧ୍ୟ ନଷ୍ଟ ହେବ ।

21 ସେହିଦିନ କେହି ଗୋଟିଏ ଯୁବତୀ ଗାଭୀ ଓ ଦୁଇ ଗୋଟି ମେଷ ପୋଷିଲେ,

22 ସେମାନଙ୍କ ଦତ୍ତ ଦୁଗ୍‍ଧର ବାହୁଲ୍ୟରେ ସେ ଦଧି ଖାଇବ; କାରଣ ଦେଶ ମଧ୍ୟରେ ଅବଶିଷ୍ଟ ସମସ୍ତ ଲୋକ ଦଧି ଓ ମଧୁ ଖାଇବେ ।

23 ଆହୁରି, ଯେ ଯେ ସ୍ଥାନରେ ସହସ୍ର ରୌପ୍ୟ ମୁଦ୍ରା ମୂଲ୍ୟର ଦ୍ରାକ୍ଷାଲତା ଥିଲା, ସେଦିନ ସେ ପ୍ରତ୍ୟେକ ସ୍ଥାନ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ ।

24 ପୁଣି, ସମୁଦାୟ ଦେଶ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବାରୁ ଲୋକେ ତୀର ଓ ଧନୁ ନେଇ ସେସ୍ଥାନକୁ ଯିବେ ।

25 ଆଉ, ଯେସବୁ ପର୍ବତ କୋଡ଼ିରେ ଖୋଳା ହୋଇଥିଲା, ତୁମ୍ଭେ କାନକୋଳି ଓ କଣ୍ଟକ ବନର ଭୟରେ ସେ ସ୍ଥାନକୁ ଗମନ କରିବ ନାହିଁ, ମାତ୍ର ତାହା ବଳଦର ଚରାସ୍ଥାନ ଓ ମେଷର ପାଦ ତଳେ ଦଳିତ ହେବାର ସ୍ଥାନ ହେବ ।