1 ଯେତେବେଳେ ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହୋଇ ବେଥ୍ ଫାଗୀ ଓ ଜୀତପର୍ବତ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଦୁଇ ଶିଷ୍ୟଙ୍କୁ ଏଇ କଥା କହି ପଠାଇଲେ |।

2 ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ଯିବାମାତ୍ରେ ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ; ସେମାନଙ୍କୁ ଫିଟାଇ ମୋ ନିକଟକୁ ଘେନିଆସ |।

3 ଆଉ ଯେବେ କେହି ତୁମ୍ଭମାନଙ୍କୁ କିଛି କହେ, ତେବେ କହିବ ଏମାନଙ୍କଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି | ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ |।

4 ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହା ଘଟିଲା,

5 ସିୟୋନର କନ୍ୟାକୁ କୁହ, ଦେଖ୍, ତୋର ରାଜା ତୋ ନିକଟକୁ ଆସୁଅଛନ୍ତି; ସେ ନମ୍ର ଓ ଗର୍ଦ୍ଦଭାରୋହୀ, ଶାବକ, ଗର୍ଦ୍ଦଭଶାବକାରୋହୀ |।

6 ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କଲେ,

7 ପୁଣି ଗର୍ଦ୍ଦଭୀ ଓ ଶାବକଟି ଆଣି ସେମାନଙ୍କ ଉପରେ ବସ୍ତ୍ର ପାତିଦେଲେ, ଆଉ ସେ ତାହା ଉପରେ ବସିଲେ |।

8 ପୁଣି ଲୋକସମୂହ ମଧ୍ୟରୁ ଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇଦେବାକୁ ଲାଗିଲେ |।

9 ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକସମୂହ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦସନ୍ତାନ ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ ! ଉର୍ଦ୍ଧ୍ୱଲୋକରେ ହୋଶାନ୍ନା |।

10 ଆଉ ସେ ଯିରୂଶାଲମରେ ପ୍ରବେଶ କରନ୍ତେ ନଗରଯାକ ଏ କିଏ ବୋଲି ଚହଳ ପଡ଼ିଲା |।

11 ସେଥିରେ ଲୋକସମୂହ କହିଲେ, ଏ ଗାଲୀଲୀସ୍ଥ ନାଜରିତର ଭାବବାଦୀ ଯୀଶୁ |।

12 ପରେ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ, ପୁଣି ମୁଦ୍ରାବ୍ୟବସାୟୀମାନଙ୍କର ମେଜ ଓ କାପ୍ତାବ୍ୟସାୟୀମାନଙ୍କର ଆସନ ଓଲଟାଇପକାଇଲେ,

13 ଆଉ ସେ ସେମାନଙ୍କୁ କହିଲେ, ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାରଗୃହ ବୋଲି ଖ୍ୟାତ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଦସ୍ୟୁମାନଙ୍କ ଗହ୍ୱର କରୁଅଛ |।

14 ପୁଣି ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ଛାମୁକୁ ଆସନ୍ତେ ସେ ସେମାନଙ୍କୁ ସୁସ୍ଥ କଲେ |।

15 କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟ କର୍ମସବୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା ଦାଉଦସନ୍ତାନ ବୋଲି ଉଚ୍ଚ ସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ,

16 ପୁଣି ତାହାଙ୍କୁ ପଚାରିଲେ, ଏମାନେ କଅଣ କହୁଅଛନ୍ତି ଯୀଶୁ ସେମାନଙ୍କୁ କହିଲେ, ହଁ, ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ, ଏହିକଥା କି ତୁମ୍ଭେମାନେ କେବେହେଁ ପାଠ କରିନାହଁ।

17 ଆଉ ସେ ସେମାନଙ୍କୁ ପରିତ୍ୟାଗକରି ନଗରରୁ ବାହାରି ବେଥନିଆକୁ ଯାଇ ସେଠାରେ ରାତ୍ରି ଯାପନ କଲେ |।

18 ସକାଳେ ସେ ନଗରକୁ ବାହୁଡ଼ିବା ସମୟରେ କ୍ଷୁଧିତ ହେଲେ,

19 ଆଉ ବାଟ ପାଖରେ ଗୋଟିଏ ଡିମ୍ବିରିଗଛ ଦେଖି ତାହା ପାଖକୁ ଗଲେ, ପୁଣି କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, ଆଉ କେବେହେଁ ତୋଠାରେ ଫଳ ନ ହେଉ | ସେଥିରେ ସେହିକ୍ଷଣି ସେହି ଡିମ୍ବିରିଗଛ ଶୁଖିଗଲା |।

20 ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରିଗଛଟି କିପରି ସେହିକ୍ଷଣି ଶୁଖିଗଲା।

21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରିଗଛ ପ୍ରତି ଯେପରି କରାଯାଇଅଛି, କେବଳ ଯେ ସେପରି କରିବ, ତାହା ନୁହେଁ, ମାତ୍ର ଯଦି ଏ ପର୍ବତକୁ ସୁଦ୍ଧା ତୁ ଉଠି ସମୁଦ୍ରରେ ଯାଇ ପଡ଼୍ ବୋଲି କହିବ, ତାହା ହେଲେ ତାହା ଘଟିବ |।

22 ପୁଣି ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହିସବୁ ପାଇବ |।

23 ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ ଆଉ ତୁମ୍ଭକୁ କିଏ ଏହି ଅଧିକାର ଦେଲା।

24 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ଯଦି ତୁମ୍ଭେମାନେ ମୋତେ ତାହା କହିବ, ତେବେ କେଉଁ ଅଧିକାରରେ ମୁଁ ଏହିସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି |।

25 ଯୋହନଙ୍କର ବାପ୍ତିସ୍ମ କେଉଁଠାରୁ ହୋଇଥିଲା ସ୍ୱର୍ଗରୁ ବା ମନୁଷ୍ୟଠାରୁ ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହା ହେଲେ ସେ ଆମ୍ଭମାନଙ୍କୁ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ।

26 କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକସମୂହକୁ ତ ଭୟ ! କାରଣ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନନ୍ତି |।

27 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହିଁ | ସେ ମଧ୍ୟ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ |।

28 ମାତ୍ର ତୁମ୍ଭେମାନେ କଅଣ ମନେ କର ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ | ସେ ପ୍ରଥମ ନିକଟକୁ ଆସି କହିଲେ, ପୁଅ, ଯା, ଆଜି ଦ୍ରାକ୍ଷାକ୍ଷେତ୍ରରେ କାମ କର୍ |।

29 ସେ ଉତ୍ତର ଦେଲା, ଆଜ୍ଞା, ମୁଁ ଯାଉଅଛି, କିନ୍ତୁ ଗଲା ନାହିଁ |।

30 ପୁଣି ସେ ଦ୍ୱିତୀୟ ନିକଟକୁ ଆସି ସେହିପ୍ରକାର କହିଲେ | ସେ ଉତ୍ତର ଦେଲା, ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରି ଗଲା |।

31 ଏହି ଦୁହିଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା ସେମାନେ କହିଲେ, ଦ୍ୱିତୀୟ ଜଣକ | ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କ ଆଗେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି |।

32 କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାହାଙ୍କୁ ବିଶ୍ୱାସ କରି ପାର, ଏଥିନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲା ନାହିଁ | ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ |।

33 ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଗମନ କଲେ |।

34 ପରେ ଫଳର ସମୟ ସନ୍ନିକଟ ହୁଅନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ |।

35 କିନ୍ତୁ କୃଷକମାନେ ତାହାଙ୍କ ଦାସମାନଙ୍କୁ ଧରି ଜଣକୁ ପ୍ରହାର କଲେ, ଅନ୍ୟ ଜଣକୁ ବଧ କଲେ, ପୁଣି ଆଉ ଜଣକୁ ପଥର ଫପାଡ଼ି ମାରିପକାଇଲେ |।

36 ପୁନଶ୍ଚ ସେ ପ୍ରଥମ ଥର ଅପେକ୍ଷା ଅଧିକ ସଂଖ୍ୟକ ଦାସ ପଠାଇଲେ, ଆଉ ସେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କଲେ |।

37 କିନ୍ତୁ ମୋର ପୁଅକୁ ସେମାନେ ମାନ୍ୟ କରିବେ, ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ |।

38 ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ବଧ କରି ଆମ୍ଭେମାନେ ଏହାର ଅଧିକାର ହସ୍ତଗତ କରୁଁ |।

39 ଆଉ ସେମାନେ ତାହାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ |।

40 ଅତଏବ ଯେତେବେଳେ ସେହି ଦ୍ରକ୍ଷାକ୍ଷେତ୍ରର କର୍ତ୍ତା ଅସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କଅଣ କରିବେ।

41 ସେମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ଦାରୁଣଭାବରେ ବିନାଶ କରିବେ ଓ ଯେଉଁ ଅନ୍ୟ କୃଷକମାନେ ତାହାଙ୍କୁ ଯଥାସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବେ |।

42 ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କି କେବେହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ୟ୍ୟ ଜନକ।

43 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ କାଢ଼ିନିଆଯିବ, ପୁଣି ଯେଉଁ ଜାତି ସେଥିର ଫଳ ଫଳିବ, ତାହାକୁ ଦିଆଯିବ |।

44 ଆଉ ଯେ ଏହି ପ୍ରସ୍ତର ଉପରେ ପଢ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି ଏହି ପ୍ରସ୍ତର ଯାହା ଉପରେ ପଢ଼ିବ, ତାହାକୁ ତାହା ଚୂର୍ଣ୍ଣବିଚୂର୍ଣ୍ଣ କରିବ |।

45 ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କର ଏହି ସମସ୍ତ ଦୃଷ୍ଟାନ୍ତ ଶୁଣି, ସେ ଯେ ସେମାନଙ୍କ ବିଷୟରେ କହୁଅଛନ୍ତି, ଏହା ବୁଝିଲେ |।

46 ଆଉ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ |।