1 ଯିରୂଶାଲମ ଓ ଗୋଷ୍ଠୀଗଣଙ୍କ ପ୍ରତି ବିଚାର ଉପଦ୍ରବକାରିଣୀ ଯେଉଁ ନଗରୀ ବିଦ୍ରୋହିଣୀ ଓ ଭ୍ରଷ୍ଟା ହୋଇଅଛି, ସେ ସନ୍ତାପର ପାତ୍ରୀ।
2 ସେ ରବ ଶୁଣିଲା ନାହିଁ ସେ ଶିକ୍ଷା ଗ୍ରହଣ କଲା ନାହିଁ ସେ ସଦାପ୍ରଭୁଙ୍କଠାରେ ନିର୍ଭର ରଖିଲା ନାହିଁ ସେ ଆପଣା ପରମେଶ୍ୱରଙ୍କ ନିକଟକୁ ଆସିଲା ନାହିଁ।
3 ତାହାର ମଧ୍ୟସ୍ଥିତ ଅଧିପତିଗଣ ଗର୍ଜନକାରୀ ସିଂହ ତାହାର ବିଚାରକର୍ତ୍ତାଗଣ ସନ୍ଧ୍ୟାକାଳୀନ କେନ୍ଦୁଆ ସେମାନେ ସକାଳ ବେଳାକୁ କିଛି ରଖନ୍ତି ନାହିଁ।
4 ତାହାର ଭବିଷ୍ୟଦ୍ବକ୍ତାମାନେ ଅସାର ଓ ବିଶ୍ୱାସଘାତକ ଅଟନ୍ତି ତାହାର ଯାଜକଗଣ ପବିତ୍ର ବିଷୟକୁ ଅପବିତ୍ର କରିଅଛନ୍ତି, ସେମାନେ ବ୍ୟବସ୍ଥା ପ୍ରତି ଦୌରାତ୍ମ୍ୟ କରିଅଛନ୍ତି।
5 ତାହାର ମଧ୍ୟବର୍ତ୍ତୀ ସଦାପ୍ରଭୁ ଧାର୍ମିକ ଅଟନ୍ତି ସେ ଅଧର୍ମ କରିବେ ନାହିଁ ପ୍ରତି ପ୍ରଭାତ ସେ ଆପଣା ବିଚାର ଆଲୁଅରେ ସ୍ଥାପନ କରନ୍ତି, ସେ ତ୍ରୁଟି କରନ୍ତି ନାହିଁନ୍ତ ମାତ୍ର ଅନ୍ୟାୟକାରୀ ଲୋକ ଲଜ୍ଜା ଜାଣେ ନାହିଁ।
6 ଆମ୍ଭେ ଗୋଷ୍ଠୀଗଣକୁ ଉଚ୍ଛିନ୍ନ କରିଅଛୁ, ସେମାନଙ୍କର ଦୁର୍ଗସକଳ ଧ୍ୱଂସିତ ହୋଇଅଛି ଆମ୍ଭେ ସେମାନଙ୍କର ପଥସକଳ ଶୂନ୍ୟ କରିଅଛୁ, ତାହା ଦେଇ କେହି ଗମନାଗମନ କରେ ନାହିଁ ସେମାନଙ୍କର ନଗରସକଳ ଏପରି ବିନଷ୍ଟ ହୋଇଅଛି ଯେ, ତହିଁରେ କୌଣସି ମନୁଷ୍ୟ ଓ ବାସକାରୀ କେହି ନାହିଁ।
7 ଆମ୍ଭେ କହିଲୁ, ତୁମ୍ଭେ ଅବଶ୍ୟ ଆମ୍ଭକୁ ଭୟ କରିବ, ତୁମ୍ଭେ ଶିକ୍ଷା ଗ୍ରହଣ କରିବନ୍ତ ତହିଁରେ ତାହାର ବିରୁଦ୍ଧରେ ଆମ୍ଭର ସକଳ ନିରୂପଣ ଅନୁସାରେ ତାହାର ନିବାସ-ସ୍ଥାନ ଉଚ୍ଛିନ୍ନ ହେବ ନାହିଁ ମାତ୍ର ସେମାନେ ଅତି ପ୍ରଭାତରେ ଉଠି ଆପଣାମାନଙ୍କର କ୍ରିୟାସବୁକୁ ଭ୍ରଷ୍ଟ କଲେ।
8 ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ଆମ୍ଭ ଅପେକ୍ଷାରେ ଥାଅ କାରଣ ଆମ୍ଭେ ଆପଣା କୋପ ଓ ପ୍ରଚଣ୍ଡ କ୍ରୋଧ ରାଜ୍ୟସକଳର ଉପରେ ଢାଳିବା ନିମନ୍ତେ ଯେପରି ସେମାନଙ୍କୁ ଏକତ୍ର କରିବା, ଏଥିପାଇଁ ଗୋଷ୍ଠୀଗଣକୁ ସଂଗ୍ରହ କରିବାକୁ ଆମ୍ଭର ସ୍ଥିର ବିଚାର ଅଛି କାରଣ ଆମ୍ଭର ଅନ୍ତଜ୍ୱର୍ାଳାରୂପ ଅଗ୍ନିରେ ସମୁଦାୟ ପୃଥିବୀ ଗ୍ରାସିତ ହେବ।
9 ଯେହେତୁ ଗୋଷ୍ଠୀଗଣ ଯେପରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେ ଓ ଏକମନରେ ତାହାଙ୍କର ସେବା କରିବେ, ଏଥିପାଇଁ ସେସମୟରେ ଆମ୍ଭେ ସେମାନଙ୍କୁ ଏକ ବିଶୁଦ୍ଧ ଭାଷା ଦେବା।
10 ଆମ୍ଭର ପ୍ରାର୍ଥନାକାରୀମାନେ ଓ ଆମ୍ଭ ଛିନ୍ନଭିନ୍ନ (ଲୋକଙ୍କର) କନ୍ୟା କୂଶ ଦେଶସ୍ଥ ନଦୀସବୁର ସେପାରିରୁ ଆମ୍ଭର ନୈବେଦ୍ୟ ଆଣିବେ।
11 ତୁମ୍ଭେ ଆପଣାର ଯେସବୁ କ୍ରିୟାରେ ଆମ୍ଭର ଆଜ୍ଞା ଲଙ୍ଘନ କରିଅଛ, ତହିଁ ସକାଶୁ ସେଦିନ ତୁମ୍ଭେ ଲଜ୍ଜିତ ନୋହିବ କାରଣ ସେସମୟରେ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଦର୍ପଯୁକ୍ତ ଉଲ୍ଲାସକାରୀମାନଙ୍କୁ ଦୂର କରିବା ଓ ତୁମ୍ଭେ ଆମ୍ଭ ପବିତ୍ର ପର୍ବତରେ ଆଉ ଅହଙ୍କାରୀ ନୋହିବ।
12 ମାତ୍ର ଆମ୍ଭେ ତୁମ୍ଭ ମଧ୍ୟରେ କ୍ଳେଶଯୁକ୍ତ ଓ ଦରିଦ୍ର ଏକ ଗୋଷ୍ଠୀକି ରଖିବା, ଆଉ ସେମାନେ ସଦାପ୍ରଭୁଙ୍କ ନାମରେ ନିର୍ଭର ରଖିବେ।
13 ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନେ ଅଧର୍ମ କରିବେ ନାହିଁ, କିଅବା ମିଥ୍ୟା କହିବେ ନାହିଁ ଅଥବା ପ୍ରତାରକ ଜିହ୍ୱା ସେମାନଙ୍କ ମୁଖରେ ଦେଖାଯିବ ନାହିଁ କାରଣ ସେମାନେ ଚରିବେ ଓ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ।
14 ଗୋ ସିୟୋନ କନ୍ୟେ, ଗାନ କର ହେ ଇସ୍ରାଏଲ, ଜୟଧ୍ୱନି କର ଗୋ ଯିରୂଶାଲମ କନ୍ୟେ, ଆନନ୍ଦ କର ଓ ସର୍ବାନ୍ତଃକରଣରେ ଉଲ୍ଲାସ କର।
15 ସଦାପ୍ରଭୁ ତୁମ୍ଭର ଦଣ୍ଡସବୁ ଦୂର କରିଅଛନ୍ତି, ସେ ତୁମ୍ଭର ଶତ୍ରୁକୁ ଦୂର କରିଅଛନ୍ତି ଇସ୍ରାଏଲର ରାଜା ସଦାପ୍ରଭୁ ତୁମ୍ଭ ମଧ୍ୟବର୍ତ୍ତୀ ଅଛନ୍ତି, ତୁମ୍ଭେ ଆଉ ଅମଙ୍ଗଳର ଭୟ ପାଇବ ନାହିଁ।
16 ସେହି ଦିନ ଯିରୂଶାଲମକୁ କୁହାଯିବ, ତୁମ୍ଭେ ଭୟ କର ନାହିଁ ହେ ସିୟୋନ, ତୁମ୍ଭର ହସ୍ତ ଶିଥିଳ ନ ହେଉ।
17 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର, ଯେ କି ପରିତ୍ରାଣ କରିବେ ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ, ସେ ଆପଣା ସ୍ନେହଭରରେ ନୀରବ ହେବେ, ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ।
18 ତୁମ୍ଭର ଯେଉଁ ଲୋକମାନେ ମହାସଭା ବିଷୟରେ ଶୋଚନା କରନ୍ତି, ସେମାନଙ୍କୁ ଆମ୍ଭେ ଏକତ୍ର କରିବା ତାହାର ଭାର ସେମାନଙ୍କ ପ୍ରତି ଲଜ୍ଜାର ବିଷୟ ଥିଲା।
19 ଦେଖ, ଯେଉଁମାନେ ତୁମ୍ଭକୁ କ୍ଳେଶ ଦିଅନ୍ତି, ସେସମସ୍ତଙ୍କ ପ୍ରତି ସେସମୟରେ ଆମ୍ଭେ ଉପଯୁକ୍ତ ବ୍ୟବହାର କରିବା ପୁଣି, ଆମ୍ଭେ ଛୋଟୀକୁ ପରିତ୍ରାଣ କରିବା ଓ ଯେ ତାଡ଼ିତା ହୋଇଥିଲା, ତାହାକୁ ସଂଗ୍ରହ କରିବାନ୍ତ ଆଉ, ଯେଉଁମାନଙ୍କର ଲଜ୍ଜା ସମୁଦାୟ ପୃଥିବୀରେ ବ୍ୟାପିଥିଲା, ଆମ୍ଭେ ସେମାନଙ୍କୁ ପ୍ରଶଂସାର ଓ ଯଶର ପାତ୍ର କରିବା।
20 ସେସମୟରେ ଆମ୍ଭେ ତୁମ୍ଭମାନଙ୍କୁ ଆଣିବା ଓ ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା କାରଣ ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ସମୟରେ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ତୁମ୍ଭମାନଙ୍କୁ ଯଶର ଓ ପ୍ରଶଂସାର ପାତ୍ର କରିବା, ଏହା ସଦାପ୍ରଭୁ କହନ୍ତି।