1 ସେ ସେହିସ୍ଥାନରୁ ପ୍ରସ୍ଥାନ କରି ଯିହୂଦା ସୀମା ଓ ଯର୍ଦ୍ଦନର ପରପାରିକି ଆସିଲେ; ଆଉ ଲୋକସମୂହ ପୁନର୍ବାର ତାହାଙ୍କ ନିକଟରେ ଏକତ୍ର ହୁଅନ୍ତେ ସେ ନିଜ ରୀତି ଅନୁସାରେ ସେମାନଙ୍କୁ ପୁଣି ଶିକ୍ଷା ଦେବାକୁ ଲାଗିଲେ |।
2 ଇତିମଧ୍ୟରେ ଫାରୂଶୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ,ଆପଣା ସ୍ତ୍ରୀ ପରିତ୍ୟାଗ କରିବା କଅଣ ପୁରୁଷ ପକ୍ଷରେ ନ୍ୟାୟସଙ୍ଗତ।
3 ସେ ସେମାନଙ୍କୁ ଉତ୍ତର ଦେଲେ, ମୋଶା ତୁମ୍ଭମାନଙ୍କୁ କି ଆଜ୍ଞା ଦେଇଅଛନ୍ତି।
4 ସେମାନେ କହିଲେ, ତ୍ୟାଗ ପତ୍ର ଲେଖି ସ୍ତ୍ରୀକି ପରିତ୍ୟାଗ କରିବା ନିମହନ୍ତେ ମୋଶା ଅନୁମତି ଦେଇଅଛନ୍ତି |।
5 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ସେ ତୁମ୍ଭମାନଙ୍କ ନିମନ୍ତେ ଏହି ଆଜ୍ଞା ଲିପିବଦ୍ଧ କରିଅଛନ୍ତି |।
6 କିନ୍ତୁ ସୃଷ୍ଟିର ଆରମ୍ଭରୁ ସେ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ |।
7 ଏହି କାରଣରୁ ପୁରୁଷ ଆପଣା ପିତାମାତାଙ୍କୁ ପରିତ୍ୟାଗ କରିବ, ଆଉ ସେ ଦୁହେଁ ଏକାଙ୍ଗ ହେବେ |।
8 ଏଣୁ ସେମାନେ ଆଉ ଦୁଇ ନୁହନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି |।
9 ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ |।
10 ପରେ ଶିଶ୍ୟମାନେ ଘରେ ତାହାଙ୍କୁ ଏ ବିଷୟ ପୁନର୍ବାର ପଚାରିବାକୁ ଲାଗିଲେ |।
11 ସେଥିରେ ସେ ସେମାନଙ୍କୁ କହିଲେ, ଯେ କେହିଆପଣ ସ୍ତ୍ରୀକି ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ତାହା ବିରୁଦ୍ଧରେ ବ୍ୟଭିଚାର କରେ;
12 ଆଉ ଯଦି ସ୍ତ୍ରୀ ଆପଣା ସ୍ୱାମୀକି ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ତେବେ ସେ ବ୍ୟଭିଚାର କରେ |।
13 ସେ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ରା ଶିଷ୍ୟମାନେ ସେମାନଙ୍କୁ ଧମକ ଦେଲେ |।
14 ଯୀଶୁ ତାହା ଦେଖି ବିରକ୍ତ ହୋଇ ସେମାନଙ୍କୁ କହିଲେ, ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କରନାହିଁ; କାରଣ ଈଶ୍ୱରଙ୍କ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର |।
15 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ |।
16 ପୁଣି ସେ ସେମାନଙ୍କୁ କୋଳରେ ଘେନି ଓ ସେମାନଙ୍କ ଉପରେ ହାତ ଥୋଇ ସେମାନଙ୍କୁ ଆଶୀର୍ବାଦ କଲେ |।
17 ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ିଆସି ତାହାଙ୍କ ଛାମୁରେ ଜାଣୁ ପାତି ତାହାଙ୍କୁ ପଚାରିଲେ, ହେ ସଦ୍ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହବା ନିମନ୍ତେ ମୁଁ କଅଣ କରିବି।
18 ସେଥିରେ ତାହାଙ୍କୁ ଯୀଶୁ କହିଲେ, ମୋତେ ସଦ୍ ବୋଲି କାହିଁକି କହୁଅଛ ଜଣକ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଅନ୍ୟ କେହି ସତ୍ ନୁହେଁ, |।
19 ଆଜ୍ଞା ଗୁଡ଼ିକ ତ ତୁମ୍ଭେ ଜାଣ, ନରହତ୍ୟା କରନାହିଁ, ବ୍ୟଭିଚାର କରନାହିଁ, ଚୋରି କରନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପ୍ରବଞ୍ଚନା କର ନାହିଁ, ଆପଣା ପିତାମାତାଙ୍କୁ ସମାଦର କର |।
20 ସେ ତାହାଙ୍କୁ କହିଲେ, ହେ ଗୁରୁ, ଏହିସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି |।
21 ଯୀଶୁ ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁ ତାହାଙ୍କୁ ସ୍ନେହ କଲେ ଓ କହିଲେ, ତୁମ୍ଭର ଗୋଟିଏ ବିଷୟ ଊଣା ଅଛି, ତୁମ୍ଭେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି ଆସି ମୋହର ଅନୁଗମନ କର |।
22 କିନ୍ତୁ ଏହି କଥାରେ ତାହାଙ୍କ ମୁଖ ମଳିନ ହୋଇଗଲା ଓ ସେ ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାଙ୍କର ବହୁତ ସମ୍ପତି ଥିଲା |।
23 ସେଥିରେ ଯୀଶୁ ଚତୁର୍ଦ୍ଦିଗକୁ ଦୃଷ୍ଟି ପାତ କରି ଆପଣା ଶିଷ୍ୟମାନଙ୍କୁ କହିଲେ, ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ !
24 ତାହାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମୟାନ୍ୱିତ ହେଲେ | କିନ୍ତୁ ଯୀଶୁ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ବତ୍ସଗଣ, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର !
25 ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ସୂଚିର ଛିଦ୍ର ଦେଇ ଓଟର ଯିବାର ସହଜ |।
26 ଏଥିରେ ସେମାନେ ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ପରସ୍ପରକୁ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ।
27 ଯୀଶୁ ସେମାନଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ନୁହେଁ; କାରଣ ଈଶ୍ୱରଙ୍କର ସମସ୍ତ ସାଧ୍ୟ |।
28 ପିତର ତାହାଙ୍କୁ କହିବାକୁ ଲାଗିଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁଁ |।
29 ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭ୍ରାତା କି ଭଗ୍ନୀ କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି,
30 ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭ୍ରାତା, ଭଗ୍ନୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ |।
31 କିନ୍ତୁ ପ୍ରଥମରେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ |।
32 ସେମାନେ ଯିରୂଶାଲମକୁ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଥିଲେ ଓ ଯୀଶୁ ସେମାନଙ୍କ ଆଗେ ଆଗେ ଯାଉଥିଲେ, ଆଉ ସେମାନେ ବିସ୍ମୟାନ୍ୱିତ ଓ ପଶ୍ଚାଦ୍ ଗାମୀ ଲୋକେ ଭୀତ ହୋଇଥିଲେ | ଏଣୁ ସେ ପୁନର୍ବାର ଦ୍ୱାଦଶଙ୍କୁ ଅନ୍ତର କରି, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହିସବୁ ସେମାନଙ୍କୁ ଜଣାଇବାକୁ ଲାଗିଲେ |।
33 ସେ କହିଲେ, ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁଁ; ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, ଆଉ ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ବିଜାତି ମାନଙ୍କ ହସ୍ତରେ ସମର୍ପଣ କରିବେ,
34 ପୁଣି ସେମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, ଆଉ ତିନି ଦିନ ଉତ୍ତାରେ ସେ ପୁନରତ୍ଥାନ କରିବେ |।
35 ପରେ ଜେବଦିଙ୍କ ପୁତ୍ରମାନେ ଯାକୁବ ଓ ଯୋହନ ତାହାଙ୍କ ଛାମୁକୁ ଆସି କହିଲେ, ହେ ଗୁରୁ, ଆମ୍ଭମାନଙ୍କର ଇଚ୍ଛା ଯେ, ଆମ୍ଭେମାନେ ଆପଣଙ୍କଠାରୁ ଯାହା କିଛି ମାଗିବୁ, ତାହା ଆମ୍ଭମାନଙ୍କ ପାଇଁ ଆପଣ କରନ୍ତୁ |।
36 ତହୁଁ ସେ ସେମାନଙ୍କୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ।
37 ସେମାନେ ତାହାଙ୍କୁ କହିଲେ, ଆପଣ ମହିମାପ୍ରାପ୍ତ ହେଲେ ଯେପରି ଆମ୍ଭମାନଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣକ ବାମ ପାର୍ଶ୍ୱରେ ବସିବ, ଆମ୍ଭମାନଙ୍କୁ ଏହି ବର ଦିଅନ୍ତୁ |।
38 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ | ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ସେଥିରେ କି ତୁମ୍ଭେମାନେ ପାନ କରି ପାର ଅବା ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ସେଥିରେ କି ତୁମ୍ଭେମାନେ ବାପ୍ତିଜିତ ହୋଇ ପାର।
39 ସେମାନେ ତାହାଙ୍କୁ କହିଲେ, ପାରୁଁ | ଯୀଶୁ ସେମାନଙ୍କୁ କହିଲେ, ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ତୁମ୍ଭେମାନେ ସେଥିରେ ପାନ କରିବ, ପୁଣି ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ତୁମ୍ଭେମାନେ ସେଥିରେ ବାପ୍ତିଜିତ ହେବ;
40 କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ |।
41 ଅନ୍ୟ ଦଶ ଜଣ ଏହା ଶୁଣି ଯାକୁବ ଓ ଯୋହନଙ୍କ ଉପରେ ବିରକ୍ତ ହେବାକୁ ଲାଗିଲେ |।
42 ସେଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ଯେଉଁମାନେ ବିଜାତିମାନଙ୍କର ଶାସନକର୍ତ୍ତାରୂପେ ଗଣିତ, ସେମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ସେମାନଙ୍କର ମହାନ୍ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ |।
43 କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ସେ ପ୍ରକାର ନୁହେଁ; ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ,
44 ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ସମସ୍ତଙ୍କର ଦାସ ହେଉ |।
45 କାରଣ ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି |।
46 ପରେ ସେମାନେ ଯିରୀହୋରେ ଉପସ୍ଥିତ ହେଲେ, ଆଉ ସେ ଆପଣା ଶିଷ୍ୟସମୂହ ଓ ବହୁସଂଖ୍ୟକ ଲୋକ ସହିତ ଯିରୀହୋରୁ ପ୍ରସ୍ଥାନ କରିବା ସମୟରେ ଟୀମୟର ପୁତ୍ର ବର୍ଟୀମୟ ନାମକ ଜଣେ ଅନ୍ଧ ଭିକ୍ଷୁକ ପଥ ପାର୍ଶ୍ୱରେ ବସିଥିଲା |।
47 ସେ ଯେ ନାଜରିତୀୟ ଯୀଶୁ, ଏହା ଶୁଣି ସେ ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ହେ ଦାଉଦସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ |।
48 ଏଥିରେ ଅନେକେ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ହେ ଦାଉଦସନ୍ତାନ, ମୋତେ ଦୟା କରନ୍ତୁ |।
49 ସେଥିରେ ଯୀଶୁ ଠିଆ ହୋଇ କହିଲେ, ତାହାକୁ ଡାକ | ସେମାନେ ସେହି ଅନ୍ଧ ଲୋକଟିକୁ ଡାକି କହିଲେ, ସାହସ ଧର, ଉଠ, ସେ ତୁମକୁ ଡାକୁଅଛନ୍ତି |।
50 ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା |।
51 ଯୀଶୁ ତାହାକୁ ଉତ୍ତର ଦେଲେ, ମୁଁ ତୁମ୍ଭପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ ସେହି ଅନ୍ଧ ଲୋକଟି ତାହାଙ୍କୁ କହିଲା, ହେ ଗୁରୁ, ମୁଁ ଯେପରି ଦୃଷ୍ଟି ପାଏଁ |।
52 ଯୀଶୁ ତାହାକୁ କହିଲେ, ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି | ତତ୍ କ୍ଷଣାତ୍ ସେ ଦୃଷ୍ଟି ପାଇ ପଥରେ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା |।