1 ଏଥିମଧ୍ୟରେ ଅସଂଖ୍ୟ ଅସଂଖ୍ୟ ଲୋକ ଏକତ୍ର ହୋଇ ପରସ୍ପର ଉପରେ ମାଡ଼ିପଡ଼ୁଥିଲେ; ସେତେବେଳେ ସେ ପ୍ରଥମେ ଆପଣା ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, ଫାରୂଶୀମାନଙ୍କ ଖମୀରସ୍ୱରୂପ କପଟତା ବିଷୟରେ ସାବଧାନ ହୋଇଥାଅ।

2 କିନ୍ତୁ ଯାହା ପ୍ରକାଶିତ ନ ହେବ, ଏପରି ଆଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ,।

3 ଅତଏବ ତୁମ୍ଭେମାନେ ଯାହା ଅନ୍ଧକାରରେ କହିଅଛି, ସେହିସବୁ ଆଲୋକରେ ଶୁଣାଯିବ, ପୁଣି ଯାହା ଗୁପ୍ତ କୋଠରୀରେ ଗୋପନରେ କହିଅଛି, ତାହା ଘର ଛାତ ଉପରେ ଘୋଷଣା କରାଯିବ।

4 କିନ୍ତୁ ମୋର ବନ୍ଧୁ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ।

5 କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନରକରେ ନିକ୍ଷେପ କରିବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର।

6 ପାଞ୍ଚୋଟି ଘରଚଟିଆ କଅଣ ଯୋଡ଼ିଏ ପଇସାରେ ବିକାଯାଆନ୍ତି ନାହିଁ ଆଉ ସେମାନଙ୍କ ମଧ୍ୟରେ ଗୋଟିଏ ହେଲେ ଈଶ୍ୱରଙ୍କ ଛାମୁରେ ବିସ୍ମୃତ ନୁହେଁ।

7 କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶହିଁ ଗଣାଯାଇଛି। ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ।

8 . ଆଉ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ସ୍ୱୀକାର କରିବେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତାରେ ତାହାଙ୍କୁ ସ୍ୱିକାର କରିବେ;

9 କିନ୍ତୁ ଯେ ଲୋକଙ୍କ ସାକ୍ଷାତାରେ ମୋତେ ଅସ୍ୱୀକାର କରିବ, ସେ ଈଶ୍ୱରଙ୍କ ଦୂତମାନଙ୍କ ସାକ୍ଷାତରେ ଅସ୍ୱିକାର କରାଯିବ।

10 ଆଉ ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷାମା ଦିଆଯିବ; ମାତ୍ରା ଯେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହିବ, ତାହାକୁ କ୍ଷମା ଦିଆଯିବ ନାହିଁ।

11 ଆଉ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମାଜଗୃହ, କର୍ତ୍ତୃପକ୍ଷ ଓ କ୍ଷମତାପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟକୁ ନେଇଯିବେ, ସେତେବେଳେ ତୁମ୍ଭେମାନେ ଆପଣା ସପକ୍ଷରେ କିପରି ବା କି କଥା ଉତ୍ତର ଦେବ କିମ୍ବା କଅଣ କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ;

12 କାରଣ କଅଣ କହିବାକୁ ହେବ, ତାହା ପବିତ୍ର ଆତ୍ମା ସେହି ଦଣ୍ଡରେ ତୁମ୍ଭମାନଙ୍କୁ ଶିଖାଇବେ।

13 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋର ଭାଇକୁ ମୋ ସହିତ ପୈତୃକ ସମ୍ପତି ଭାଗ କରିଦେବା ନିମନ୍ତେ କହନ୍ତୁ।

14 କିନ୍ତୁ ସେ ତାହାଙ୍କୁ କହିଲେ, ହେ ଭାଇ. କିଏ ମୋତେ ତୁମ୍ଭମାନଙ୍କ ଉପରେ ବିଚାରକର୍ତ୍ତା ଓ ବିଭାଗକର୍ତ୍ତା କରି ନିଯୁକ୍ତ କଲା।

15 ପୁଣି ସେ ସେମାନଙ୍କୁ କହିଲେ, ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାର ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ।

16 . ଆଉ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, ଜଣେ ଧନୀ ଲୋକର କ୍ଷେତରେ ବହୁତ ଫସଲ ହେଲା।

17 ସେଥିରେ ସେ ମନେ ମନେ ବିବେଚନା କରି କହିଲେ, କଅଣ କରିବି କାରଣ ମୋହର ଫସଲ ସଂଗ୍ରହ କରି ରଖିବା ନିମନ୍ତେ ସ୍ଥାନ ନାହିଁ।

18 ପୁଣି ସେ କହିଲେ, ଏହା କରିବି; ମୋର ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋହର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି,

19 ଆଉ ମୁଁ ମୋହର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଦ୍ରବ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍;

20 କିନ୍ତୁ ଈଶ୍ୱର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ଆୟୋଜନ କରିଅଛୁ, ସେହିସବୁ କାହାର ହେବ।

21 ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ୱରଙ୍କ ବିଷୟରେ ଧନୀ ନୁହେଁ, ତାହା ପ୍ରତି ଏହିପରି ଘଟେ।

22 ସେ ଆପଣା ଶିଷ୍ୟମାନଙ୍କୁ କହୁଅଛି, କଅଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କଅଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ।

23 କାରଣ ଭକ୍ଷ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ।

24 କୁଆମାନଙ୍କ ବିଷୟ ଭାବି ଦେଖ, ସେମାନେ ବୁନନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି ସେମାନଙ୍କର ଗୋଲାଘର ବା ଅମାର ନାହିଁ, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ!

25 ପୁଣି ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟ ହାତେ ଦୀର୍ଘକରି ପାରେ।

26 ଅତଏବ ତୁମ୍ଭେମାନେ ଯଦି ସବୁଠାରୁ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟ ସମ୍ବନ୍ଧରେ କାହିଁକି ଚିନ୍ତା କରୁଅଛ।

27 ପୁଷ୍ପଗୁଡ଼ିକ ବିଷୟ ଭାବି ଦେଖ, ସେଗୁଡ଼ିକକିପରି ସୁତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲମୋନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ।

28 କିନ୍ତୁ ଯେଉଁ ଘାସ ଜିଆ କ୍ଷେତରେ ଅଛି, ଆଉ କାଲି ଚୁଲ୍ଲୀରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, କେତେ ଅଧିକ ରୂପେ ନ ଦେବେ!

29 ପୁଣି କଅଣ ଖାଇବ ଓ କଅଣ ପିଇବ, ତାହା ତୁମ୍ଭେମାନେ ଖୋଜି ବୁଲ ନାହିଁ କିମ୍ବା ଚିନ୍ତିତ ହୁଅ ନାହିଁ,

30 କାରଣ ଜଗତର ବିଜାତିମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି; କିନ୍ତୁ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ପ୍ରୟୋଜନ, ତାହା ତୁମ୍ଭମାନଙ୍କର ପିତା ଜାଣନ୍ତି।

31 ବରଞ୍ଚ ତୁମ୍ଭେମାନେ ତାହାଙ୍କ ରାଜ୍ୟ ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।

32 ସେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କର ପିତାଙ୍କ ସନ୍ତୋଷ।

33 ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଥାଳି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା କୀଟ ନଷ୍ଟ କରେ ନାହିଁ,

34 କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ।

35 ତୁମ୍ଭମାନଙ୍କ କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ;

36 ଆଉ ପ୍ରଭୁ ବିବାହ-ଉତ୍ସବରୁ ବାହୁଡ଼ିଆସି ଦ୍ୱାରରେ ମାରିବାନିମାତ୍ରେ ଯେଉଁ ଲୋକମାନେ ତାହାଙ୍କ ନିମନ୍ତେ ତତ୍ କ୍ଷଣାତ୍ ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାଆନ୍ତି, ତୁମ୍ଭେମାନେ ସେମାନଙ୍କ ପରି ହୋଇ ରହିଥାଅ।

37 ଆଉ ପ୍ରଭୁ ବିବାହ-ଉତ୍ସବରୁ ବାହୁଡ଼ିଆସି ଦ୍ୱାରରେ ମାରିବାନିମାତ୍ରେ ଯେଉଁ ଲୋକମାନେ ତାହାଙ୍କ ନିମନ୍ତେ ତତ୍ କ୍ଷଣାତ୍ ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାଆନ୍ତି, ତୁମ୍ଭେମାନେ ସେମାନଙ୍କ ପରି ହୋଇ ରହିଥାଅ।

38 ଆଉ ସେ ଯଦି ଦ୍ୱିତୀୟ କି ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେପରି ଦେଖନ୍ତି, ତାହା ହେଲେ ସେହି ଦାସମାନେ ଧନ୍ୟ।

39 କିନ୍ତୁ ଏହା ଜାଣିଥାଅ, କେଉଁ ଦଣ୍ଡରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହା ହେଲେ ସେ ଆପଣା ଗୃହରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ।

40 ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ଦଣ୍ଡରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ଦଣ୍ଡରେ ମନୁଷ୍ୟପୁତ୍ର ଆସିବେ।

41 ସେଥିରେ ପିତର କହିଲେ, ହେ ପ୍ରଭୁ, ଆପଣ କେବଳ ଆମ୍ଭମାନଙ୍କୁ ନା ସମସ୍ତଙ୍କୁ ଏହି ଦୃଷ୍ଟାନ୍ତ କହୁଅଛନ୍ତି।

42 ପ୍ରଭୁ କହିଲେ, ଏଣୁ ଆପଣା ପରିଜନ ମାନଙ୍କୁ ଯଥାସମୟରେ ନିରୂପିତ ପଡ଼ି ଦେବା ନିମନ୍ତେ ପ୍ରଭୁ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କରିବେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ୍ ବେବର୍ତ୍ତା କିଏ।

43 ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ।

44 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ।

45 କିନ୍ତୁ ଯଦି ସେହି ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଦାସଦାସୀମାନଙ୍କୁ ପ୍ରହାର କରିବାକୁ ଏବଂ ଭୋଜନପାନ କରି ମାତ୍ତ ହେବାକୁ ଆରମ୍ଭ କରେ,

46 ତାହା ହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ଡ ସେ ଜାଣି ନ ଥିବା, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ, ପୁଣି ସେ ତାହାକୁ ଦ୍ୱିଖଣ୍ଡ କରି ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ।

47 ଆଉ ଯେଉଁ ଦାସ ନିଜ ପ୍ରଭୁଙ୍କ ଇଛା ଜାଣି ପ୍ରସ୍ତୁତ ହୋଇ ନ ଥାଏ କିମ୍ବା ତାହାଙ୍କର ଇଛାନୁସାରେ କାର୍ଯ୍ୟ କରି ନ ଥାଏ,

48 ସେ ବହୁତ ପ୍ରହାରରେ ପ୍ରହରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହରିତ ହେବ। ଯାହାକୁ ବହୁତ ପ୍ରଦାତ୍ତ ହୋଇଅଛି, ତାହାଠାରୁ ବହୁତ ଦାବୀ କରାଯିବ; ପୁଣି ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବୀ କରିବେ।

49 ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହା ହେଲେ ମୋହର ଆଉ କଅଣ ବାଞ୍ଛା।

50 ମାତ୍ର ମୋତେ ଏକ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ହେବ, ଆଉ ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ମୁଁ କିପରି ନିଷ୍ପିଡ଼ିତହେଉଅଛି।

51 ମୁଁ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛୁ ବୋଲି କଅଣ ତୁମ୍ଭେମାନେ ମନେ କରୁଅଛ ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, ବରଂ ଭେଦ ଜନ୍ନାଇବାକୁ ଆସିଅଛି।

52 କାରଣ ଅଦ୍ୟାବଧି ଗୋଟିଏ ଗୃହରେ ପାଞ୍ଚ ଜନ ଥିଲେ ଦୁଇ ଜଣଙ୍କ ବିରୁଦ୍ଧରେ ତିନି ଜଣ ଓ ତିନି ଜନଙ୍କ ବିରୁଦ୍ଧରେ ଦୁଇ ଜଣ ବିଭିନ୍ନ ହେବ।

53 ପୁତ୍ର ବିରୁଦ୍ଧରେ ପିତା, ପିତା ବିରୁଦ୍ଧରେ ପୁତ୍ର, କନ୍ୟା ବିରୁଦ୍ଧରେ ମାତା, ମାତା ବିରୁଦ୍ଧରେ କନ୍ୟା, ବୋହୂ ବିରୁଦ୍ଧରେ ଶାଶୁ ଓ ଶାଶୁ ବିରୁଦ୍ଧରେ ବୋହୂ ଭିନ୍ନ ହେବେ।

54 ପୁଣି ସେ ଲୋକସମୂହକୁ ମଧ୍ୟ କହିଲେ, ପଶ୍ଚିମ ଦିଗରେ ମେଘ ଉଠୁଥିବା ଦେଖିଲେ ସେହିକ୍ଷଣି ତୁମ୍ଭେମାନେ କୁହ, ବର୍ଷା ଆସୁଅଛି, ଆଉ ସେହିପରି ଘଟେ;

55 ପୁଣି ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି ତାହା ଘଟେ।

56 ରେ କପଟୀମାନେ, ତୁମ୍ଭେମାନେ ପୃଥିବୀ ଓ ଆକାଶର ଲକ୍ଷଣସବୁ ବୁଝି ପାରୁଅଛ, କିନ୍ତୁ ଏହି କାଳର ଲକ୍ଷଣସବୁ କିପରି ବୁଝୁ ନାହଁ।

57 ଆଉ ନିଜେ ନିଜେ କାହିଁକି ନ୍ୟାୟବିଚାର କରୁ ନାହଁ।

58 କାରଣ ତୁମ୍ଭର ବିବାଦୀ ସହିତ ଶାସନକର୍ତ୍ତାଙ୍କ ଛାମୁକୁ ଯାଉଥିବା ସମୟରେ ପଥ ମଧ୍ୟରେ ତାହାଠାରୁ ମୁକ୍ତ ହେବା ପାଇଁ ଯତ୍ନ କର, କାଳେ ସେ ତୁମ୍ଭକୁ ବିଚାରକର୍ତ୍ତାଙ୍କ ନିକଟକୁ ଟାଣି ଘେନିଯିବ, ପୁଣି ବିଚାରକର୍ତ୍ତା ତୁମ୍ଭକୁ ପଦାତିକ ହସ୍ତରେ ସମର୍ପଣ କରିବେ, ଆଉ ପଦାତିକ ତୁମ୍ଭକୁ କାରାଗାରରେ ନିକ୍ଷେପ କରିବ।

59 ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ଶେଷ କାଉଡ଼ିଟି ନ ସୁଝିବା ପର୍ଯ୍ୟନ୍ତ ସେହି ସ୍ଥାନରୁ କୌଣସି ପ୍ରକାରେ ବାହାରିଆସି ପାରିବ ନାହିଁ।