1 ଅନନ୍ତର ଲୋକମାନେ ସଦାପ୍ରଭୁଙ୍କ କର୍ଣ୍ଣ- ଗୋଚରରେ ମନ୍ଦ କଥା କହି ବଚସାକାରୀ ଲୋକମାନଙ୍କ ତୁଲ୍ୟ ହେଲେ ପୁଣି ସଦାପ୍ରଭୁ ତାହା ଶୁଣନ୍ତେ, ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତ ଭାଗ ଗ୍ରାସ କଲା।

2 ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟରେ କ୍ରନ୍ଦନ କଲେନ୍ତ ତହୁଁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେହି ଅଗ୍ନି ଥମିଗଲା।

3 ତେଣୁ ସେହି ସ୍ଥାନର ନାମ ତବୀୟେରା (ଦହନ) ହେଲା, କାରଣ ସଦାପ୍ରଭୁଙ୍କ ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କରିଥିଲା।

4 ଅନନ୍ତର ସେମାନଙ୍କ ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରା ହେବାକୁ ଲାଗିଲେ ପୁଣି ଇସ୍ରାଏଲ-ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ।

5 ଆମ୍ଭେମାନେ ମିସର ଦେଶରେ ବିନାମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନରେ ପଡ଼େ ସେ କାକୁଡ଼ି ଓ ସେ ଖରଭୁଜ ଓ ସେ ପରୁ ଓ ସେ ପିଆଜ ଓ ରସୁଣ (ମନରେ ପଡ଼େ)।

6 ମାତ୍ର ଏବେ ଆମ୍ଭମାନଙ୍କର ପ୍ରାଣ ଶୁଷ୍କ ହେଉଅଛି ଏଠି କିଛି ନାହିଁ ଏହି ମାନ୍ନା ଛଡ଼ା ଆଉ ଦେଖିବାକୁ କିଛି ନାହିଁ।

7 ଆଉ ସେହି ମାନ୍ନା ଧଣିଆ ପରି ଓ ତହିଁର ଦୃଶ୍ୟ ମୁକ୍ତା ସଦୃଶ।

8 ଲୋକମାନେ ଏଣେତେଣେ ଭ୍ରମଣ କରି ତାହା ସାଉଣ୍ଟିଲେ ଓ ଚକିରେ ତାହା ପେଷିଲେ, ଅବା କୁଟଣୀରେ ତାହା ଚୂର୍ଣ୍ଣ କରି କହ୍ରାଇରେ ସିଦ୍ଧ କରି ପିଠା ପ୍ରସ୍ତୁତ କଲେ ଆଉ ତୈଳପକ୍ୱ ପିଠା ପରି ତହିଁର ସ୍ୱାଦ ଥିଲା।

9 ରାତ୍ରିରେ ଛାଉଣି ଉପରେ କାକର ପଡ଼ିଲା ବେଳେ ସେହି ମାନ୍ନା ତହିଁ ସଙ୍ଗରେ ପଡ଼ିଲା।

10 ଏଉତ୍ତାରେ ଲୋକମାନେ ସମୁଦାୟ ପରିବାର ସହିତ, ପ୍ରତ୍ୟେକ ଲୋକ ଆପଣା ତମ୍ବୁ ଦ୍ୱାର ନିକଟରେ ରୋଦନ କରିବାର ମୋଶା ଶୁଣିଲେନ୍ତ ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା ପୁଣି ମୋଶା ହିଁ ଅସନ୍ତୁଷ୍ଟ ହେଲେ।

11 ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ କିହେତୁ ଆପଣା ଦାସ ପ୍ରତି ଅନିଷ୍ଟ ବ୍ୟବହାର କରିଅଛ ଓ କିହେତୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇନାହିଁ, ଯେ ତୁମ୍ଭେ ମୋ' ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ।

12 ମୁଁ କ'ଣ ଏହି ସମସ୍ତ ଲୋକଙ୍କୁ ଗର୍ଭରେ ଧାରଣ କରିଅଛି ମୁଁ କ'ଣ ସେମାନଙ୍କୁ ଜନ୍ମ କରିଅଛି ଯେ, ତୁମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲ, ସେହି ଦେଶ ପର୍ଯ୍ୟନ୍ତ ଦୁଗ୍ଧପୋଷ୍ୟ ଶିଶୁ-ପାଳନକାରୀ ପିତା ତୁଲ୍ୟ ସେମାନଙ୍କୁ କୋଳରେ ବହି ଘେନି ଯିବା ପାଇଁ ମୋତେ କହୁଅଛ।

13 ମୁଁ ଏହି ସମସ୍ତ ଲୋକଙ୍କୁ ଦେବା ପାଇଁ ମାଂସ କାହୁଁ ପାଇବି କାରଣ ସେମାନେ ମୋ' ନିକଟରେ କାନ୍ଦି କହୁଅଛନ୍ତି, ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭେମାନେ ଖାଇବା।

14 ମୁଁ ଏକାକୀ ଏତେ ଲୋକଙ୍କର ଭାର ବହି ନ ପାରେ, କାରଣ ଏହା ମୋ' ପାଇଁ ଅସହ୍ୟ ଅଟେ।

15 ଆଉ ଯେବେ ତୁମ୍ଭେ ମୋ'ପ୍ରତି ଏପରି ବ୍ୟବହାର କର, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇଥିଲେ,ଏକାବେଳେ ମୋତେ ମାରି ପକାଅନ୍ତ ପୁଣି ମୋତେ ଆପଣା ଦୁର୍ଗତି ଦେଖିବାକୁ ଦିଅ ନାହିଁ।

16 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଯେଉଁମାନଙ୍କୁ ଲୋକମାନଙ୍କର ପ୍ରାଚୀନ ଓ ଅଧିପତି ବୋଲି ଜାଣୁଅଛ, ଇସ୍ରାଏଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଆମ୍ଭ ନିକଟରେ ଏକତ୍ର କର ପୁଣି ସେମାନଙ୍କୁ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆଣ, ସେମାନେ ତୁମ୍ଭ ସଙ୍ଗେ ସେଠାରେ ଠିଆ ହେବେ।

17 ତହିଁରେ ଆମ୍ଭେ ସେହି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବା ଓ ତୁମ୍ଭଠାରେ ଯେଉଁ ଆତ୍ମା ଅଛି, ତହିଁରୁ ନେଇ ସେମାନଙ୍କୁ ଦେବା ତହିଁରେ ତୁମ୍ଭେ ଯେପରି ଏକାକୀ ଲୋକମାନଙ୍କର ଭାର ନ ବହିବ, ଏଥିପାଇଁ ସେମାନେ ତୁମ୍ଭ ସହିତ ଲୋକମାନଙ୍କର ଭାର ବହିବେ।

18 ପୁଣି ତୁମ୍ଭେ ଲୋକମାନଙ୍କୁ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, ଆଉ ତୁମ୍ଭେମାନେ ମାଂସ ଖାଇବ କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ କ୍ରନ୍ଦନ କରି କହିଅଛ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ ବରଞ୍ଚ ମିସର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଦେବେ, ତୁମ୍ଭେମାନେ ତାହା ଖାଇବ।

19 ତୁମ୍ଭେମାନେ ଦିନେ କି ଦୁଇ ଦିନ କି ପାଞ୍ଚ ଦିନ କି ଦଶ ଦିନ କି କୋଡ଼ିଏ ଦିନ ଖାଇବ, ତାହା ନୁହେ।

20 ମାତ୍ର ସମ୍ପୂର୍ଣ୍ଣ ଏକ ମାସ, ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ଓ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ନ ହୁଏ, ସେପର୍ଯ୍ୟ ଖାଇବ କାରଣ ତୁମ୍ଭେମାନେ ଆପଣାମାନଙ୍କ ମଧ୍ୟବର୍ତ୍ତୀ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରି ତାହାଙ୍କ ସମ୍ମୁଖରେ କ୍ରନ୍ଦନ କରି କହିଅଛ, ଆମ୍ଭେମାନେ କାହିଁକି ମିସରରୁ ବାହାରି ଆସିଲୁ।

21 ତେବେ ମୋଶା କହିଲେ, ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ଛଅ ଲକ୍ଷ ପଦାତିକନ୍ତ ତଥାପି ତୁମ୍ଭେ କହୁଅଛ, ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ।

22 ସେମାନଙ୍କୁ ଅଣ୍ଟିବା ଭଳି କ'ଣ ପଲ ପଲ ଗୋମେଷ ବଧ କରାଯିବ ଅବା ସେମାନଙ୍କୁ ଅଣ୍ଟିବା ଭଳି ସମୁଦ୍ରର ସବୁ ମାଛ କ'ଣ ଏକତ୍ର କରାଯିବ।

23 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ସଦାପ୍ରଭୁଙ୍କର ହସ୍ତ କି ସଙ୍କୁଚିତ ହୋଇଅଛି ତୁମ୍ଭ ପ୍ରତି ଆମ୍ଭର ବାକ୍ୟ ସଫଳ ହେବ କି ନାହିଁ, ତୁମ୍ଭେ ଏବେ ତାହା ଦେଖିବ।

24 ଏଥିରେ ମୋଶା ବାହାରକୁ ଯାଇ ଲୋକମାନଙ୍କୁ ସଦାପ୍ରଭୁଙ୍କର କଥା କହିଲେ, ପୁଣି ସେ ଲୋକମାନଙ୍କର ପ୍ରାଚୀନବର୍ଗ ମଧ୍ୟରୁ ସତୁରି ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗରେ ରଖିଲେ।

25 ତହିଁରେ ସଦାପ୍ରଭୁ ମେଘରେ ଓହ୍ଲାଇ ତାଙ୍କ ସହିତ କଥା କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠାରେ ଥିଲା, ତହିଁରୁ ନେଇ ସତୁରି ପ୍ରାଚୀନଙ୍କୁ ଦେଲେନ୍ତପୁଣି ସେହି ଆତ୍ମା ସେମାନଙ୍କ ଉପରେ ଅବସ୍ଥାନ କରନ୍ତେ, ସେମାନେ ଭବିଷ୍ୟତ କଥା ପ୍ରଚାର କଲେ, ମାତ୍ର ତହିଁ ଉତ୍ତାରେ ଆଉ କଲେ ନାହିଁ।

26 ମାତ୍ର ଛାଉଣି ମଧ୍ୟରେ ଦୁଇ ଜଣ ଅବଶିଷ୍ଟ ରହିଲେ, ଜଣକର ନାମ ଇଲଦଦ୍‍ ଓ ଅନ୍ୟର ନାମ ମେଦଦ୍‍ ସେମାନଙ୍କ ଉପରେ ସେହି ଆତ୍ମା ଅବସ୍ଥିତି କଲା ସେମାନେ ସେହି ଲିଖିତ ଲୋକମାନଙ୍କ ମଧ୍ୟରେ ଥିଲେ, ମାତ୍ର ବାହାର ହୋଇ ତମ୍ବୁ ନିକଟକୁ ଯାଇ ନ ଥିଲେ ସେମାନେ ଛାଉଣି ମଧ୍ୟରେ ଥାଇ ଭବିଷ୍ୟତ କଥା ପ୍ରଚାର କଲେ।

27 ତହୁଁ ଜଣେ ଯୁବା ଦୌଡ଼ି ଯାଇ ମୋଶାଙ୍କୁ କହିଲା, ଇଲଦଦ୍‍ ଓ ମେଦଦ୍‍ ଛାଉଣି ମଧ୍ୟରେ ଭବିଷ୍ୟତ କଥା ପ୍ରଚାର କରୁଅଛନ୍ତି।

28 ତହିଁରେ (ନୂନର ପୁତ୍ର ଯିହୋଶୂୟ ନାମକ) ମୋଶାଙ୍କର ଜଣେ ମନୋନୀତ ପରିଚାରକ ମୋଶାଙ୍କୁ କହିଲେ, ହେ ମୋହର ପ୍ରଭୁ ମୋଶା, ସେମାନଙ୍କୁ ନିଷେଧ କରନ୍ତୁ।

29 ତେବେ ମୋଶା କହିଲେ, ତୁମ୍ଭେ ମୋ' ସକାଶୁ କ'ଣ ଈର୍ଷା କରୁଅଛ ପରମେଶ୍ୱର କରନ୍ତୁ, ସଦାପ୍ରଭୁଙ୍କର ସମସ୍ତ ଲୋକ ଭବିଷ୍ୟଦ୍‍- ବକ୍ତା ହୁଅନ୍ତୁ ଓ ସଦାପ୍ରଭୁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ।

30 ଏଉତ୍ତାରେ ମୋଶା ଓ ଇସ୍ରାଏଲର ପ୍ରାଚୀନଗଣ ଛାଉଣିକି ଗମନ କଲେ।

31 ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାୟୁ ବହିଲା ଓ ତାହା ସମୁଦ୍ରରୁ ଭାଟୋଇ ପକ୍ଷୀ ଆଣିଲା, ପୁଣି ଛାଉଣିର ଚତୁର୍ଦ୍ଦିଗରେ ଏପାଖେ ଦିନକର ପଥ ଓ ସେପାଖେ ଦିନକର ପଥ ପର୍ଯ୍ୟନ୍ତ ସେମାନଙ୍କୁ ଭୂମିଠାରୁ ପ୍ରାୟ ଦୁଇ ହସ୍ତ ଉଦ୍ଧରେ ପକାଇଲା।

32 ତହିଁରେ ଲୋକମାନେ ଛିଡ଼ା ହୋଇ ସେହି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସେହି ଭାଟୋଇ ପକ୍ଷୀ ସଂଗ୍ରହ କଲେ କେହି ଦଶ ହୋମରରୁ ଊଣା ସଂଗ୍ରହ କଲା ନାହିଁ ଆଉ ସେମାନେ ଆପଣାମାନଙ୍କ ନିମନ୍ତେ ଛାଉଣିର ଚାରିଆଡ଼େ ତାହା ବିଛାଇ ରଖିଲେ।

33 ମାତ୍ର ସେମାନଙ୍କ ଦନ୍ତ ମଧ୍ୟରେ ମାଂସ ଥାଉ ଥାଉ, ଚୋବାଇଲା ପୂର୍ବେ, ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ତହିଁରେ ସଦାପ୍ରଭୁ ଲୋକମାନଙ୍କୁ ଅତି ମହାମାରୀରେ ସଂହାର କଲେ।

34 ତହିଁରେ ସେହି ସ୍ଥାନର ନାମ କିବ୍ରୋତ୍‍-ହତ୍ତାବା (ଲୋଭ ହେତୁ କବର) ହେଲା ଯେହେତୁ ସେମାନେ ସେହି ସ୍ଥାନରେ ଲୋକମାନଙ୍କୁ କବର ଦେଲେ।

35 ଲୋକମାନେ କିବ୍ରୋତ୍‍-ହତ୍ତାବାଠାରୁ ହତ୍‍ସେରୋତକୁ ଯାତ୍ରା କରି ସେହିଠାରେ ରହିଲେ।