1 ଭବିଷ୍ୟତରେ ଇସ୍ରାଏଲର ଉଦ୍ଧାର ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ଭାରୋକ୍ତି ଯେ ଆକାଶମଣ୍ଡଳ ବିସ୍ତାର କରନ୍ତି ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରନ୍ତି ଓ ମନୁଷ୍ୟର ଅନ୍ତରରେ ଆତ୍ମା ନିର୍ମାଣ କରନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି।
2 ଦେଖ, ଆମ୍ଭେ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଗୋଷ୍ଠୀ ପ୍ରତି ଯିରୂଶାଲମକୁ ଟଳଟଳଜନକ ପାନପାତ୍ର ସ୍ୱରୂପ କରିବା ଓ ଯିରୂଶାଲମର ଅବରୋଧ କାଳେ ତାହା ଯିହୁଦାର ଉପରେ ମଧ୍ୟ ବର୍ତ୍ତିବ।
3 ପୁଣି, ସେହି ଦିନ ଆମ୍ଭେ ଯିରୂଶାଲମକୁ ସମସ୍ତ ଗୋଷ୍ଠୀ ପ୍ରତି ଭାର ସ୍ୱରୂପ ପ୍ରସ୍ତର କରିବାନ୍ତ ଯେଉଁମାନେ ତଦ୍ଦ୍ୱାରା ଆପଣାମାନଙ୍କୁ ଭାରଗ୍ରସ୍ତ କରନ୍ତି, ସେସମସ୍ତେ ଅତ୍ୟନ୍ତ କ୍ଷତବିକ୍ଷତ ହେବେ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତାହା ବିରୁଦ୍ଧରେ ଏକତ୍ରିତ ହେବେ।
4 ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ ପ୍ରତ୍ୟେକ ଅଶ୍ୱକୁ ସ୍ତବ୍ଧତାରେ ଓ ତଦାରୋହୀକି ଉନ୍ମତ୍ତତାରେ ଆଘାତ କରିବା ଆଉ, ଆମ୍ଭେ ଯିହୁଦା-ବଂଶ ପ୍ରତି ଆପଣା ଚକ୍ଷୁ ମେଲାଇ ଗୋଷ୍ଠୀଗଣର ପ୍ରତ୍ୟେକ ଅଶ୍ୱକୁ ଅନ୍ଧତାରେ ଆଘାତ କରିବା।
5 ପୁଣି, ଯିହୁଦାର ଅଧ୍ୟକ୍ଷଗଣ ଆପଣା ଆପଣା ମନରେ କହିବେ, ଯିରୂଶାଲମର ନିବାସୀମାନେ ସୈନ୍ୟାଧିପତି ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ସାହାଯ୍ୟରେ ମୋର ବଳସ୍ୱରୂପ ଅଟନ୍ତି।
6 ସେଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ୱରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ୱରୂପ କରିବା ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାଶ୍ୱର୍ସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେନ୍ତ ଆଉ, ଯିରୂଶାଲମ ପୁନର୍ବାର ସ୍ୱସ୍ଥାନରେ, ଅର୍ଥାତ୍, ଯିରୂଶାଲମରେ ବାସ କରିବ।
7 ଆହୁରି, ଦାଉଦ-ବଂଶର ଗୌରବ ଓ ଯିରୂଶାଲମ ନିବାସୀଗଣର ଗୌରବ ଯେପରି ଯିହୁଦା-ବଂଶର ଉପରେ ଉନ୍ନତ ନ ହୁଏ, ଏଥିପାଇଁ ସଦାପ୍ରଭୁ ପ୍ରଥମରେ ଯିହୁଦାର ତମ୍ବୁସବୁକୁ ଉଦ୍ଧାର କରିବେ।
8 ସେଦିନ ସଦାପ୍ରଭୁ ଯିରୂଶାଲମର ନିବାସୀଗଣକୁ ରକ୍ଷା କରିବେ ଓ ସେମାନଙ୍କ ମଧ୍ୟରେ ଯେଉଁ ଜନ ଦୁର୍ବଳ, ସେଦିନ ସେ ଦାଉଦ ପରି ହେବ ଓ ଦାଉଦ-ବଂଶ ପରମେଶ୍ୱରଙ୍କ ପରି, ସେମାନଙ୍କର ଅଗ୍ରଗାମୀ ସଦାପ୍ରଭୁଙ୍କର ଦୂତ ପରି ହେବେ।
9 ଆଉ, ଯେଉଁମାନେ ଯିରୂଶାଲମର ବିରୁଦ୍ଧରେ ଆସନ୍ତି, ସେସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସେଦିନ ନଷ୍ଟ କରିବାକୁ ଚେଷ୍ଟା କରିବା।
10 ପୁଣି, ଆମ୍ଭେ ଦାଉଦ ବଂଶ ଉପରେ ଓ ଯିରୂଶାଲମ ନିବାସୀମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମା ବୃଷ୍ଟି କରିବା ତହିଁରେ ସେମାନେ ଆମ୍ଭ ପ୍ରତି, ଅର୍ଥାତ୍, ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ ଆଉ, କେହି ଯେପରି ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ସେପରି ସେମାନେ ତାହାଙ୍କ ପାଇଁ ଶୋକ କରିବେ ଓ କେହି ଯେପରି ଆପଣା ପ୍ରଥମଜାତର ନିମନ୍ତେ ବ୍ୟାକୁଳିତ ହୁଏ, ସେପରି ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ।
11 ସେଦିନ ମଗିଦ୍ଦୋନ୍ ଉପତ୍ୟକାରେ ହଦଦ୍ରିମ୍ମୋଣର ଶୋକତୁଲ୍ୟ ଯିରୂଶାଲମରେ ମହା ଶୋକ ହେବ।
12 ପୁଣି ଦେଶ, ପ୍ରତ୍ୟେକ ଗୋଷ୍ଠୀ ପୃଥକ୍ ପୃଥକ୍ ଶୋକ କରିବେ ଦାଉଦ-ବଂଶର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍ ନାଥନ-ବଂଶର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍।
13 ଲେବୀ-ବଂଶର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍ ଶିମୀୟିର ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍ ଶୋକ କରିବେ।
14 ଅବଶିଷ୍ଟ ସମୁଦାୟ ଗୋଷ୍ଠୀ ମଧ୍ୟରୁ ପ୍ରତ୍ୟେକ ଗୋଷ୍ଠୀ ପୃଥକ୍ ଓ ସେମାନଙ୍କର ସ୍ତ୍ରୀଗଣ ପୃଥକ୍ ଶୋକ କରିବେ।