1 ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା।
2 ସୁରିଆର ଶାସନକର୍ତ୍ତା କ୍ୱିରୀଣିୟଙ୍କ ସମୟରେ ପ୍ରଥମ ଥର ଏହି ନାମଲେଖା ହୋଇଥିଲା।
3 ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ।
4 ପୁଣି ଯୋସେଫ ମଧ୍ୟ ନାମ ଲେଖିବା ନିମନ୍ତେ ମରିୟମଙ୍କ ସହିତ ଗାଲୀଲୀର ନାଜରିତ ନଗରରୁ ଯିହୂଦା ପ୍ରଦେଶର ବେଥଲେହିମନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ;
5 ତାହାଙ୍କ ସହିତ ମରିୟମଙ୍କ ବିବାହନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ।
6 ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କ ପ୍ରସବ କାଳ ଉପସ୍ତିତି ହେଲା,
7 ପୁଣି ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା।
8 ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ପଲ ଜଗୁଥିଲେ।
9 ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି ପ୍ରଭୁଙ୍କର ଗୌରବର ଜ୍ୟୋତିଃ ସେମାନଙ୍କ ଚତୁର୍ଦ୍ଦିଗରେ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ଥ ହେଲେ।
10 ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ। ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି,
11 କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ।
12 ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିନ୍ନସ୍ୱରୁପ ହେବ, ତୁମ୍ଭେମାନେ ଏକ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ।
13 ପୁଣି ଅକସ୍ମାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ୍ ଦଳ ଉପସ୍ଥିତ ହୋଇ ଈଶ୍ବରଙ୍କ ସ୍ତବଗାନ କରୁ କରୁ କହିଲେ,
14 ଉର୍ଦ୍ଧ୍ୱଲୋକରେ ଇଶ୍ୱରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି।
15 ଦୂତମାନେ ସେମାନଙ୍କଠାରୁ ସ୍ୱର୍ଗକୁ ପ୍ରସ୍ଥାନ କଲା ଉତ୍ତାରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲେହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା।
16 ଏଥିରେ ସେମାନେ ଶୀଘ୍ର ଯାଇ, ଅନ୍ୱେଷଣ ମରିୟମ ଓ ଯୋସେଫଙ୍କୁ, ପୁଣି ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ।
17 ସେମାନେ ଏହା ଦେଖି ସେହି ଶିଶୁଙ୍କ ସମ୍ବନ୍ଧରେ ଯେଉଁ କଥା କୁହାଯାଇ ଥିଲା, ତାହା ପ୍ରକାଶ କଲେ,
18 ପୁଣି, ଯେତେ ଲୋକ ମେଷପାଳକମାନଙ୍କ ଠାରୁ ସେହି କଥା ଶୁଣିଲେ, ସେମାନେ ସମସ୍ତେ ସେହି କଥାରେ ଚମତ୍କୃତ ହେଲେ।
19 କିନ୍ତୁ ମରିୟମ ଏହି ସମସ୍ତ କଥା ହୃଦୟରେ ରଖି ଆନ୍ଦୋଳନ କରିବାକୁ ଲାଗିଲେ।
20 ଆଉ ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେସମସ୍ତ ସକାଶେ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ବାହୁଡ଼ିଗଲେ।
21 ତାହାଙ୍କୁ ସୁନ୍ନତ କରିବା ସକାଶେ ଅଷ୍ଟମ ଦିନ ଉପସ୍ଥିତ ହୁଅନ୍ତେ ତାହାଙ୍କର ନାମ ଯୀଶୁ ଦିଆଗଲା; ଏହିନାମ ତାହାଙ୍କ ଗର୍ଭାସ୍ଥ ହେବପୁର୍ବରୁ ଦୂତଙ୍କ ଦ୍ୱାରା ଦିଆଯାଇଥିଲା।
22 ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନଙ୍କ ଶୁଚୀ ହେବା ସମୟ ପୁର୍ଣ୍ଣ ହେଲା,
23 ସେତେବେଳେ ପ୍ରତ୍ୟେକ ପ୍ରଥମ ଜାତ ପୁଂସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବ,
24 ପ୍ରଭୁଙ୍କ ବ୍ୟବସ୍ଥାଶାସ୍ତ୍ରରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉସ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାଶାସ୍ତ୍ରରେ ଉଲ୍ଲିଖିତ ଉକ୍ତି ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମକୁ ଘେନିଗଲେ।
25 ଆଉ ଦେଖ, ଯିରୁଶାଲମରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାୟେଲର ସାନ୍ତ୍ୱନା ନିମନ୍ତେ ଅପେକ୍ଷା କରୁଥିଲେ, ପୁଣି ପବିତ୍ର ଆତ୍ମା ତାହାଙ୍କ ଠାରେ ଅଧିଷ୍ଠାନ କରିଥିଲେ।
26 ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବନାହିଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା।
27 ସେ ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ବ୍ୟବସ୍ଥାର ବିଧି ଅନୁଯାଇ କ୍ରିୟା କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ,
28 ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ୱରଙ୍କ ସ୍ତବ କରି କହିଲେ,
29 ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଚ୍ଛ;
30 କାରଣ ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି,
31 ଯାହା ତୁମ୍ଭେ ସମସ୍ତ ଲୋକଙ୍କ ସମ୍ମୁଖରେ ପ୍ରସ୍ତୁତ କରି,
32 ବିଜାତିମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଜ୍ୟୋତିଃ ପୁଣି ତୁମ୍ଭ ଲୋକ ଇସ୍ରାୟେଲର ଗୌରବସ୍ୱରୁପ କରିଅଛି।
33 ତାହାଙ୍କ ସମ୍ବନ୍ଧୀୟ କଥିତ ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ।
34 ଆଉ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରିୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବ ପ୍ରକାଶିତ ହୁଏ,
35 ସେଥିପାଇଁ ଏହି ଶିଶୁ ଇସ୍ରାୟେଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିନ୍ନ ହେବା ନିମନ୍ତେ ନିରୁପିତ, ପୁଣି ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ଼୍ଗ ବିଦ୍ଧ କରିବ।
36 ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀଅବସ୍ଥା ପରେ ସାତ ବର୍ଷ ସ୍ୱାମୀ ସହିତ ବାସ କରିଥିଲେ ଓ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ।
37 ସେ ମନ୍ଦିର ପରିତ୍ୟାଗ ନ କରି ଉପବାସ ଓ ନିବେଦନ ସହ ଦିବାରାତ୍ର ଉପାସନା କରୁଥିଲେ।
38 ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ବରଙ୍କ ସ୍ତୁତିବାଦ କରୁଁ କରୁଁ ଯିରୁଶାଲମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ।
39 ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କ୍ରିୟା ସମ୍ପନ୍ନ କରି ଗାଲୀଲୀକି, ନିଜ ନଗର ନାଜରିତକୁ ବାହୁଡ଼ିଗଲେ।
40 ଆଉ ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୁର୍ଣ୍ଣ ହେଉଁ ହେଉଁ ଶକ୍ତିମାନ୍ ହେଲେ, ପୁଣି ଇଶ୍ବରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା।
41 ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାରପର୍ବ ସମୟରେ ଯିରୁଶାଲମକୁ ଯାଉଥିଲେ।
42 ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ।
43 ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ବାହୁଡ଼ିଆସୁଥିଲେ, ସେତେବେଳେ ବାଳକ ଯିଶୁ ଯିରୁଶାଲମରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ।
44 କିନ୍ତୁ ସେ ସହଯାତ୍ରୀମାନଙ୍କ ସଂଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି ଆତ୍ମୀୟ ଓ ପରିଚିତ ଲୋକଙ୍କ ମଧ୍ୟରେ ତାହାଙ୍କର ଅନ୍ୱେଷଣ ଲାଗିଲେ,
45 ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୁଶାଲମକୁ ଲେଉଟିଗଲେ।
46 ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ,
47 ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ବିତ ହେଉଥିଲେ।
48 ସେମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟାନ୍ବିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ ଦେଖ୍, ତୋର ବାପା ଓ ମୁଁ ଅତିଶୟ କାତର ହୋଇ ତୋତେ ଖୋଜୁଅଛୁ।
49 ଏଥିରେ ସେ ସେମାନଙ୍କୁ କହିଲେ, କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ।
50 କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ।
51 ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କ ବଶୀଭୂତ ହୋଇ ରହିଲେ; ପୁଣି ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନରୁପେ ଆପଣା ହୃଦୟରେ ରଖିଲେ।
52 ଆଉ ଯୀଶୁ ଜ୍ଞାନରେ ଓ ଶରୀରରେ ପୁଣି ଈଶ୍ବରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ।