1 ଅନନ୍ତର ଇସ୍ରାଏଲକୁ ଆଶୀର୍ବାଦ କରିବା ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ, ଏହା ଦେଖି ବିଲୀୟମ ପୂର୍ବ ପରି ଗଣକତା ସାଧିବା ପାଇଁ ଗଲା ନାହିଁ, ମାତ୍ର ପ୍ରାନ୍ତର ଆଡ଼େ ଆପଣା ମୁଖ ରଖିଲା।
2 ତହିଁରେ ବିଲୀୟମ ଅନାଇ ଇସ୍ରାଏଲକୁ ଆପଣା ବଂଶାନୁସାରେ ବାସ କରିବାର ଦେଖିଲା ପୁଣି ପରମେଶ୍ୱରଙ୍କ ଆତ୍ମା ତାହା ଉପରେ ଅଧିଷ୍ଠାନ କଲେ।
3 ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବିୟୋରର ପୁତ୍ର ବିଲୀୟମ କହୁଅଛି ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି,
4 ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନଚକ୍ଷୁ ହୋଇ କହୁଅଛି।
5 ହେ ଯାକୁବ, ତୁମ୍ଭର ତମ୍ବୁସବୁ, ହେ ଇସ୍ରାଏଲ, ତୁମ୍ଭର ଆବାସ ସବୁ କିପରି ମନୋହର !
6 ତାହାସବୁ ଉପତ୍ୟକା ତୁଲ୍ୟ ବିସ୍ତାରିତ, ନଦୀତୀରସ୍ଥ ଉଦ୍ୟାନ ତୁଲ୍ୟ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ, ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟେ।
7 ତାହାର କଳସରୁ ଜଳ ଉଚ୍ଛୁଳିବ, ତାହାର ବୀଜ ଅନେକ ଜଳରେ ପଡ଼ିବ, ପୁଣି ତାହାର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବେ ଓ ତାହାର ରାଜ୍ୟ ଉନ୍ନତ ହେବ।
8 ପରମେଶ୍ୱର ତାହାକୁ ମିସରରୁ ବାହାର କରି ଆଣୁଅଛନ୍ତି ତାହାର ବଳ ଅରଣାର ତୁଲ୍ୟନ୍ତ ସେ ଆପଣା ବିପକ୍ଷ ଦେଶୀୟମାନଙ୍କୁ ଗ୍ରାସ କରିବ ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କରିବ ଓ ଆପଣା ବାଣ ଦ୍ୱାରା ସେମାନଙ୍କୁ ଭେଦ କରିବ।
9 ସେ ନଇଁ ପଡ଼ିଲା, ସେ ସିଂହ ତୁଲ୍ୟ ଓ ସିଂହୀ ତୁଲ୍ୟ ଶୟନ କଲା କିଏ ତାହାକୁ ଉଠାଇବ ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେମାନେ ପ୍ରତ୍ୟେକେ ଆଶୀର୍ବାଦପ୍ରାପ୍ତ ହେଉନ୍ତୁ, ଯେଉଁମାନେ ତୁମ୍ଭକୁ ଶାପ ଦିଅନ୍ତି, ସେମାନେ ପ୍ରତ୍ୟେକେ ଶାପଗ୍ରସ୍ତ ହେଉନ୍ତୁ।
10 ଏଥିରେ ବିଲୀୟମ ବିରୁଦ୍ଧରେ ବାଲାକଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ତହୁଁ ସେ ଆପଣା ହାତରେ ହାତ ମାରିଲେ ପୁଣି ବାଲାକ ବିଲୀୟମକୁ କହିଲେ, ଆମ୍ଭେ ଆପଣା ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ତୁମ୍ଭକୁ ଡାକିଲୁ, ମାତ୍ର ଦେଖ, ତୁମ୍ଭେ ଏହି ତିନିଥରଯାକ ସେମାନଙ୍କୁ ସର୍ବୋତଭାବେ ଆଶୀର୍ବାଦ କଲ।
11 ଏନିମନ୍ତେ ତୁମ୍ଭେ ଏବେ ଆପଣା ସ୍ଥାନକୁ ପଳାଅ ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଚାର ଥିଲା ମାତ୍ର ଦେଖ, ସଦାପ୍ରଭୁ ତୁମ୍ଭକୁ ସମ୍ଭ୍ରମ ପାଇବାରୁ ବାରଣ କରିଅଛନ୍ତି।
12 ତହିଁରେ ବିଲୀୟମ ବାଲାକଙ୍କୁ କହିଲା, ମୋ' ନିକଟକୁ ତୁମ୍ଭେ ଯେଉଁ ଦୂତମାନଙ୍କୁ ପଠାଇଥିଲ, ସେମାନଙ୍କୁ ମୁଁ କ'ଣ କହି ନାହିଁ।
13 ଯେବେ ବାଲାକ ସୁନା ରୂପାରେ ପୂର୍ଣ୍ଣ ଆପଣା ଗୃହ ମୋତେ ଦେବ, ତେବେ ମୁଁ ଆପଣା ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ନ ପାରେନ୍ତ ଯାହା ସଦାପ୍ରଭୁ କହନ୍ତି, ତାହା ହିଁ ମୁଁ କହିବି।
14 ଏବେ ଦେଖ, ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛିନ୍ତ ଆସ, ଏହି ଲୋକମାନେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା କରିବେ, ତାହା ମୁଁ ତୁମ୍ଭକୁ ଜ୍ଞାତ କରାଇବି।
15 ଏଥିରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବିୟୋରର ପୁତ୍ର ବିଲୀୟମ କହୁଅଛି, ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି।
16 ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି ଓ ସର୍ବ- ପ୍ରଧାନଙ୍କର ତତ୍ତ୍ୱ ଜାଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନଚକ୍ଷୁ ହୋଇ କହୁଅଛି।
17 ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ, ତାହା ମୋୟାବର ପାଶ୍ୱର୍ ଭେଦ କରିବ ଓ କଳହର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ।
18 ପୁଣି ଇଦୋମ ଏକ ଅଧିକାର ହେବ, ଯେଉଁମାନେ ତାହାର ଶତ୍ରୁ ଥିଲେ, ଏପରି ସେୟୀର ମଧ୍ୟ ଏକ ଅଧିକାର ହେବ, ମାତ୍ର ଇସ୍ରାଏଲ ବୀରର କର୍ମ କରିବ।
19 ପୁଣି ଯାକୁବଠାରୁ ଉତ୍ପନ୍ନ ଏକ ଜଣ କର୍ତ୍ତୃତ୍ୱ କରିବେ ଓ ଅବଶିଷ୍ଟ ଲୋକମାନଙ୍କୁ ନଗରରୁ ବିନଷ୍ଟ କରିବେ।
20 ଏଉତ୍ତାରେ ସେ ଅମାଲେକ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା ମାତ୍ର ତାହାର ଶେଷାବସ୍ଥା ବିନାଶରେ ଉପସ୍ଥିତ ହେବ।
21 ତହୁଁ ସେ କେନୀୟମାନଙ୍କ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, ତୁମ୍ଭର ନିବାସ ସ୍ଥାନ ଅତି ଦୃଢ଼ ଓ ତୁମ୍ଭର ବସା ଶୈଳ ଉପରେ ସ୍ଥାପିତ।
22 ତଥାପି କେନୀୟ କ୍ଷୟପ୍ରାପ୍ତ ହେବ, ଶେଷରେ ଅଶୂର ତୁମ୍ଭକୁ ବନ୍ଦୀ କରି ନେଇ ଯିବ।
23 ଏଉତ୍ତାରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ହାୟ ହାୟ, ଯେତେବେଳେ ପରମେଶ୍ୱର ଏହା କରିବେ, ସେତେବେଳେ କିଏ ବଞ୍ଚିବ।
24 ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସେମାନେ ଅଶୂରକୁ ଦୁଃଖ ଦେବେ, ଆଉ ଏବରକୁ ଦୁଃଖ ଦେବେ, ପୁଣି ସେ ମଧ୍ୟ ବିନାଶରେ ଉପସ୍ଥିତ ହେବ।
25 ଏଉତ୍ତାରେ ବିଲୀୟମ ଉଠି ସ୍ୱସ୍ଥାନକୁ ପ୍ରସ୍ଥାନ କଲା ଓ ବାଲାକ ମଧ୍ୟ ଆପଣା ପଥରେ ଚାଲିଗଲେ।