1 ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ |।
2 ଆଉ ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ; ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା |।
3 ପୁଣି ଦେଖ, ମୋଶା ଓ ଏଲିୟ ତାହାଙ୍କ ସହିତ କଥାବାର୍ତ୍ତା କରୁଥିବା ସେମାନଙ୍କୁ ଦେଖାଗଲା |।
4 ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁଁ, ଏହା ଉତ୍ତମ; ଆପଣଙ୍କର ଇଚ୍ଛା ହେଲେ ମୁଁ ଏଠାରେ ତିନୋଟି କୁଟୀର ନିର୍ମାଣ କରିବି, ଆପଣଙ୍କ ପାଇ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲିୟଙ୍କ ପାଇଁ ଗୋଟିଏ |।
5 ସେ ଏହି କଥା କହୁଁ କହୁଁ, ଦେଖ, ଖଣ୍ଡେ ମେଘ ସେମାନଙ୍କୁ ଆଛାଦନ କଲା, ଆଉ ଦେଖ, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ଏହାଙ୍କ ବାକ୍ୟ ଶ୍ରବଣ କର |।
6 ଏହା ଶୁଣି ଶିଷ୍ୟମାନେ ମୁହଁ ମାଡ଼ି ପଡ଼ିଗଲେ ଓ ଅତିଶୟ ଭୀତ ହେଲେ |।
7 ସେଥିରେ ଯୀଶୁ ଆସି ସେମାନଙ୍କୁ ସ୍ପର୍ଶ କରି କହିଲେ, ଉଠ, ଭୟ କର ନାହିଁ |।
8 ପୁଣି ସେମାନେ ଉପରକୁ ଚାହିଁ କେବଳ ଯୀଶୁଙ୍କ ବିନା ଆଉ କାହାରିକି ଦେଖିଲେ ନାହିଁ |।
9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ଯୀଶୁ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ମନୁଷ୍ୟପୁତ୍ର ମୃତମାନଙ୍କ ମଧ୍ୟରୁ ଉଥିତ ନ ହେବା ପର୍ଯ୍ୟନ୍ତ ଏ ଦର୍ଶନର କଥା କାହାରିକି କୁହ ନାହିଁ |।
10 ପୁଣି ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ତେବେ ଶାସ୍ତ୍ରୀମାନେ କାହିଁକି କହନ୍ତି ଯେ, ପ୍ରଥମରେ ଅବଶ୍ୟ ଏଲିୟଙ୍କର ଆଗମନ ହେବ।
11 ସେ ଉତ୍ତର ଦେଲେ, ଏଲିୟ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ,
12 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲିୟ ତ ଆସି ସାରିଲାଣି, ମାତ୍ର ଲୋକେ ତାହାଙ୍କୁ ନ ଚିହ୍ନି ଯାହା ଇଚ୍ଛା, ତାହାହିଁ ତାହାଙ୍କ ପ୍ରତି କରିଅଛନ୍ତି | ସେହି ପ୍ରକାରେ ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କ ହସ୍ତରେ ଦୁଃଖଭୋଗ କରିବାକୁ ଯାଉଅଛନ୍ତି |।
13 ସେ ଯେ ସେମାନଙ୍କୁ ବାପ୍ତିଜକ ଯୋହନଙ୍କ ବିଷୟରେ କହିଲେ, ଶିଷ୍ୟମାନେ ସେତେବେଳେ ତାହା ବୁଝିଲେ |।
14 ପରେ ସେମାନେ ଲୋକସମୂହ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ପାଖକୁ ଆସି ଆଣ୍ଠୋଇପଡ଼ି କହିଲା,
15 ହେ ପ୍ରଭୁ, ମୋହର ପୁଅକୁ ଦୟା କରନ୍ତୁ, କାରଣ ସେ ମୃଗୀରୋଗରେ ବଡ଼ କଷ୍ଟ ପାଉଅଛି, ଯେଣୁ ସେ ଥରକୁଥର ନିଆଁରେ ଓ ଥରକୁଥର ପାଣିରେ ପଡ଼ୁଅଛି |।
16 ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ତାହାକୁ ଆଣିଥିଲି, ମାତ୍ରା ସେମାନେ ତାହାକୁ ସୁସ୍ଥ କରି ପାରିଲେ ନାହିଁ |।
17 ଯୀଶୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି ତାହାକୁ ଏଠିକି ମୋ ପାଖକୁ ଆଣ |।
18 ଆଉ ଯୀଶୁ ଭୂତକୁ ଧମକାନ୍ତେ ସେ ତାହାଠାରୁ ବାହାରିଗଲା ଓ ବାଳକଟି ସେହି ଦଣ୍ଡରୁ ସୁସ୍ଥ ହେଲା |।
19 ଏଥିଉତ୍ତାରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁଁ ନାହିଁ |।
20 ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ଅଳ୍ପ ବିଶ୍ୱାସ ସକାଶେ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ଗୋଟିଏ ସୋରିଷଦାନା ପରି ତୁମ୍ଭମାନଙ୍କର ବିଶ୍ବାସ ଥାଏ, ତାହା ହେଲେ ଏହି ପର୍ବତକୁଏଠାରୁ ସେଠାକୁ ଘୁଞ୍ଚିଯା' ବୋଲି କହିଲେ ତାହା ଘୁଞ୍ଚିଯିବ, ଆଉ କିଛିହିଁ ତୁମ୍ଭମାନଙ୍କର ଅସାଧ୍ୟ ହେବ ନାହିଁ |।
21 [କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏପ୍ରକାର ଭୂତ ବାହାରିଯାଏ ନାହିଁ |]।
22 ଆଉ ସେମାନେ ଗାଲୀଲୀରେ ଏକତ୍ର ହେବା ସମୟରେ ଯୀଶୁ ସେମାନଙ୍କୁ କହିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି,
23 ପୁଣି ସେମାନେ ତାହାଙ୍କୁ ବଧ କରିବେ, ଆଉ ତୃତୀୟ ଦିବସରେ ସେ ଉଥିତ ହେବେ | ଏଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହେଲେ |।
24 ଏଥିମଧ୍ୟରେ ସେମାନେ କଫର୍ନାହୂମକୁ ଆସନ୍ତେ ମନ୍ଦିରର କରଆଦାୟକାରୀ ଲୋକେ ପିତରଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭମାନଙ୍କର ଗୁରୁ କଅଣ ମନ୍ଦିରର କର ଦିଅନ୍ତି ନାହିଁ।
25 ସେ କହିଲେ, ହଁ, ଦିଅନ୍ତି | ଆଉ ସେ ଘରକୁ ଆସିଲା ଉତ୍ତାରେ ଯୀଶୁ ଆଗେ ତାହାକୁ କହିଲେ, ଶିମୋନ, ତୁମ୍ଭର ମତ କଅଣ ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି ସେମାନେ ପୁତ୍ରମାନଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ।
26 ସେ ବିଦେଶୀମାନଙ୍କଠାରୁ ବୋଲି କହନ୍ତେ ଯୀଶୁ ତାହାଙ୍କୁ କହିଲେ, ତେବେ ତ ପୁତ୍ରମାନେ ମୁକ୍ତ |।
27 କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉଁ, ଏଥିପାଇଁ ସମୁଦ୍ରକୁ ଯାଇ ବନଶି ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟ ମୁଦ୍ର ପାଇବ; ତାହା ଘେନି ମୋ ପାଇଁ ଓ ତୁମ୍ଭ ପାଇଁ ସେମାନଙ୍କୁ ଦିଅ |।