1 ଅତଏବ, ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି କୌଣସି ସ୍ନେହପୂର୍ଣ୍ଣ କରୁଣା ଓ ଦୟା ଥାଏ,

2 ତାହାହେଲେ ତୁମ୍ଭେମାନେ ଏକମନା, ଏକ ପ୍ରେମରେ ପ୍ରେମୀ, ଏକଚିତ୍ତ ଓ ଏକଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର,

3 ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର;

4 ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ।

5 ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉନ୍ତ।

6 ସେ ଈଶ୍ୱରରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ,

7 କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ;

8 ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତୁ୍ୟ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତୁ୍ୟ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ।

9 ଏହି କାରଣରୁଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି,

10 ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ,

11 ପୁଣି, ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।

12 ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହହୋଇଅଛ, କେବଳ ମୋହର ସାକ୍ଷାତରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅସାକ୍ଷାତରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,

13 କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ୱର ଆପଣା ମଙ୍ଗଳମୟ ସଙ୍କଳ୍ପର ସାଫଲ୍ୟ ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି।

14 ବଚସା ଓ ତର୍କବିତର୍କ ବିନାସମସ୍ତ କାର୍ଯ୍ୟ କର,

15 ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ୱରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅନ୍ତ ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତି ସ୍ୱରୂପ ପ୍ରକାଶ ପାଉଅଛ;

16 ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ଦିନରେ ଦର୍ପ କରି ପାରିବି।

17 ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି ଓ ତୁମ୍ଭସମସ୍ତଙ୍କ ସହିତ ଉଲ୍ଲାସ କରୁଅଛି,

18 ଆଉ, ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆନନ୍ଦ କର ଓ ମୋ' ସହିତ ଉଲ୍ଲାସ କର।

19 କିନ୍ତୁ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ* ଶୀଘ୍ର ପଠାଇବି ବୋଲି ପ୍ରଭୁ ଯୀଶୁଙ୍କଠାରେ ଭରସା କରୁଅଛି, ଯେପରି ତୁମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ମୁଁ ମଧ୍ୟ ଉତ୍ସାହିତ ହେବି।

20 କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାଙ୍କ ବିନା ମୋ' ନିକଟରେ ଆଉ କେହି ନାହିଁ।

21 ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟାକରନ୍ତି।

22 ସେ ଯେ ପରୀକ୍ଷାସିଦ୍ଧ ଲୋକ, ଏହା ତୁମ୍ଭେମାନେ ଜାଣନ୍ତ ପୁତ୍ର ପିତାର ସେବା କଲା ପରି ସେ ତ ସୁସମାଚାର କାର୍ଯ୍ୟରେ ମୋ' ସହିତ ସେବା କରିଥିଲେ।

23 ଅତଏବ, ମୋ' ପ୍ରତି କଅଣ ଘଟିବ, ତାହା ଜାଣିବାମାତ୍ର ତାଙ୍କୁ ପଠାଇବି ବୋଲି ଭରସା କରୁଅଛି;

24 କିନ୍ତୁ ମୁଁ ପ୍ରଭୁଙ୍କଠାରେ ବିଶ୍ୱାସ କରୁ ଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି।

25 କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି;

26 କାରଣ ସେ ତୁମ୍ଭ ସମସ୍ତଙ୍କୁ ଦେଖିବା ପାଇଁ ଅତ୍ୟନ୍ତ ଇଚ୍ଛୁକ, ପୁଣି ସେ ପୀଡ଼ିତ ଅଛନ୍ତି ବୋଲି ତୁମ୍ଭେମାନେ ଶୁଣିଥିବାରୁ ଅତ୍ୟନ୍ତ ବ୍ୟଥିତ;

27 ହଁ, ସେ ମୃତୁ୍ୟ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ୱର ତାଙ୍କୁ ଦୟା କଲେ, ଆଉ କେବଳ ତାଙ୍କୁ ନୁହେଁ, ମାତ୍ର ଯେପରି ମୋ' ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋ' ଉପରେ ମଧ୍ୟ ଦୟା କଲେ।

28 ଏଣୁ ତୁମ୍ଭେମାନେ ଯେପରି ତାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋ' ଦୁଃଖ ଯେପରି ଊଣା ପଡ଼େ, ଏଥିପାଇଁ ମୁଁ ତାଙ୍କୁ ପଠାଇବା ନିମନ୍ତେ ଅଧିକ ଯନିବାନ ହେଲି।

29 ଅତଏବ, ପ୍ରଭୁଙ୍କ ହେତୁ ତାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହିପ୍ରକାର ବ୍ୟକ୍ତିମାନଙ୍କ ସମାଦର କର;

30 କାରଣ ମୋ' ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ।