1 ଆହୁରି, ଯିରିମୀୟ, ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିବା ବେଳେସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାହାଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
2 ଏହି କାର୍ଯ୍ୟର ସାଧନକର୍ତ୍ତା ସଦାପ୍ରଭୁ, ଯେ ଏହା ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଅଛନ୍ତି,ସେହି ସଦାପ୍ରଭୁ ଏହି କଥା କହନ୍ତି; ସଦାପ୍ରଭୁ ତାହାଙ୍କର ନାମ;
3 ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା, ପୁଣି ତୁମ୍ଭର ଅଜ୍ଞାତ ମହତ ଓ ଦୁଷ୍କର ବିଷୟମାନ ତୁମ୍ଭକୁ ଦେଖାଇବା ।
4 କାରଣ ଏହି ନଗରର ଯେସକଳ ଗୃହ ଓ ଯିହୁଦାର ରାଜଗଣର ଯେସକଳ ଗୃହ ବନ୍ଧ ଓ ଖଡ଼୍ଗ ବିରୁଦ୍ଧରେ ଆଶ୍ରୟ ସ୍ୱରୂପ ହେବା ନିମନ୍ତେ ଭଗ୍ନ ହୋଇଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
5 ଲୋକମାନେ କଲ୍ଦୀୟମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଆସନ୍ତି, ମାତ୍ର ଯେଉଁମାନଙ୍କୁ ଆମ୍ଭେ ଆପଣା କ୍ରୋଧରେ ଓ ପ୍ରଚଣ୍ଡ କୋପରେ ବଧ କରିଅଛୁ ଓ ଯେଉଁମାନଙ୍କ ସକଳ ଦୁଷ୍ଟତା ସକାଶୁ ଆମ୍ଭେ ଏହି ନଗରଠାରୁ ଆପଣା ମୁଖ ଲୁଚାଇଅଛୁ, ସେହି ଲୋକମାନଙ୍କ ଶବରେ ସେସବୁ ଗୃହ ପରିପୂର୍ଣ୍ଣ ହେବ।
6 ଦେଖ, ଆମ୍ଭେ ଏହି ନଗର ପ୍ରତି ସ୍ୱାସ୍ଥ୍ୟ ଆଉ ଆରୋଗ୍ୟ ଆଣିବା,ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିବା; ପୁଣି, ଆମ୍ଭେ ସେମାନଙ୍କ ପ୍ରତି ପ୍ରଚୁର ଶାନ୍ତି ଓ ସତ୍ୟତା ପ୍ରକାଶ କରିବା ।
7 ଆଉ, ଆମ୍ଭେ ଯିହୁଦାର ବନ୍ଦୀତ୍ୱାବସ୍ଥା ଓ ଇସ୍ରାଏଲର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ପୁଣି ଆଦ୍ୟ କାଳର ନ୍ୟାୟ ସେମାନଙ୍କୁ ଗଠନ କରିବା ।
8 ପୁଣି, ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତିନ୍ତ ସେସବୁରୁ ଆମ୍ଭେ ସେମାନଙ୍କୁ ଶୁଚି କରିବାଓ ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମାଚରଣ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି ଓ ଯଦ୍ଦ୍ୱାରା ସେମାନେ ଆମ୍ଭର ଆଜ୍ଞା ଲଙ୍ଘନ କରିଅଛନ୍ତି, ଆମ୍ଭେ ସେସବୁ କ୍ଷମା କରିବା ।
9 ପୁଣି, ଆମ୍ଭେ ସେମାନଙ୍କ ପ୍ରତି ଯେସକଳ ମଙ୍ଗଳ କରିବା, ତାହା ପୃଥିବୀସ୍ଥ ସକଳ ଗୋଷ୍ଠୀ ଶ୍ରବଣ କରିବେ, ସେମାନଙ୍କ ସମ୍ମୁଖରେ ଏହି ନଗର ଆମ୍ଭ ପକ୍ଷରେ ଆନନ୍ଦଜନକ କୀର୍ତ୍ତି, ପ୍ରଶଂସା ଓ ଗୌରବ ସ୍ୱରୂପ ହେବ, ଆଉ ଆମ୍ଭେ ତାହା ପାଇଁ ଯେସବୁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତହିଁ ସକାଶୁ ସେମାନେ ଭୀତ ଓ କମ୍ପିତ ହେବେ ।
10 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଏହି ଯେଉଁ ସ୍ଥାନକୁ ଧ୍ୱଂସିତ, ନରଶୂନ୍ୟ ଓ ପଶୁଶୂନ୍ୟ, ବୋଲି କହୁଅଛ, ସେଠାରେ, ଅର୍ଥାତ୍, ଧ୍ୱଂସିତ, ନରଶୂନ୍ୟ, ନିବାସୀବିହୀନ ଓ ପଶୁଶୂନ୍ୟ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ସଡ଼କରେ।
11 ଆନନ୍ଦଧ୍ୱନି, ହର୍ଷନାଦ, ବରର ରବ ଓ କନ୍ୟାର ରବ,ପୁଣି ସୈନ୍ୟାଧିପତି ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ ଓ ତାହାଙ୍କର କରୁଣା ସଦାକାଳସ୍ଥାୟୀ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ରବ ଓ ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦରୂପ ବଳି ଆଣିବା ଲୋକମାନଙ୍କର ରବ ପୁନର୍ବାର ଶୁଣାଯିବ । କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ପୂର୍ବ କାଳର ନ୍ୟାୟ ଦେଶର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ।
12 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଏହି ନରଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନରେ ଓ ତହିଁର ସକଳ ନଗରରେ, ପୁନର୍ବାର ପଶୁପାଳକମାନଙ୍କର ବସତିସ୍ଥାନ ହେବ, ସେମାନେ ସେସ୍ଥାନରେ ଆପଣା ଆପଣା ପଲମାନଙ୍କୁ ବିଶ୍ରାମ କରାଇବେ।
13 ସଦାପ୍ରଭୁ କହନ୍ତି, ପାର୍ବତୀୟ ଦେଶର ନଗରସମୂହେ ର, ନିମ୍ନ ଭୂମିର ନଗରମାନରେ ଓ ଦକ୍ଷିଣ ଦିଗସ୍ଥ ସକଳ ନଗରରେ ଓ ବିନ୍ୟାମୀନ ଦେଶରେ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନରେ, ମେଷଗଣନାକାରୀ ଲୋକର ହସ୍ତାଧୀନରେ ମେଷପଲ ପୁନର୍ବାର ଗତାୟାତ କରିବେ ।
14 ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଇସ୍ରାଏଲ-ବଂଶ ଓ ଯିହୁଦା-ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ, ଆମ୍ଭର ତାହା ସଫଳ କରିବାରସମୟ ଆସୁଅଛି । *ଯିରି. 29:10;32:42।
15 ସେସକଳ ଦିନରେ ଓ ସେହି ସମୟରେ ଆମ୍ଭେ ଦାଉଦ-ବଂଶରେ ଧର୍ମରୂପ ଏକ ଶାଖା ଉତ୍ପନ୍ନ କରାଇବା; ପୁଣି, ସେ ଦେଶରେ ନ୍ୟାୟ ବିଚାର ଓ ଧର୍ମ ପ୍ରଚଳିତ କରିବେ ।
16 ସେହି ସକଳ ଦିନରେ ଯିହୁଦା ପରିତ୍ରାଣ ପାଇବ ଓ ଯିରୂଶାଲମ ନିରାପଦରେ ବାସ କରିବ, ଆଉ ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ ।
17 କାରଣ ସଦାପ୍ରଭୁ ଏହି କଥା କହନ୍ତି : ଇସ୍ରାଏଲ ବଂଶୀୟ ସିଂହାସନରେ ଉପବିଷ୍ଟ ହେବା ପାଇଁ ଦାଉଦ ସମ୍ପର୍କୀୟ ପୁରୁଷର ଅଭାବ କେତେବେଳେ ନୋହିବ।
18 କିଅବା ଆମ୍ଭ ସମ୍ମୁଖରେ ହୋମ ଉତ୍ସର୍ଗ ଓ ଭକ୍ଷ୍ୟ- ନୈବେଦ୍ୟ ଦାହ ଓ ନିତ୍ୟ ବଳିଦାନ କରିବା ପାଇଁଲେବୀୟ ଯାଜକମାନଙ୍କ ସମ୍ପର୍କୀୟ ଲୋକର ଅଭାବ ହେବ ନାହିଁ ।
19 ଅନନ୍ତର ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
20 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯେବେ ଦିବସ ସମ୍ବନ୍ଧୀୟ ଆମ୍ଭର ନିୟମ ଓ ରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ଏରୂପ ଭଗ୍ନ କରିପାର ଯେ, ଯଥା ସମୟରେ ଦିବସ କି ରାତ୍ରି ନ ହୁଏ;
21 ତେବେ ଆମ୍ଭ ଦାସ ଦାଉଦର ସିଂହାସନରେ ବସି ରାଜ୍ୟ କରିବା ପାଇଁ ତାହାର ସନ୍ତାନର ଅଭାବ ନୋହିବ ବୋଲି ତାହା ସଙ୍ଗେ ଆମ୍ଭର ଯେଉଁ ନିୟମ ଅଛି, ତାହା ମଧ୍ୟ ଭଗ୍ନ କରାଯାଇ ପାରିବ; ଆଉ, ଆମ୍ଭର ପରିଚାରକ ଲେବୀୟ ଯାଜକମାନଙ୍କ ସହିତ ଆମ୍ଭର ନିୟମ ହିଁ ଭଗ୍ନ କରାଯାଇ ପାରିବ ।
22 ଆକାଶମଣ୍ଡଳର ବାହିନୀଗଣର ସଂଖ୍ୟା ଯେପରି ଗଣାଯାଇ ନ ପାରେ, କିଅବା ସମୁଦ୍ରର ବାଲି ଯେପରି ମପାଯାଇ ନ ପାରେ, ସେପରି ଆମ୍ଭେ ଆପଣାର ଦାସ ଦାଉଦର ବଂଶକୁ ଓ ଆମ୍ଭର ପରିଚର୍ଯ୍ୟାକାରୀ ଲେବୀୟମାନଙ୍କୁ ବୃଦ୍ଧି କରିବା ।
23 ଆଉ, ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
24 ଏହି ଲୋକମାନେ ଯାହା କହିଅଛନ୍ତି, ତାହା କି ତୁମ୍ଭେ ବିବେଚନା କରୁ ନାହଁ ? ସେମାନେ କହିଅଛନ୍ତି, ସଦାପ୍ରଭୁ ଆପଣାର ମନୋନୀତ ଦୁଇ ଗୋଷ୍ଠୀଙ୍କି ଅଗ୍ରାହ୍ୟ କରିଅଛନ୍ତି । ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛ ଜ୍ଞାନ କରନ୍ତି, ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ଆଉ ରହିବେ ନାହିଁ ।
25 ସଦାପ୍ରଭୁ ଏହି କଥା କହନ୍ତି, ଯେବେ ଦିବସ ଓ ରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମସ୍ଥିର ନ ରହେ, ଆମ୍ଭେ ଯେବେ ଆକାଶର ଓ ପୃଥିବୀର ବିଧିସକଳ ନିରୂପଣ କରି ନ ଥାଉ,
26 ତାହାହେଲେ ଆମ୍ଭେ ଯାକୁବର ଓ ଆମ୍ଭ ଦାସ ଦାଉଦର ବଂଶକୁ ଅଗ୍ରାହ୍ୟ କରି ଅବ୍ରହାମର, ଇସ୍ହାକର ଓ ଯାକୁବର ବଂଶ ଉପରେ ଶାସନକର୍ତ୍ତା କରିବା ପାଇଁ ତାହାର ବଂଶରୁ ଲୋକ ଗ୍ରହଣ କରିବା ନାହିଁ । ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା ଓ ସେମାନଙ୍କ ପ୍ରତି ଦୟା କରିବା ।