1 ସେଥିରେ ଫେଷ୍ଟସ୍ ଅଧିପତି ପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରୀଆରୁ ଯିରୁସାଲମକୁ ଗଲେ,

2 ପୁଣି, ପ୍ରଧାନ ଜାଜକମାନେ ଓ ଯିହୁଦୀମାନଙ୍କର ମୁଖ୍ୟ ବ୍ୟକ୍ତିମାନେ ପାଉଲଙ୍କ ବିରୁଦ୍ଧରେ ତାଙ୍କ ନିକଟରେ ଆବେଦନ କଲେ।

3 ଆଉ ସେ ଯେପରି ତାଙ୍କୁ ଯିରୁସାଲମକୁ ଡକାଇ ପଠାନ୍ତି ଏଥିନିମନ୍ତେ ବିନତିପୁର୍ବକ ତାଙ୍କ ବିରୁଦ୍ଧରେ ଏହି ଅନୁଗ୍ରହ ପ୍ରାର୍ଥନା କଲେ; ପୁଣି, ସେମାନେ ତାଙ୍କୁ ବାଟରେ ବଧ କରିବା ପାଇଁ ଛକି ବସିଲେ |।

4 ସେଥିରେ ଫେଷ୍ଟସ୍ ଉତ୍ତର ଦେଲେ, ପାଉଲ କାଇସରିଆରେ ବନ୍ଦୀ ହୋଇ ରହିଅଛି, ଆଉ ଆମ୍ଭେ ନିଜେ ଶୀଘ୍ର ସେଠାକୁ ଯାଉଅଛୁ |।

5 ଅତଏବ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ କ୍ଷମତାପନ୍ନ, ସେମାନେ ଆମ୍ଭ ସାଙ୍ଗରେ ଯାଇ, ସେହି ଲୋକର ଯଦି କୌଣସି ଦୋଷ ଥାଏ, ତେବେ ତାହାର ବିରୁଦ୍ଧରେ ଅଭିଯୋଗ କରନ୍ତୁ |।

6 ପରେ ସେ ସେମାନଙ୍କ ମଧ୍ୟରେ ଆଠ ବା ଦଶ ଦିନରୁ ଅଧିକ ନ ରହି କାଇସରିଆକୁ ବାହୁଡି ଗଲେ, ଆଉ ପରଦିନ ବିଚାରାସନରେ ବସି ପାଉଲଙ୍କୁ ଆଣିବା ନିମନ୍ତେ ଆଦେଶ ଦେଲେ |।

7 ସେ ଆସନ୍ତେ ଯିରୁସାଲମରୁ ଆଗତ ଯିହୁଦୀମାନେ ତାଙ୍କ ଚାରିଆଡେ ଠିଆ ହୋଇ ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ ଆଣିବାକୁ ଲାଗିଲେ, କିନ୍ତୁ ସେମାନେ ସେହି ସବୁ ପ୍ରମାଣ କରି ପାରିଲେ ନାହିଁ |।

8 ସେଥିରେ ପାଉଲ ଆପଣା ପକ୍ଷସମର୍ଥନ କରି କହିଲେ, ଯିହୂଦୀମାନଙ୍କ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ ମୁଁ କୌଣସି ଅପରାଧ କରି ନାହି |।

9 କିନ୍ତୁ ଫେଷ୍ଟସ୍ ଯିହୁଦୀମାନଙ୍କର ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ଉତ୍ତର ଦେଲେ, ତୁମ୍ଭେ କି ଯିରୁଶାଲମକୁ ଯାଇ ସେ ସ୍ଥାନରେ ଆମ୍ଭ ସାକ୍ଷାତରେ ଏହି ସବୁ ବିଷୟ ନେଇ ବିଚାରିତ ହେବାକୁ ଇଛା କରୁଅଚ୍ଛ?

10 ମାତ୍ର ପାଉଲ କହିଲେ, ମୁଁ କାଇସରଙ୍କ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବ ଉଚିତ୍ | ମୁଁ ଯିହୁଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରିନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମରୁପେ ଜାଣନ୍ତି |।

11 ତେବେ, ଯଦି ମୁଁ ଅନ୍ୟାୟକାରୀ ହୋଇଥାଏ ଓ ମୃତ୍ୟୁଯୋଗ୍ୟ କୌଣସି କର୍ମ କରିଥାଏ, ତାହାହେଲେ ମୁଁ ମୃତ୍ୟୁଭୋଗ କରିବାକୁ ନାସ୍ତି କରୁ ନାହିଁ; କିନ୍ତୁ ଏମାନେ ମୋ, ବିରୁଦ୍ଧରେ ଯାହାସବୁ ଅଭିଯୋଗ କରୁଅଛନ୍ତି, ସେହିସବୁ ମଧ୍ୟରେ ଯଦି ପଦେ ସତ୍ୟ ନାହି, ତାହା ହେଲେ କୌଣସି ବ୍ୟକ୍ତି ସେମାନଙ୍କ ହସ୍ତରେ ମୋତେ ସମର୍ପଣ କରି ପାରନ୍ତି ନାହି | ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥାନା କରୁଅଛି |।

12 ସେଥିରେ ଫେଷ୍ଟସ୍ ମନ୍ତ୍ରୀମଣ୍ଡଳ ସହିତ ପରାମର୍ସ କରି ଉତ୍ତର ଦେଲେ, ତୁମ୍ଭେ କଇସରଙ୍କ ଛାମୁରେ ବିଚାରିତ ହେବ ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ |।

13 କେତେକ ଦିନ ଗତହେଲା ପରେ ରାଜା ଆଗୃପ୍ପା ଓ ବର୍ନୀକୀ କାଇସରିଆକୁ ଆସି ଫେଷ୍ଟସଙ୍କୁ ସାକ୍ଷାତ କଲେ |।

14 ସେମାନେ ଅନେକ ଦିନ ସେ ସ୍ଥାନରେ ରୁହନ୍ତେ, ରାଜାଙ୍କ ଆଗରେ ଫେଷ୍ଟସ୍ ପାଉଲଙ୍କ କଥା ଜଣାଇ କହିଲେ, ଫେଲୀକ୍ସ୍ ଜଣେ ଲୋକଙ୍କୁ ବନ୍ଦୀ କରି ରଖିଜାଇଅଛନ୍ତି |।

15 ମୁଁ ଯିରୁସାଲମରେ ଥିବା ସମୟରେ ଯିହୁଦୀମାନଙ୍କର ପ୍ରଧାନ ଯାଜକବର୍ଗ ଓ ପ୍ରାଚିନମାନେ ତାହା ବିଷୟରେ ମୋ, ନିକଟରେ ଆବେଦନ କରି ତାହା ବିରୁଦ୍ଧରେ ଦଣ୍ଡାଜ୍ଞା ପ୍ରାର୍ଥନା କଲେ |।

16 ମୁଁ ସେମାନଙ୍କୁ ଉତ୍ତର ଦେଲି, ଅଭିଯୁକ୍ତକାରୀ ଓ ଅଭିଯୁକ୍ତ ମୁଖାମୁଖୀ ନ ହେବା ପର୍ଯ୍ୟନ୍ତ ପୁଣି ଅଭିଯୁକ୍ତ ତାହା ବିରୁଦ୍ଧରେ କରାଯାଇଥିବା ଅଭିଯୋଗ ସମ୍ବନ୍ଧରେ ଆତ୍ମପକ୍ଷ ସମର୍ଥନ କରିବାର ସୁଯୋଗ ନ ପାଇବା ପର୍ଯ୍ୟନ୍ତ ତାହାକୁ ସମର୍ପଣ କରିବା ରୋମିୟ ମାନଙ୍କର ବିଧି ନୁହେ |।

17 ଏଣୁ ସେମାନେ ମୋ ସାଙ୍ଗରେ ଏ ସ୍ଥାନକୁ ଆସନ୍ତେ ମୁଁ ବିଳମ୍ବ ନ କରି ପରଦିନ ବିଚାରାସନରେ ବସି ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି |।

18 ଅଭିଯୋଗକାରୀମାନେ ଠିଆ ହୋଇ, ମୁଁ ଯେପ୍ରକାର ଦୋଷର କଥା ଅପେକ୍ଷା କରୁଥିଲି, ସେପରି କୌଣସି ଅଭିଯୋଗ ତାହା ସମ୍ବନ୍ଧରେ ଆଣିଲେ ନାହିଁ,

19 କିନ୍ତୁ ସେମାନଙ୍କ ସ୍ବଧର୍ମ ପୁଣି ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି, ଯାହାକୁ ପାଉଲ ସଜୀବ ବୋଲି କହୁଥିଲା, ସେହି ସବୁ ବିଷୟରେ ତାହା ବିରୁଦ୍ଧରେ ସେମାନଙ୍କର କେତେକ ବିବାଦ ଥିଲା |।

20 ଏହି ସମସ୍ତ ବିଷୟ କି ପ୍ରକାରେ ଅନୁସନ୍ଧାନ କରିବି ବୋଲି ମୁଁ ହତବୁଦ୍ଧି ହୋଇ, ସେ ଯିରୁଶାଲକୁ ଯାଇ ସେଠାରେ ଏ ସମସ୍ତ ବିଷୟରେ ବିଚାରିତ ହେବା ପାଇଁ ଇଚ୍ଛା କରେ କି ନାହିଁ, ଏହା ପଚାରିଲି |।

21 କିନ୍ତୁ ପାଉଲ ସମ୍ରାଟଙ୍କ ବିଚାର ନିମନ୍ତେ ରଖା ହେବା ପାଇଁ ପ୍ରାର୍ଥନା କରନ୍ତେ, ମୁଁ ତାଙ୍କୁ କାଇସରଙ୍କ ନିକଟକୁ ନ ପଠାଇବା ପର୍ଯ୍ୟନ୍ତ ବନ୍ଦୀ କରି ରଖିବାକୁ ଆଦେଶ ଦେଲି |।

22 ସେଥିରେ ଆଗ୍ରିପ୍ପା ଫେସ୍ଟସଙ୍କୁ କହିଲେ ଆମ୍ଭେ ମଧ୍ୟ ସ୍ବୟଂ ସେହି ଲୋକର କଥା ସୁନିବାକୁ ଇଛା କରୁଅଛୁ | ସେ କହିଲେ, କାଲି ଆପଣ ତ'ର କଥା ଶୁଣିବେ |।

23 ଅତଏବ, ପରଦିନ ଆଗ୍ରିପ୍ପା ଓ ବର୍ନୀକୀ ମହା ସମାରୋହରେ ଆସି ପ୍ରଧାନ ପ୍ରଧାନ ସେନାପତି ଓ ନଗରର ମୁଖ୍ୟ ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଚାରା ଳୟରେ ପ୍ରବେଶ ହୁଅନ୍ତେ ଫେଷ୍ଟସ୍ ଆଦେଶ ଅନୁସାରେ ପାଉଲ ଅଣାଗଲେ |।

24 ସେଥିରେ ଫେଷ୍ଟସ୍ କହିଲେ, ହେ ରାଜନ ଆଗ୍ରିପ୍ପା ଓ ଆମ୍ଭମାନଙ୍କ ସହିତ ଏହି ସ୍ଥାନରେ ଉପସ୍ଥିତ ମହାଶୟ ବୃନ୍ଦ, ଆପଣମାନେ ଏହି ଲୋକକୁ ଦେଖି ଅଛନ୍ତି; ଏହା ବିରୁଦ୍ଧରେ ଓ ଯିରୁସାଲାମରେ ଏହି ସ୍ଥାନରେ ମଧ୍ୟ ଯିହୁଦୀ ଲୋକସମୁହ ଆମ୍ଭ ନିକଟରେ ଆବେଦନ କରି ତାହାର ଆଉ ବଞ୍ଚି ରହିବାର ଉଚିତ୍ ନୁହେ ବୋଲି ଚିତ୍କାର କଲେ |।

25 କିନ୍ତୁ ସେ ମୃତ୍ୟୁ ଯୋଗ୍ୟ କୌଣସି କର୍ମ କରି ନାହି ବୋଲି ମୁଁ ବୁଝିଲି, ଆଉ ସେ ନିଜେ ସମ୍ରାତଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାରୁ ମୁଁ ତାଙ୍କୁ ପଠାଇବା ନିମନ୍ତେ ସ୍ଥିର କଲି |।

26 ମୋର ପ୍ରଭୁଙ୍କ ଛାମୁକୁ ତା'ର ବିଷୟରେ ଲେଖିବା ନିମନ୍ତେ ମୋର କୌଣସି ନିଶ୍ଚିତ ବିଷୟ ନାହି | ଏଣୁ ବିଚାର କରି ଯେପରି ମୁଁ ଲେଖିବା ନିମନ୍ତେ କିଛି ପାଇ ପାରେ, ସେଥିପାଇଁ ତାଙ୍କୁ ଆପଣମାନଙ୍କ, ବିଶେଷତ ହେ ରାଜନ୍ ଆଗ୍ରିପ୍ପା ଆପଣଙ୍କ ସମ୍ମୁଖକୁ ଆଣିଅଛି;

27 କାରଣ ବନ୍ଦିକୀ ପଠାଇବା ସମୟରେ ତା' ବିରୁଦ୍ଧରେ ଅଭିଯୋଗ ଗୁଡିକ ନିର୍ଦେଶ ନ କରିବା ମୋତେ ଅସଙ୍ଗତ ବୋଧ ହେଉଅଛି |।