1 ଏଥିଉତ୍ତାରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ଵର୍ଗରୁ ଓହ୍ଲାଇ ଆସିବାର ଦେଖିଲି; ସେ ମହାକ୍ଷମତାପନ୍ନ, ତାହାଙ୍କ ମହିମାରେ ପୃଥିବୀ ଆଲୋକମୟ ହୋଇଗଲା |।
2 ସେ ମହା ଶଦ୍ଦ କରି ଉଚ୍ଚ ସ୍ଵରରେ କହିଲେ, ମହାନଗରୀ ବାବିଲ୍ ପତିତ, ଅଧଃପତିତ ହୋଇଅଛି, ତାହା ଭୁତ ମାନଙ୍କ ବାସସ୍ଥାନ ପୁଣି ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାଙ୍କର ଆଶ୍ରୟସ୍ଥାନ ହୋଇଅଛି |।
3 କାରଣ ଜାତି ସମୁହ ତାହାର ବ୍ୟଭିଚାର କାମରୂପ ମଦିରା ପାନ କରିଅଛନ୍ତି, ପୃଥିବୀର ରାଜା ମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସୀତାରେ ଧନୀ ହୋଇଅଛନ୍ତି |।
4 ପରେ ମୁଁ ସ୍ୱର୍ଗରୁ ଆଉ ଗୋଟିଏ ସ୍ଵର ଏହା କହିବାର ଶୁଣିଲି, ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥିନିମନ୍ତେ ତାହାଠାରୁ ବାହାରି ଆସ;
5 କାରଣ ତାହାର ପାପରାଶୀ ସ୍ଵର୍ଗ ପର୍ଯ୍ୟନ୍ତ ସୁଦ୍ଧା ଉଠିଅଛି, ଆଉ ଈଶ୍ୱରତାହାର ଅଧର୍ମସବୁ ସ୍ମରଣ କରିଅଛନ୍ତି |।
6 ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି,ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର |।
7 ସେ ଯେତେ ନିଜର ଗୌରବ କରିଅଛି ଓ ବିଳାସିତାରେ କାଳ କାତିଅଛି,ତାହାକୁ ସେତେ ଯନ୍ତ୍ରଣା ଓ ଶୋକ ଦିଅ; କାରଣ ସେ ମନେ ମନେ କହୁଅଛି, ମୁଁ ରାଣୀ ହୋଇ ବସିଅଛି, ମୁଁ ବିଧବା ନୁହେଁ,ମୋତେ କଦାପି ଶୋକ କରିବାକୁ ହେବ ନାହିଁ |।
8 ଏନିମନ୍ତେ ଏକ ଦିନରେହିଁ ତାହା ପ୍ରତି ଏହି ସମସ୍ତ କ୍ଲେଶ, ଅର୍ଥାତ୍ ମୃତ୍ୟୁ, ଶୋକ ଓ ଦୁର୍ଭିକ୍ଷ ଘଟିବ, ଆଉ ସେ ସମ୍ପୁର୍ଣ୍ଣରୂପେ ଅଗ୍ନିରେ ଦଗ୍ଧ ହେବ, ଯେଣୁ ତାହାର ବିଚାରକର୍ତ୍ତା ପ୍ରଭୁ ଈଶ୍ୱର ଶକ୍ତିମାନ୍ |।
9 ପୃଥିବୀର ଯେସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି,ସେମାନେ ତାହା ଦାହର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବେ;
10 ସେମାନେ ତାହାର ଯନ୍ତ୍ରଣାରେ ଭୟ ହେତୁ ଦୂରରେ ଠିଆ ହୋଇ କହିବ,ହାୟ,ହାୟ, ମହାନଗରୀ, ପରାକ୍ରମୀ ନଗରୀ ବାବିଲ,ତୁ ସନ୍ତାପର ପାତ୍ର | କାରଣ ଏକ ଘଡ଼ି ମଧ୍ୟରେ ତୋହର ଦଣ୍ଡ ଉପସ୍ଥିତ ହେଲା |।
11 ଆଉ ପୃଥିବୀର ବଣିକମାନେ ତାହା ନିମନ୍ତେ କ୍ରନ୍ଦନ ଓ ଶୋକ କରିବେ, କାରଣ କେହି ସେମାନଙ୍କ ବାଣିଜ୍ୟଦ୍ରବ୍ୟ ଆଉ କ୍ରୟ କରିବ ନାହିଁ ଯଥା,
12 ସୁବର୍ଣ୍ଣ,ରୌପ୍ୟ,ମଣି,ମୁକ୍ତା,ସୁକ୍ଷ୍ମ ବସ୍ତ୍ର,କୃଷ୍ଣଲୋହିତ ବସ୍ତ୍ର,ପଟୁବସ୍ତ୍ର, ସିନ୍ଦୁରବର୍ଣ୍ଣ ବସ୍ତ୍ର, ସମସ୍ତ ପ୍ରକାର ଚନ୍ଦନକାଷ୍ଠ, ହସ୍ତୀଦନ୍ତର ସର୍ବପ୍ରକାର ବସ୍ତୁ, ଅତିବହୁମୂଲ୍ୟ କାଷ୍ଠ,ପିତ୍ତଳ,ଲୌହ ଓ ମର୍ମର ପ୍ରସ୍ତର ନିର୍ମିତ ସମସ୍ତ ପ୍ରକାର ବସ୍ତୁ,
13 ଦାରୁଚିନି,ସୁଗନ୍ଧି ଦ୍ରବ୍ୟ, ଧୁପ, ସୁଗନ୍ଧି ଲେପ୍ୟଦ୍ରବ୍ୟ,କୁନ୍ଦୁରୁ, ମଦ୍ୟ,ତୈଳ,ମଇଦା, ଗହମ, ଗୋରୁ, ମେଷ,ଅଶ୍ୱ, ରଥ, କ୍ରୀତଦାସ ଓ ମନୁଷ୍ୟମାନଙ୍କ ପ୍ରାଣ |।
14 ତୋହର ପ୍ରାଣର ଅଭିଳଷିତ ଫଲସବୁ ତୋହଠାରୁ ଦୂର ହୋଇଅଛି, ପୁଣି ସମସ୍ତ ସୁସ୍ୱାଦୁ ଓ ମନୋହରବିଷୟ ତୋହଠାରୁ ଅନ୍ତର କରାଯାଇ ବିନଷ୍ଟ ହୋଇଅଛି,ଆଉ କେବେହେଁ ସେସମସ୍ତର ଉଦ୍ଦେଶ୍ୟ ମିଳିବନାହିଁ |।
15 ଏହି ସମସ୍ତ ଦ୍ରବ୍ୟର ଯେଉଁ ବଣିକମାନେ ତାହା ଦ୍ୱାରା ଧନୀ ହୋଇଥିଲେ, ସେମାନେ ତାହାର ଯନ୍ତ୍ରଣାର ଭୟ ହେତୁ ଦୂରରେ ଠିଆ ହୋଇ କ୍ରନ୍ଦନ ଓ ଶୋକ କରି କହିବେ,
16 ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ | ତାହା ସୁକ୍ଷ୍ମ ବସ୍ତ୍ର, କୃଷ୍ଣଲୋହିତ ଓ ସିନ୍ଦୁରବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୁଷିତା ଥିଲା |।
17 କାରଣ ଏକ ଘଡ଼ି ମଧ୍ୟରେ ସେହି ମହାସମ୍ପତ୍ତି ଧ୍ୱଂସ ହୋଇଗଲା | ଆଉ ପ୍ରତ୍ୟକ ପୋତାଧ୍ୟକ ଓ ଜଳପଥରେ ଗତାୟାତକାରୀ ପ୍ରତ୍ୟକ ଲୋକ ପୁଣି ନାବିକ ଓ ସମୁଦ୍ରବ୍ୟବସାୟୀସମସ୍ତେ ଦୂରରେ ଠିଆ ହୋଇ।
18 ତାହାର ଦାହର ଧୂମ ଦେଖି ଚିତ୍କାର କରି କହିଲେ,ଏହି ମହାନଗରୀ ତୁଲ୍ୟ ଆଉ କେଉଁ ନଗରୀ।
19 ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ,ହାୟ, ହାୟ, ମହାନଗରୀ,ସନ୍ତାପର ପାତ୍ରୀ |ତାହାର ସମୃଦ୍ଧି ଦ୍ୱାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ ଧନବାନ୍ ହୋଇଥିଲେ;ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ୱଂସ ହୋଇଗଲା |।
20 ହେ ସ୍ଵର୍ଗ, ହେ ସାଧୁବୃନ୍ଧ, ହେ ପ୍ରେରିତବର୍ଗ,ହେ ଭାବବାଦୀସମସ୍ତେ, ତୁମ୍ଭେମାନେ ତାହାର ପତନରେ ଆନନ୍ଦ କର, ଈଶ୍ୱର ତୁମ୍ଭମାନଙ୍କ ସକାଶେ ତାହାଠାରୁ ପ୍ରତିଶୋଧ ନେଇଛନ୍ତି |।
21 ତତ୍ପରେ ଜଣେ ବଳବାନ୍ ଦୂତ ଗୋଟିଏ ବୃହତ୍ ଚକିପଥର ପରି ଗୋଟିଏ ପଥର ସମୁଦ୍ରରେ ନିକ୍ଷେପ କରି କହିଲେ,ଏହିପରି ମହାବଳରେ ମହାନଗରୀ ବାବିଲ୍ ନିକ୍ଷିପ୍ତ ହେବ,ଆଉ କେବେହେଁ ତାହାର ଉଦ୍ଦେଶ ମିଳିବ ନାହିଁ |।
22 ବୀଣାବାଦକ,ଗାୟକ,ବଂଶୀବାଦକ ଓ ତୁରୀବାଦକ ମାନଙ୍କର ଶବ୍ଦ ତୋହ ମଧ୍ୟରେ ଆଉ କେବେହେଁ ଶୁଣାଯିବ ନାହିଁ, କୌଣସି ପ୍ରକାର ଶିଳ୍ପକର ତୋହ ମଧ୍ୟରେ ଆଉ କେବେହେଁ ଦେଖାଯିବ ନାହିଁ, ଚକିପଥରର ଶଦ୍ଦ ତୋହ ମଧ୍ୟରେ ଆଉ କେବେହେଁ ଶୁଣାଯିବ ନାହିଁ,
23 ପ୍ରଦୀପର ଆଲୋକ ତୋହ ମଧ୍ୟରେ ଆଉ କେବେହେଁ ପ୍ରଜ୍ଜ୍ୱଳିତ ହେବ ନାହିଁ,ପୁଣି ବର କନ୍ୟାଙ୍କ ଶବ୍ଦ ତୋହ ମଧ୍ୟରେ ଆଉ କେବେହେଁ ଶୁଣାଯିବ ନାହିଁ;କାରଣ ତୋହର ବଣିକମାନେ ପୃଥିବୀରେ ମହାନ୍ ଥିଲେ,ଆଉ ତୋହର ମାୟାରେ ଜାତିସମୂହ ଭ୍ରାନ୍ତ ହୋଇଥିଲେ,
24 ପୁଣି ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେହଟ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା |।