1 ତେବେ, ଆମ୍ଭେମାନେ କଅଣ କରିବା ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ରହିଥିବା।
2 ତାହା କେବେହେଁ ନ ହେଉ ପାପ ପ୍ରତି ମୃତ ଯେ ଆମ୍ଭେମାନେ, ଆମ୍ଭେମାନେ ସେଥିରେ କିପରି ଆଉ ଜୀବନ କାଟିବା।
3 ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ।
4 ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହିପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ;
5 କାରଣ ଯଦି ଆମ୍ଭେମାନେ ତାହାଙ୍କ ମୃତୁ୍ୟର ସାଦୃଶ୍ୟରେ ମୃତୁ୍ୟଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଅଛୁ, ତାହାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହେବା।
6 ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ, ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମ୍ଭମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି,
7 ଏହା ତ ଆମ୍ଭେମାନେ ଜାଣୁ, କାରଣ ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି।
8 କିନ୍ତୁ ଆମ୍ଭେମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରିଅଛୁ, ତାହାହେଲେ ଆମ୍ଭେମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମ୍ଭେମାନେ ବିଶ୍ୱାସ କରୁ।
9 ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉତ୍ଥାପିତ ହେବାରୁ ଯେ ଆଉ କେବେ ମରିବେ ନାହିଁ, ଏହା ତ ଆମ୍ଭେମାନେ ଜାଣୁ; ତାହାଙ୍କ ଉପରେ ମୃତୁ୍ୟର ଆଉ କର୍ତ୍ତୃତ୍ୱ ନାହିଁ।
10 କାରଣ ସେ ଯେଉଁ ମୃତୁ୍ୟଭୋଗ କଲେ, ତଦ୍ଦ୍ୱାରା ସେ ଏକାଥରେ ପାପ ପ୍ରତି ମୃତ ହେଲେ; କିନ୍ତୁ ସେ ଯେଉଁ ଜୀବନରେ ଜୀବିତ, ସେଥିରେ ସେ ଈଶ୍ୱରଙ୍କ ପ୍ରତି ଜୀବିତ ଅଟନ୍ତି।
11 ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆପଣା ଆପଣାକୁ ପାପ ପ୍ରତି ମୃତ, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଥାଇ ଈଶ୍ୱରଙ୍କ ପ୍ରତି ଜୀବିତ ବୋଲି ଗଣନା କର।
12 ଅତଏବ ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ, ତୁମ୍ଭେମାନେ ସେଥିର କୁଅଭିଳାଷ- ଗୁଡ଼ାକର ବଶବର୍ତ୍ତୀ ହେବ;
13 କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକ- ତାର ଅସ୍ତ୍ରଶସ୍ତ୍ରରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କର, ପୁଣି ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ରରୂପେ ଈଶ୍ୱରଙ୍କ ନିକଟରେ ସମର୍ପଣ କର।
14 କାରଣ ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ଯେଣୁ ତୁମ୍ଭେମାନେ ବ୍ୟବସ୍ଥାର ଅଧୀନ ନୁହଁ, ମାତ୍ର ଅନୁଗ୍ରହର ଅଧୀନ ଅଟ ଧାର୍ମିକତାର ଦାସତ୍ୱ।
15 ତେବେ କଅଣ ଆମ୍ଭେମାନେ ଯେ ବ୍ୟବସ୍ଥାର ଅଧୀନ ନୋହୁଁ, ମାତ୍ର ଅନୁଗ୍ରହର ଅଧୀନ ଅଟୁ, ଏଥିନିମନ୍ତେ କି ପାପ କରିବା ତାହା କେବେ ହେଁ ନ ହେଉ।
16 ମୃତୁ୍ୟଜନକ ପାପ କିମ୍ବା ଧାର୍ମିିକତାଜନକ ଆଜ୍ଞା- ବହତା, ଏହା ମଧ୍ୟରୁ ଯାହା ନିକଟରେ ତୁମ୍ଭେମାନେ ଆଜ୍ଞାବହ ହେବା ନିମନ୍ତେ ଆପଣା ଆପଣାକୁ ଦାସ ରୂପେ ସମର୍ପଣ କର, ଅର୍ଥାତ୍ ଯାହାର ଆଜ୍ଞା ପାଳନ କର, ତାହାର ଯେ ତୁମ୍ଭେମାନେ ଦାସଅଟ, ଏହା କଅଣ ଜାଣ ନାହିଁ।
17 କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ ଯେ, ତୁମ୍ଭେମାନେ, ଯେଉଁମାନେ କି ପୂର୍ବରେ ପାପର ଦାସଥିଲ, ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ, ହୃଦୟ ସହ ସେଥିର ଆଜ୍ଞାବହ ହୋଇଅଛ।
18 ପୁଣି ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ।
19 ତୁମ୍ଭମାନଙ୍କ ମାନବୀୟ ଦୁର୍ବଳତା ହେତୁ ମୁଁ ମନୁଷ୍ୟ ଭାବରେ କହୁଅଛିନ୍ତ ତୁମ୍ଭେମାନେ ଯେପରି ଅଧର୍ମ ନିମନ୍ତେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଅଶୁଚିତା ଓ ଅଧର୍ମ ନିକଟରେ ଦାସ ରୂପେ ସମର୍ପଣ କରିଥିଲ, ସେହିପରି ଏବେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ପବିତ୍ରତା ନିମନ୍ତେ ଧାର୍ମିକତା ନିକଟରେ ଦାସ ରୂପେ ସମର୍ପଣ କର।
20 କାରଣ ତୁମ୍ଭେମାନେ ପାପର ଦାସଥିବା ସମୟରେ ଧାର୍ମିକତା ସମ୍ବନ୍ଧରେ ସ୍ୱାଧୀନ ଥିଲ।
21 ତେବେ, ସେହି ସମୟରେ ତୁମ୍ଭମାନଙ୍କର କି ଫଳ ଥିଲା ଯେସମସ୍ତ ବିଷୟରେ ତୁମ୍ଭେମାନେ ଏବେ ଲଜ୍ଜା ବୋଧ କରୁଅଛ, କେବଳ ସେତିକି ମାତ୍ର; ସେହିସମସ୍ତର ପରିଣାମ ତ ମୃତୁ୍ୟ।
22 କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ।
23 କାରଣ ପାପର ବେତନ ମୃତୁ୍ୟ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ।