1 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯିହୁଦାର ରାଜଗୃହକୁ ଯାଇ ସେଠାରେ ଏହି କଥା କୁହ ।

2 ଯଥା, ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜନ୍‍, ତୁମ୍ଭେ ତୁମ୍ଭର ଦାସଗଣ ଓ ଏହିସବୁ ଦ୍ୱାର ଦେଇ ପ୍ରବେଶକାରୀ ତୁମ୍ଭର ଲୋକମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ।

3 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ନ୍ୟାୟବିଚାର ଓ ଧାର୍ମିକତା ବ୍ୟବହାର କର ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର; ପୁଣି, ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ଓ ଉପଦ୍ରବ କର ନାହିଁ,କିଅବା ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ ।

4 କାରଣ ଯେବେ ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କରିବ, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେ, ତାହାର ଦାସଗଣ ଓ ଲୋକମାନେ ଏହି ଗୃହର ଦ୍ୱାର ଦେଇ ପ୍ରବେଶ କରିବେ।

5 ମାତ୍ର ଯେବେ ତୁମ୍ଭେମାନେ ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରୁଅଛୁ ଯେ, ଏହି ଗୃହ ଉଚ୍ଛିନ୍ନ ହେବ ।

6 କାରଣ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭ ପ୍ରତି ଗିଲୀୟଦ୍‍ଓ ଲିବାନୋନର ଶୃଙ୍ଗ ସ୍ୱରୂପ ଅଟନ୍ତ ତଥାପି ଆମ୍ଭେ ନିଶ୍ଚୟ ତୁମ୍ଭକୁ ପ୍ରାନ୍ତର ଓ ନିବାସୀବିହୀନ ନଗରସମୂହର ସ୍ୱରୂପ କରିବା ।

7 ପୁଣି, ତୁମ୍ଭ ବିରୁଦ୍ଧରେ ବିନାଶକଗଣକୁ ପ୍ରତ୍ୟେକର ଅସ୍ତ୍ର ସହିତ ପ୍ରସ୍ତୁତ କରିବା; ତହିଁରେ ସେମାନେ ତୁମ୍ଭର ଉତ୍ତମ ଏରସ ବୃକ୍ଷସବୁକାଟି ଅଗ୍ନିରେ ପକାଇ ଦେବେ ।

8 ଆଉ, ଅନେକ ଦେଶୀୟ ଲୋକ ଏହି ନଗର ନିକଟ ଦେଇ ଗତାୟାତ କରୁ କରୁ ପ୍ରତ୍ୟେକେ, ଆପଣା ଆପଣା ସଙ୍ଗୀକି କହିବେ, ସଦାପ୍ରଭୁ କି ନିମନ୍ତେ ଏହି ବୃହତ ନଗରକୁ ଏପରି କଲେ ?

9 ତହିଁରେ ସେମାନେ ଉତ୍ତର କରିବେ, କାରଣ ଏହି, ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିୟମ ପରିତ୍ୟାଗ କରି ଅନ୍ୟ ଦେବଗଣର ପ୍ରଣାମ ଓ ସେବା କଲେ।

10 ତୁମ୍ଭେମାନେ ମୃତ ଲୋକସକାଶେ ରୋଦନ କର ନାହିଁ, କିଅବା ତାହା ସକାଶେ ବିଳାପ କର ନାହିଁ; ମାତ୍ର ପ୍ରସ୍ଥାନ କରିବା ଲୋକ ନିମନ୍ତେ ଅତିଶୟ କ୍ରନ୍ଦନ କର; କାରଣ ସେ ଆଉ ଫେରି ଆସିବ ନାହିଁ, କିଅବା ଆପଣା ଜନ୍ମଦେଶ ଆଉ ଦେଖିବ ନାହିଁ ।

11 ଯେହେତୁ ଯିହୁଦାର ରାଜା ଯୋଶୀୟର ପୁତ୍ର ଶଲ୍ଲମ୍‍ ଯେ ଆପଣା ପିତା ଯୋଶୀୟର ପଦରେ ରାଜତ୍ୱ କଲା ଓ ଏହି ସ୍ଥାନରୁ ବାହାରି ଗଲା, ତାହାର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି;

12 ସେ ଏହି ସ୍ଥାନକୁ ଆଉ ଫେରି ଆସିବ ନାହିଁ; ମାତ୍ର ସେ ଯେଉଁ ସ୍ଥାନକୁ ବନ୍ଦୀତ୍ୱ ଅବସ୍ଥାରେ ନୀତ ହୋଇଅଛି, ସେହି ସ୍ଥାନରେ ମରିବ ଓ ସେ ଏହି ଦେଶ ଆଉ ଦେଖିବ ନାହିଁ ।

13 ଯେଉଁ ଲୋକ ଅଧର୍ମରେ ଆପଣା ଗୃହ ଓ ଅନ୍ୟାୟରେ ଆପଣା କୋଠରୀମାନ ନିର୍ମାଣ କରେନ୍ତ ଯେ ବିନା ବେତନରେ ଆପଣା ପ୍ରତିବାସୀକି ସେବା କରାଏ ଓ ତାହାର ବେତନ ତାହାକୁ ନ ଦିଏ;

14 ଯେ କହେ, ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରୀମାନ ନିର୍ମାଣ କରିବା ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ସିନ୍ଦୂର ବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର!

15 ତୁମ୍ଭେ ଏରସ କାଷ୍ଠ ବିଷୟରେ ବଡ଼ ହେବା ପାଇଁ ଯନି କରିବା ହେତୁରୁ କି ରାଜତ୍ୱ କରିବ ? ତୁମ୍ଭର ପିତା କି ଭୋଜନ ପାନ କରି ବିଚାର ଓ ଧର୍ମାଚରଣ କଲା ନାହିଁ ? ତହିଁରେ ତାହାର ମଙ୍ଗଳ ହେଲା।

16 ସେ ଦରିଦ୍ର ଓ ଦୀନହୀନମାନଙ୍କର ଗୁହାରି ବିଚାର କଲା, ତହିଁରେ ମଙ୍ଗଳ ହେଲା । ସଦାପ୍ରଭୁ କହନ୍ତି, ଏହା କି ଆମ୍ଭଙ୍କୁ ଜ୍ଞାତ ହେବାର ନୁହେଁ ?

17 ମାତ୍ର ତୁମ୍ଭର ଚକ୍ଷୁ ଓ ତୁମ୍ଭର ଅନ୍ତଃକରଣ, ଆପଣାର ଲୋଭ, ନିର୍ଦ୍ଦୋଷର ରକ୍ତପାତ, ଉପଦ୍ରବ ଓ ଦୌରାତ୍ମ୍ୟ କରିବା ଛଡ଼ା ଆଉ କାହିଁରେ ନାହିଁ।

18 ଏହେତୁ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଲୋକମାନେ, ହାୟ, ଆମ୍ଭର ଭାଇ! ଅବା ହାୟ, ଭଉଣୀ ! କହି ତାହା ପାଇଁ ବିଳାପ କରିବେ ନାହିଁନ୍ତ ହାୟ, ପ୍ରଭୁ ! ଅବା ହାୟ, ତାଙ୍କର ମହିମା ! ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ ।

19 ତାହାର କବର ଗଧର କବର ତୁଲ୍ୟ ହେବ, ସେ ଘୋଷଡ଼ା ଯାଇ ଯିରୂଶାଲମର ଦ୍ୱାର ବାହାରେ ପକାଯିବ ।

20 ତୁମ୍ଭେ ଲିବାନୋନକୁ ଯାଇ କ୍ରନ୍ଦନ କର; ତୁମ୍ଭେ ବାଶନରେ ଉଚ୍ଚସ୍ୱର କର ଓ ଅବାରୀମରୁ କ୍ରନ୍ଦନ କର; କାରଣ ତୁମ୍ଭର ପ୍ରେମକାରୀ ସମସ୍ତେ ବିନଷ୍ଟ ହୋଇଅଛନ୍ତି ।

21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁନ୍ତ ମାତ୍ର ତୁମ୍ଭେ କହିଲ, ମୁଁ ଶୁଣିବି ନାହିଁ; ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି।

22 ବାୟୁ ତୁମ୍ଭର ସମସ୍ତ ମେଷପାଳକଙ୍କୁ ଚରାଇବଓ ତୁମ୍ଭର ପ୍ରେମକାରୀମାନେ ବନ୍ଦୀତ୍ୱ ସ୍ଥାନକୁ ଯିବେ; ସେହି ସମୟରେ ତୁମ୍ଭେ ଆପଣାର ସକଳ ଦୁଷ୍ଟତା ହେତୁ ନିଶ୍ଚୟ ଲଜ୍ଜିତା ଓ ବ୍ୟାକୁଳିତା ହେବ ।

23 ହେ ଲିବାନୋନ ନିବାସିନୀ, ଏରସ ବୃକ୍ଷ ବନରେ ବସା କରିଅଛ ଯେ ତୁମ୍ଭେ, ଯେତେବେଳେ ପ୍ରସବବେଦନା ତୁଲ୍ୟ ତୁମ୍ଭର ବେଦନା ଉପସ୍ଥିତ ହେବ, ସେତେବେଳେ ତୁମ୍ଭର ଅବସ୍ଥା ବଡ଼ ଶୋଚନୀୟ ହେବ ।

24 ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍‍ର ପୁତ୍ର କନୀୟ ଆମ୍ଭ ଦକ୍ଷିଣ ହସ୍ତରେ ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା;

25 ପୁଣି, ଯେଉଁମାନେ ତୁମ୍ଭର ପ୍ରାଣ ନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ, ଅର୍ଥାତ୍‍, ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଓ କଲ୍‍ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା ।

26 ଆଉ, ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ, ଯେଉଁ ଦେଶରେ ତୁମ୍ଭମାନଙ୍କର ଜନ୍ମ ହୋଇ ନ ଥିଲା, ଏପରି ଏକ ଦେଶରେ ତୁମ୍ଭମାନଙ୍କୁ ନିକ୍ଷେପ କରିବା । ଆଉ, ସେଠାରେ ତୁମ୍ଭେମାନେ ମରିବ ।

27 ମାତ୍ର ଯେଉଁ ଦେଶକୁ ଫେରି ଆସିବା ପାଇଁ ସେମାନଙ୍କର ପ୍ରାଣ ଅତିଶୟ ଲାଳସା କରେ, ସେ ଦେଶକୁ ସେମାନେ ଫେରି ଆସିବେ ନାହିଁ ।

28 ଏହି କନୀୟ କି ତୁଚ୍ଛୀକୃତ ଭଗ୍ନପାତ୍ର ? ସେ କି ଅପ୍ରୀତିକର ପାତ୍ର? ସେ ଓ ତାହାର ବଂଶ କାହିଁକି ଦୂରୀକୃତ ହୋଇ ସେମାନଙ୍କ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ ।

29 ହେ ପୃଥିବୀ, ପୃଥିବୀ, ପୃଥିବୀ, ସଦାପ୍ରଭୁଙ୍କର ବାକ୍ୟ ଶୁଣ ।

30 ସଦାପ୍ରଭୁ ଏହି କଥା କହନ୍ତି, ଏହି ମନୁଷ୍ୟ ନିଃସନ୍ତାନ, ଏହି ପୁରୁଷର ଆପଣା ଜୀବନ ମଧ୍ୟରେ ଉନ୍ନତି ନୋହିବ ବୋଲି ତୁମ୍ଭେମାନେ ଲେଖନ୍ତ କାରଣ ତାହାର ବଂଶୀୟ କୌଣସି ଲୋକ ଦାଉଦଙ୍କ ସିଂହାସନୋପବିଷ୍ଟ ହୋଇ ଓ ଯିହୁଦାର ଉପରେ ଆଉ କର୍ତ୍ତୃତ୍ୱ କରି ସମୃଦ୍ଧ ନୋହିବ ।