1 ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ବଜ୍ରନିର୍ଘୋଷସ୍ୱରରେ ଏହା କହୁଥିବା ଶୁଣିଲି, ଆସ |।
2 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ଶୁକ୍ଲବର୍ଣ୍ଣ ଅଶ୍ୱ, ପୁଣି ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦତ୍ତ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ |।
3 ମେଷଶାବକ ଯେତେବେଳେ ଦ୍ୱିତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଦ୍ୱିତୀୟ ପ୍ରାଣୀଙ୍କି ଏହା କହୁଥିବା ଶୁଣିଲି, ଆସ |।
4 ସେଥିରେ ଆଉ ଗୋଟିଏ ଅଶ୍ୱ ବାହାର ହେଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥିନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି ତାହାକୁ ଗୋଟିଏ ବୃହତ୍ ଖଡ଼୍ ଗ ଦତ୍ତ ହେଲା |।
5 ମେଷଶାବକ ଯେତେବେଳେ ତୃତୀୟ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ତୃତୀୟ ପ୍ରାଣୀଙ୍କି ଏହା କହୁଥିବା ଶୁଣିଲି, ଆସ |ସେଠରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ କୃଷ୍ଣବର୍ଣ୍ଣ ଅଶ୍ୱ, ପୁଣି ତାହାର ଆରୋହୀର ହସ୍ତରେ ଗୋଟିଏ ତରାଜୁ |।
6 ଆଉ ମୁଁ ଚାରି ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏହି ସ୍ୱର ଶୁଣିଲି, ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ ତିନି ସେର ଯବ ହେବ, କିନ୍ତୁ ତୁମ୍ଭେ ତୈଲ ଓ ଦ୍ରାକ୍ଷାରସ କ୍ଷତି କର ନାହିଁ |।
7 ମେଷଶାବକ ଯେତେବେଳେ ଚତୁର୍ଥ ମୁଦ୍ରା ଭାଙ୍ଗିଲେ, ସେତେବେଳେ ମୁଁ ଚତୁର୍ଥ ପ୍ରାଣୀଙ୍କି ଏହା କହୁଥିବା ଶୁଣିଲି, ଆସ |।
8 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ଡୁବର୍ଣ୍ଣ ଅଶ୍ୱ, ତାହାର ଆରୋହୀ ନାମ ମୃତ୍ୟୁ, ପୁଣି ପାତାଳ ତାହାର ପଶ୍ଚାଦ୍ ଗମନ କରୁଥିଲା; ଖଡ଼୍ ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚତୁର୍ଥାଂଶ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା |।
9 ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦତ୍ତ ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦୀ ତଳେ ଦେଖିଲି |।
10 ସେମାନେ ଉଚ୍ଚ ସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେକାଳ ତୁମ୍ଭେ ବିଚାର ନ କରି ପୃଥିବୀନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ।
11 ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଶୁକ୍ଲ ବସ୍ତ୍ର ଦତ୍ତ ହେଲା, ପୁଣି ସେମାନଙ୍କର ଯେଉଁ ସହଦାସ ଓ ଭ୍ରାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୁର୍ଣ୍ଣ ନ ହେବା ଯାଏ ଆଉ କିଛିକାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା |।
12 ମେଷଶାବକ ଷଷ୍ଠ ମୁଦ୍ରା ଭାଙ୍ଗିବା ସମୟରେ ମୁଁ ଦେଖିଲି, ମହାଭୁମିକମ୍ପ ହେଲା, ସୂର୍ଯ୍ୟ ଲୋମ ନିର୍ମିତ କମ୍ବଳ ପରି କୃଷ୍ଣବର୍ଣ୍ଣ ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ହେଲା,
13 ପ୍ରବଳ ବାୟୁ ଆଘାତରେ ଡିମ୍ବିରିବୃକ୍ଷରୁ ଯେପରି ଅପକ୍ୱ ଫଳସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ରସବୁ ପୃଥିବୀରେ ନିକ୍ଷିପ୍ତ ହେଲେ,
14 ଆକାଶମଣ୍ଡଳ ଚର୍ମପୁସ୍ତକ ଗୁଡ଼ା ହେଲା ପରି ଗୁଡ଼ା ହୋଇ ଦୂରୀଭୂତ ହେଲା, ପୁଣି ପର୍ବତ ଓ ଦ୍ୱୀପସମସ୍ତ ସ୍ଥାନାନ୍ତରିତ ହେଲେ |।
15 ଆଉ ପୃଥିବୀର ରାଜାମାନେ, ପାତ୍ରମନ୍ତ୍ରୀମାନେ, ପ୍ରଧାନ ସେନାପତି ଓ ଧନିମାନେ, ବଳବାନ୍ ଲୋକମାନେ ଏବଂ ପରାଧିନ ଓ ସ୍ୱାଧିନ ଲୋକସମସ୍ତେ ଗୁହା ଓ ପର୍ବତମାଳାର ଶୈଳମାନଙ୍କ ମଧ୍ୟରେ ଆପଣା ଆପଣାକୁ ଲୁଚାଇଲେ,
16 ପୁଣି ସେମାନେ ପର୍ବତ ଓ ଶୈଳମାନଙ୍କୁ କହିଲେ, ଆମ୍ଭମାନଙ୍କ ଉପରେ ପଡ଼ି ସିଂହାସନପବିଷ୍ଟ ବ୍ୟକ୍ତିଙ୍କ ଛାମୁରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଚାଇ ରଖ,
17 କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି ଆଉ କିଏ ଠିଆ ହୋଇ ପାରେ।