1 ଥରେ ସେ ବିଶ୍ରାମବାରରେ ଭୋଜନ କରିବା ନିମନ୍ତେ ଫାରୂଶୀମାନଙ୍କର ଜଣେ ନେତାଙ୍କ ଗୃହରେ ପ୍ରବେଶ କରନ୍ତେ ସେମାନେ ତାହାଙ୍କୁ ଲକ୍ଷ କରି ରହିଲେ।

2 ଆଉ ଦେଖ, ତାହାଙ୍କ ସମ୍ମୁଖରେ ଜଣେ ଜଳୋଦରରୋଗରେ ପୀଡ଼ିତ ଲୋକ ଥିଲେ।

3 ସେଥିରେ ଯୀଶୁ ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ଉତ୍ତର ଦେଲେ, ବିଶ୍ରାମବାରରେ ସୁସ୍ଥ କରିବା ବିଧିସଙ୍ଗତ କି ନା କିନ୍ତୁ ସେମାନେ ନୀରବ ରହିଲେ।

4 ପୁଣି ସେ ତାହାକୁ ଧରି ସୁସ୍ଥ କଲେ ଓ ବିଦାୟ ଦେଲେ।

5 ଆଉ ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରୁ କେହି ଆପଣା ପୁଅ ବା ବଲଦ କୂଅରେ ପଡ଼ିଲେ କଅଣ ତାହାକୁ ବିଶ୍ରାମବାରରେ ସେହିକ୍ଷଣି ଉଠାଇବ ନାହିଁ।

6 ଆଉ ସେମାନେ ଏହି ସମସ୍ତ କଥାର କୌଣସି ଉତ୍ତର ଦେଇ ପାରିଲେ ନାହିଁ।

7 ପୁଣି, ନିମନ୍ତ୍ରିତ ଲୋକମାନେ କିପ୍ରକାରେ ପ୍ରଧାନ ପ୍ରଧାନ ଆସନ ବାଛୁଥିଲେ, ଏହି ଲକ୍ଷକରି ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଇ କହିଲେ,

8 ଯେତେବେଳେ ତୁମ୍ଭେ କୌଣସି ଲୋକ ଦ୍ୱାରା ବିବାହଭୋଜକୁ ନିମନ୍ତ୍ରିତ ହୁଅ, ସେତେବେଳେ ପ୍ରଧାନ ଆସନରେ ବସ ନାହିଁ କାଳେ ତୁମ୍ଭଠାରୁଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ତାହାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିବେ,

9 ଆଉ ଯେ ତୁମ୍ଭକୁ ଓ ତାହାଙ୍କୁ ନିମନ୍ତ୍ରଣ କଲେ, ସେ ଆସି ତୁମ୍ଭକୁ କହିବେ, ଏହାଙ୍କୁ ସ୍ଥାନ ଦିଅ; ଆଉ, ସେତେବେଳେ ତୁମ୍ଭେ ଲଜ୍ଜାରେ ନିମ୍ନତମ ସ୍ଥାନ ଗ୍ରହଣ କରିବାକୁ ଯିବ।

10 କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ହେ ବନ୍ଧୁ, ଉଚତର ସ୍ଥାନକୁ ଆସ; ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ସାକ୍ଷାତରେ ତୁମ୍ଭର ଗୌରବ ହେବ।

11 କାରଣ ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।

12 ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କି ମଧ୍ୟ କହିଲେ, ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭ୍ରାତା କି ଆତ୍ମିୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ।

13 କିନ୍ତୁ ଭୋଜ ପ୍ରସ୍ତୁତ କଲେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର;

14 ତାହାହେଲେ ତୁମ୍ଭେ ଧନ୍ୟ ହେବ, କାରଣ ତୁମ୍ଭକୁ ପ୍ରତିଦାନ ଦେବା ନିମନ୍ତେ ସେମାନଙ୍କର କିଛି ନାହିଁ; ଆଉ, ଧାର୍ମିକମାନଙ୍କ ପୁନରୁଥାନ ସମୟରେ ତୁମ୍ଭକୁ ପ୍ରତିଦାନ ଦିଆଯିବ।

15 ତାହା ଶୁଣି ତାହାଙ୍କ ସହିତ ଭୋଜନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଯେଉଁ ଲୋକ ଈଶ୍ୱରଙ୍କ ରାଜ୍ୟରେ ଭୋଜନ କରିବ, ସେ ଧନ୍ୟ।

16 କିନ୍ତୁ ସେ ତାହାଙ୍କୁ କହିଲେ, ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଛା କରି ଅନେକଙ୍କୁ ନିମନ୍ତ୍ରଣ କଲେ;

17 ଆଉ, ଭୋଜନର ସମୟ ଉପସ୍ତିତ ହୁଅନ୍ତେ ସେ ନିମନ୍ତ୍ରିତ ଲୋକମାନଙ୍କ ନିକଟକୁ ଆପଣା ଦାସକୁ ପଠାଇ କହିଲେ, ଆପଣମାନେ ଆସନ୍ତୁ, କାରଣ ସମସ୍ତ ପ୍ରସ୍ତୁତ ହେଲାଣି।

18 କିନ୍ତୁ ସମସ୍ତେ ଏକ ମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ। ପ୍ରଥମ ଜଣ ତାହାକୁ କହିଲେ, ମୁଁ ଖଣ୍ଡେ କ୍ଷେତ କିଣିଅଛି, ମୋତେ ତାହା ଦେଖିବାକୁ ପଡ଼ିବ; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର।

19 ଆଉ ଜଣେ କହିଲା, ମୁଁ ପାଞ୍ଚ ହଳ ବଳଦ କିଣିଅଛି, ଆଉ ମୁଁ ସେମାନଙ୍କୁ ପରୀକ୍ଷା କରିବାକୁ ଯାଉଅଛି; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେକରେ।

20 ଅନ୍ୟ ଜଣେ କହିଲା, ମୁଁ ବିବାହ କରିଅଛି, ତେଣୁ ଯାଇ ପାରୁ ନାହିଁ।

21 ପୁଣି, ସେହି ଦାସ ଆସି ଆପଣା ପ୍ରଭୁଙ୍କୁ ସେହିସବୁ ଜଣାଇଲା। ସେଥିରେ ଗୃହକର୍ତ୍ତା କ୍ରୋଧାନ୍ୱିତ ହୋଇ ଆପଣା ଦାସକୁ କହିଲେ, ଶୀଘ୍ର ନଗରର ଦାଣ୍ଡ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାକୁ ଘେନି ଆସ।

22 ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଜ୍ଞାଅନୁସାରେ କରାଯାଇଅଛି ତଥାପି ଆହୁରି ସ୍ଥାନ ଅଛି।

23 ସେଥିରେ ପ୍ରଭୁ ସେହି ଦାସକୁ କହିଲେ, ରାଜଦାଣ୍ଡ ଓ ଗଛମୂଳକୁ ଯାଇ, ମୋହର ଗୃହ ଜେପେରୀ ପୁର୍ଣ୍ଣ ହିଏ, ସେଥିପାଇଁ ଲୋକମାନଙ୍କୁ ଆସିବା ପାଇଁ ବଳାଅ।

24 ଜେଣୁ ମୁଁ ତୁମ୍ଭମାନଙ୍କୁ କହିଅଛି, ସେହି ନିମନ୍ତ୍ରିତ ଲୋକମାନଙ୍କ ମଧ୍ୟରୁ କେହି ମୋହର ଭୋଜନ ଆସ୍ୱାଦ ପାଇବ ନାହିଁ।

25 ବହୁ ସଂଖ୍ୟକ ଲୋକ ତାହାଙ୍କ ସହିତ ଯାତ୍ରା କରୁଥିଲେ ଆଉ ସେ ବୁଲିପଡ଼ି ସେମାନଙ୍କୁ କହିଲେ,

26 କେହି ଯେବେ ମୋ’ ନିକଟକୁ ଆସି ଆପଣା ପିତା, ମାତା, ଭାର୍ଯ୍ୟା, ସନ୍ତାନ, ଭ୍ରାତା ଓ ଭଗ୍ନିମାନଙ୍କୁ ଏପରିକି ଆପଣା ପ୍ରାଣକୁ ସୁଦ୍ଧା ଅପ୍ରିୟ ଜ୍ଞାନ ନକରେ, ତେବେ ସେ ମୋହର ଶିଷ୍ୟ ହୋଇ ପାରେନାହିଁ।

27 ଯେକେହି ଆପଣା କ୍ରୁଶ ବହନ କରି ମୋହର ଅନୁଗମନ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ।

28 କାରଣ ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରହରୀଗୃହ ନିର୍ମାଣ କରିବାକୁ ଇଛା କରି ତାହା ସମ୍ପୁର୍ଣ୍ଣ କରିବା ନିମନ୍ତେ ତାହାର ଅର୍ଥବଳ ଅଛି କି ନାହିଁ, ଏହା ପ୍ରଥମେ ବସି ବ୍ୟୟହିସାବ ଦେଖିବା ନାହିଁ।

29 କାଳେ ସେ ମୂଲଦୁଆ ବସାଇ ଶେଷ କରି ନ ପାରିଲେ, ଯେତେ ଲୋକ ତାହା ଦେଖିବେ, ସମସ୍ତେ ତାହାକୁ ପରିହାସ କରି କହିବାକୁ ଲାଗିବେ,

30 ଏ ଲୋକଟା ତୋଳିବାକୁ ଆତମ୍ଭ କରି ଶେଷ କରି ପାରିଲା ନାହିଁ।

31 କିମ୍ବା କେଉଁ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବାକୁ ଯାଉଥିବା ସମୟରେ, କୋଡ଼ିଏହଜାର ସୈନ୍ୟ ଘେନି ତାଙ୍କ ବିରୁଦ୍ଧରେ ଆସୁଥିବା ରାଜାଙ୍କ ସହିତ ଦଶହଜାର ସୈନ୍ୟ ନେଇ ଯୁଦ୍ଧ କରିବାକୁ ସକ୍ଷମ କି ନାହି, ତାହା ପ୍ରଥମେ ବସି ବିବେଚନା କରିବେ ନାହିଁ।

32 ଯଦି ପାରନ୍ତି ନାହିଁ, ତେବେ ଅନ୍ୟ ରାଜା ଦୂରରେ ଥାଉଥାଉ ସେ ଦୂତ ପଠାଇ ସନ୍ଧି ପ୍ରାର୍ଥନା କରନ୍ତି।

33 ସେହିପ୍ରକାରେ ତୁମ୍ଭମାନଙ୍କ ମଧ୍ୟରୁ ଯେକେହି ଆପଣାର ସର୍ବସ୍ଵ ତ୍ୟାଗ ନ କରେ, ସେ ମୋହର ଶିଷ୍ୟ ହୋଇ ପରେ ନାହିଁ।

34 ଲବଣ ତ ଉତ୍ତମ; କିନ୍ତୁ ଲବଣ ମଧ୍ୟ ଯଦି ସ୍ୱାଦହିନ ହୁଏ, ତେବେ ତାହା କାହିଁରେ ସ୍ୱାଦଯୁକ୍ତ କରାଯିବ।

35 ତାହା ଭୂମି କିମ୍ବା ଖାତଗଦା ନିମନ୍ତେ ଯୋଗ୍ୟ ନୁହେଁ; ଲୋକେ ତାହା ବାହାରେ ଫପାଡ଼ିଦିଅନ୍ତି। ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।