1 ହେରୋଦ ରାଜାଙ୍କ ସମୟରେ ଯିହୂଦା ପ୍ରଦେଶରେ ବେଥଲେହିମରେ ଯୀଶୁଙ୍କ ଜନ୍ମ ହେବା ପରେ, ଦେଖ, ପୁର୍ବଦେଶର କେତେକ ପଣ୍ଡିତ ଯିରୂଶାଲାମକୁ ଆସି କହିଲେ,
2 ଯିହୂଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୁର୍ବ ଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁଁ।
3 ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମୁଦାୟ ଯିରୂଶାଲମନିବାସୀ ଉଦ୍ବିଗ୍ନ ହେଲେ;
4 ପୁଣି ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିନେବାକୁ ଚେଷ୍ଟା କଲେ।
5 ସେମାନେ ତାହାଙ୍କୁ କହିଲେ, ଯିହୂଦା ପ୍ରଦେଶର ବେଥଲେହିମରେ, କାରଣ ଭାବବାଦୀଙ୍କ ଦ୍ୱାରା ଏପରି ଲେଖା ଅଛି,
6 ଆଉ ଗୋ ଯିହୂଦାଙ୍କ ପ୍ରଦେଶର ବେଥଲେହିମ, ତୁ ଯିହୂଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁ, କାରଣ ଯେ ଆମ୍ଭର ଇସ୍ରାୟେଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋଠାରୁ ଉତ୍ପନ୍ନ ହେବେ।
7 ତାହାପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି, ସେହି ତାର କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ସୂକ୍ଷ୍ମରୂପେ ବୁଝିନେଲେ।
8 ପୁଣି ସେ ସେମାନଙ୍କୁ ବେଥଲେହିମକୁ ପଠାଇ କହିଲେ, ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ବନ୍ଧରେ ସୂକ୍ଷ୍ମରୂପେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲାକ୍ଷଣି ଆମ୍ଭକୁ ସମ୍ବାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ ବରିବା।
9 ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୁର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା।
10 ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ,
11 ଆଉ, ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୁମିଷ୍ଠ ପ୍ରଣାମ କଲେ, ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ।
12 ପରେ ହେରଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ସେମାନେ ଅନ୍ୟ ପଥ ଦେଇ ସ୍ୱଦେଶକୁ ପ୍ରସ୍ଥାନ କଲେ।
13 ସେମାନେ ପ୍ରସ୍ଥାନ କଲା ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ଯୋସେଫଙ୍କୁ ଦର୍ଶନ ଦେଇ କହିଲେ, ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଅ, ପୁଣି ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁଙ୍କୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ୱେଷଣ କରିବାକୁ ଉଦ୍ୟତ।
14 ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଇଗଲେ,
15 ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁଁ।
16 ଇତିମଧ୍ୟରେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ, ଆଉ ସେମାନଙ୍କ ନିକଟରୁ ସୂକ୍ଷ୍ମରୂପେ ଯେଉଁ ସମୟରେ ବୁଝିଥିଲେ, ତଦନୁସାରେ ଦୁଇ ବର୍ଷ ଓ ସେଥିରୁ ନ୍ୟୂନବୟସ୍କ ଯେତେ ବାଳକ ବେଥଲେହିମ ପୁଣି ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେହିସମସ୍ତଙ୍କୁ ବଧ କରାଇଲେ।
17 ସେତେବେଳେ ଯିରିମିୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା,
18 ରାମାରେ ସ୍ୱର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ।
19 ହେରୋଦଙ୍କ ମୃତ୍ୟୁ ଉତ୍ତାରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ମିସରରେ ଯୋସେଫଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ,
20 ଉଠ, ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ଇସ୍ରାୟେଲ ଦେଶକୁ ଗମନ କର, କାରଣ ଯେଉଁମାନେ ଶିଶୁଙ୍କ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ, ସେମାନଙ୍କର ମୃତ୍ୟୁ ଘଟିଅଛି।
21 ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ଇସ୍ରାୟେଲ ଦେଶକୁ ଆସିଲେ।
22 ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଯିହୂଦା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ; କିନ୍ତୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇ ସେ ଗାଲୀଲୀ ଅଞ୍ଚଳକୁ ପଳାଇଗଲେ।
23 ଓ ନାଜରିତ ନାମକ ନଗରରେ ଯାଇ ବାସ କଲେ, ଯେପରି ଭାବବାଦୀମାନଙ୍କ ଦ୍ୱାରା ଉକ୍ତ ବାକ୍ୟ ସଫଳ ହୁଏ ଯେ, ସେ ନାଜରିତୀୟ ବୋଲି ଖ୍ୟାତ ହେବେ।