1 ଇତିମଧ୍ୟରେ ସେ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ନିକଟକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ |।
2 ସେହି ଦ୍ୱାଦଶ ପ୍ରେରିତମାନଙ୍କ ନାମ ଏହି, ପ୍ରଥମରେ ଶିମୋନ, ଯାହାକୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭ୍ରାତା ଆନ୍ଦ୍ରିୟ, ଜେବଦିଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭ୍ରାତା ଯୋହନ,
3 ଫିଲିପ୍ପ ଓ ବର୍ଥଲମି,ଥୋମ ଓ କରଗ୍ରାହୀ ମାଧିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୟ,
4 କିଣାନୀୟ ଶିମୋନ ଓ ଈଷ୍କରିୟୋଥ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲା |।
5 ଯୀଶୁ ଏହି ଦ୍ୱାଦଶ ଜଣଙ୍କୁ ପ୍ରେରଣ କରି ସସେମାନଙ୍କୁ ଆଜ୍ଞା ଦେଇ କହିଲେ, ବିଜାତିମାନଙ୍କ ନିକଟକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ,
6 ବରଂ ଈସ୍ରାୟେଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ |।
7 ପୁଣି ଯାଉଁ ଯାଉଁ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର |।
8 ପିଡ଼ିତମାନଙ୍କୁ ଶୁଚି କର, ମୃତମାନଙ୍କୁ ଉଠାଅ, କୁଷ୍ଠୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ଛଡ଼ାଅ | ତୁମ୍ଭେମାନେ ବିନାମୁଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର |।
9 ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୁପା କି ତମ୍ବା, ଆଉ ଯାତ୍ରା ନିମନ୍ତେଝୋଲି।
10 କିମ୍ବା ଦୁଇଟି ଅଙ୍ଗରଖା ଅବା ଯୋତା କିମ୍ବା ବାଡ଼ି ପ୍ରୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ |।
11 ଆଉ ତୁମ୍ଭେମାନେ ଯେ କୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି ପ୍ରସ୍ଥାନ ନା କରିବା ପର୍ଯ୍ୟନ୍ତ ସେଠାରେ ରୁହ |।
12 ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ କଲ୍ୱାଣ କର;
13 ସେହି ଗୃହ ଯେବେ ଯୋଗ୍ୟ, ତେବେ ତାହା ପ୍ରତି ତୁମ୍ଭମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ଯାହା ଯଦି ଯୋଗ୍ୟ ନୁହେ, ତାହା ହେଲେ ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ନିକଟକୁ ବାହୁଡ଼ିଆସୁ |।
14 ପୁଣି ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବା ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦ ଧୂଳି ଛାଡ଼ିଦିଅ।
15 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାରଦିନରେ ସେହି ନଗରରେ ଦଶା ଅପେକ୍ଷା ସଦୋମ ଓ ଗମୋରା ଦେଶର ଦଶା ସହନୀୟ ହେବ |।
16 ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବିଦ୍ଧିମାନ୍ ଓ କପୋତ ପରି ଅହିଂସକ ହୁଅ |।
17 ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହସମୂହରେ କୋରଡ଼ା ମାରିବେ,
18 ପୁଣି ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁକୁ ଅଣାଯିବ; ତାହା ସେମାନଙ୍କ ଓ ବିଜାତିମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହେବ |।
19 କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବା କି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କଅଣ କହିବ, ତାହା ସେହି ଦଣ୍ଡରେ ତୁମ୍ଭମାନଙ୍କୁ ଦିଆଯିବ |।
20 ଯେଣୁ ତୁମ୍ଭେମାନେ ବକ୍ତା ନୁହ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି |।
21 ଭ୍ରାତା ଭ୍ରାତାକୁ ଓ ପିତା ପୁତ୍ରକୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି ସନ୍ତାନମାନେ ପିତା ମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ |।
22 ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ |।
23 କିନ୍ତୁ ସେମାନେ ଯେତେବେଲେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାୟେଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ |।
24 ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତା ଠାରୁ ଶ୍ରେଷ୍ଠ ନୁହେଁ |।
25 ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ତୁଲ୍ୟ ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ | ସେମାନେ ଯେବେ ଗୃହକର୍ତ୍ତାଙ୍କୁ ବାଆଲ୍ ଜିବୁଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ |।
26 ଅତଏବ ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ |।
27 ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲିକରେ କୁହ, ପୁଣି ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘର ଛାତ ଉପରେ ଘୋଷଣା କର |।
28 ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନରକରେ ବିନଷ୍ଟ କରିପାରନ୍ତି, ତାହାଙ୍କୁହିଁ ଭୟ କର |।
29 ଦୁଇଟି ଘରଚଟିଆ କଅଣ ଗୋଟିଏ ପସାରେ ବିକାଜାଆନ୍ତି ନାହିଁ ଆଉ ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ;
30 କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶହିଁ ଗଣାଯାଇଅଛି |।
31 ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ |।
32 ଆଉ ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବି |।
33 ମାତ୍ର ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ସକ୍ଷାତରେ ତାହାଙ୍କୁ ଅସ୍ୱୀକାର କରିବି |।
34 ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ଼୍ଗ ଦେବାକୁ ଆସିଅଛି |।
35 କାରଣ ମୁଁ ପିତାଙ୍କ ସହିତ ପୁତ୍ରର ଓ ମାତା ସହିତ କନ୍ୟାର ପୁଣି ଶାଶୁ ସହିତ ବୋହୁର ବିରୋଧ ଘଟାଇବାକୁ ଆସିଅଛି,
36 ଆଉ ମନୁଷ୍ୟର ନିଜ ପରିଜନହିଁ ତାହାର ଶତ୍ରୁ ହେବେ |।
37 ଯେ ପିତା କି ମାତାକୁ ମୋଠାରୁ ଅଧିକ ପ୍ରିୟଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି ଯେ ପୁତ୍ର କି କନ୍ୟାକୁ ମୋଠାରୁ ସ୍ନେହ କରେ, ସେ ମୋଅହର ଯୋଗ୍ୟ ନୁହେଁ |।
38 ଆଉ ଯେ ଆପଣା କୃଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ |।
39 ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ |।
40 ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ |।
41 ଯେ ଭାବବାଦୀଙ୍କି ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ | ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କି ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ |।
42 ପୁଣି ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି କେବଳ ଗିନାଏ ଥଣ୍ଡା ପାଣି ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ |।