1 ତତ୍ପରେ ମୁଁ ଆଉ ଜଣେ ପରାକ୍ରମୀ ଦୂତଙ୍କୁ ସ୍ୱର୍ଗରୁ ଅବତରଣ କରିବାର ଦେଖିଲି; ସେ ମେଘବେଷ୍ଟିତ, ତାହାଙ୍କ ମସ୍ତକ ଉପରେ ମେଘଧନୁ, ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ ଓ ପାଦ ଅଗ୍ନିସ୍ତମ୍ଭ ତୁଲ୍ୟ;
2 ତାହାଙ୍କ ହସ୍ତରେ ଗୋଟିଏ ମୁକ୍ତ କ୍ଷୁଦ୍ର ପୁସ୍ତକ | ସେ ଆପଣା ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ପୃଥିବୀ ଉପରେ ସ୍ଥାପନ କରି ସିଂହଗର୍ଜ୍ଜନତୁଲ୍ୟ ହୁଙ୍କାର ଶବ୍ଦରେ ଡାକ ପକାଇଲେ;
3 ସେ ଡାକ ପକାନ୍ତେ ସପ୍ତ ମେଘଗର୍ଜ୍ଜନ ଆପଣା ଆପଣା ବାଣୀ ବ୍ୟକ୍ତି କଲେ |।
4 ସେହି ସପ୍ତ ମେଘଗର୍ଜ୍ଜନ ଆପଣା ଆପଣା ବାଣୀ ବ୍ୟକ୍ତ କରନ୍ତେ ମୁଁ ଲେଖିବାକୁ ଉଦ୍ୟତ ହେଲି; ସେତେବେଳେ ମୁଁ ମୋ ପ୍ରତି ଆକାଶରୁ ଏହି ଉକ୍ତ ବାଣୀ ଶୁଣିଲି, ସେହି ସପ୍ତ ମେଘଗର୍ଜ୍ଜନ ଯାହାସବୁ ବ୍ୟକ୍ତ କଲେ, ସେହିସବୁ ଗୋପନ କରି ରଖ, ଲେଖ ନାହିଁ |।
5 ତତ୍ପରେ ଯେଉଁ ଦୂତଙ୍କୁ ମୁଁ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହେବାର ଦେଖିଥିଲି, ସେ ଆପଣା ଦକ୍ଷିଣ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ,
6 ଯେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ତନ୍ମମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଆଉ ବିଳମ୍ବ ନାହିଁ;
7 ମାତ୍ର ଈଶ୍ୱରଙ୍କ ଦ୍ୱାରା ଆପଣା ଦାସ ଭାବବାଦୀମାନଙ୍କ ପ୍ରତି ପ୍ରକାଶିତ ଶୁଭସମ୍ବାଦ ଅନୁସାରେ ସପ୍ତମ ଦୂତ ବାକ୍ୟ ଘୋଷଣା କାରିବା ସମୟରେ, ଅର୍ଥାତ୍ ଯେତେବେଳେ ସେ ତୂରୀଧ୍ୱନି କରିବାକୁ ଉଦ୍ୟତ ହେବେ, ସେତେବେଳେ ଈଶ୍ୱରଙ୍କ ନିଗୁଢ଼ ସଂକଳ୍ପ ମଧ୍ୟ ସଫଳ ହେବ |।
8 ପୁଣି ମୁଁ ଆକାଶରୁ ଯେଉଁ ବାଣୀ ଶୁଣିଥିଲି, ତାହା ପୁନର୍ବାର ମୋ ପ୍ରତି ବାକ୍ୟ ଉଚ୍ଚାରଣ କରି କହିଲେ, ଯାଅ, ସମୁଦ୍ର ଓ ପୃଥିବୀ ଉପରେ ଦଣ୍ଡାୟମାନ ଦୂତଙ୍କ ହସ୍ତରେ ଯେଉଁ ପୁସ୍ତକଟି ମୁକ୍ତ ହୋଇ ରହିଅଛି, ତାହା ଗ୍ରହଣ କର |।
9 ସେଥିରେ ମୁଁ ସେହି ଦୂତଙ୍କ ନିକଟକୁ ଯାଇ କ୍ଷୁଦ୍ର ପୁସ୍ତକଟି ମୋତେ ଦେବାକୁ ତାହାଙ୍କୁ କହିଲି | ସେ ମୋତେ କହିଲେ, ଏହା ନେଇ ଭକ୍ଷଣ କର; ଏହା ତୁମ୍ଭ ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ୍ଭ ମୁଖକୁ ଏହା ମଧୁ ପରି ମିଷ୍ଟ ଲାଗିବ |।
10 ସେଥିରେ ମୁଁ ଦୂତଙ୍କ ହସ୍ତରୁ ସେହି କ୍ଷୁଦ୍ର ପୁସ୍ତକଟି ନେଇ ତାହା ଭକ୍ଷଣ କଲି; ତାହା ମୋ ମୁଖକୁ ମଧୁ ପରି ମିଷ୍ଟ ଲାଗିଲା, କିନ୍ତୁ ତାହା ଭକ୍ଷଣ କାଲା ପରେ ମୋହର ଉଦର ତିକ୍ତ ହୋଇଗଲା |।
11 ତତ୍ପରେ ମୋତେ କୁହାଗଲା, ଅନେକ ବଂଶ, ଜାତି, ଭାଷାବାଦୀ ଓ ରାଜାଙ୍କ ବିରୁଦ୍ଧରେ ତୁମ୍ଭକୁ ପୁନର୍ବାର ଭାବବାଣୀ କହିବାକୁ ହେବ |।