1 ଅତଏବ ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ୱରଙ୍କ ଅନୁକାରି ହୁଅ;
2 ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ପ୍ରେମ କଲେ ପୁଣି ଆମ୍ବମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ଵରୁପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର।
3 କିନ୍ତୁ ବ୍ୟଭିଚାର, ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ, ଏହିସବୁ ନାମରେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ; ତାହା ସାଧୁ ମାନଙ୍କ ପକ୍ଷରେ ଅନୁଚିତ;
4 ପୁଣି ଯାହା ଯାହା ଅନୁପଯୁକ୍ତ, ଏପରି କୁତ୍ସିତ ବ୍ୟବହାର ବା ଅସାର କଥା ବା ହାସ୍ୟପରିହାସ ତୁମ୍ଭମାନଙ୍କ ମଧ୍ୟରେ ନ ହେଉ, ବରଂ ଧନ୍ୟବାଦ ଦିଆଯାଉ।
5 କାରଣ ତୁମ୍ଭେମାନେ ନିଶ୍ଚୟ ରୁପେ ଜାଣ ଯେ, କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ ସେ ତ ଦେବପୁଜକ -ଏମାନଙ୍କର ଖ୍ରୀଷ୍ଟ ଓ ଈଶ୍ୱରଙ୍କର ରାଜ୍ୟରେ ଅଧିକାର ନାହି।
6 କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ କୃଦ୍ଧ ବର୍ତ୍ତେ।
7 ଅତଏବ ତୁମ୍ଭେମାନେ ସେମାନଙ୍କର ସହଭାଗୀ ହୁଅନାହି;
8 କାରଣ ତୁମ୍ଭେମାନେ ପୁର୍ବେ ଅନ୍ଧକାର ସ୍ଵରୁପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ଵରୁପ ହୋଇଅଛ; ଆଲୋକର ସନ୍ତାନମାନ ପରି ଆଚରଣ କର,
9 (କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତ ଓ ସତ୍ୟ ଆଲୋକର ଫଳ ସ୍ଵରୁପ),
10 ପ୍ରଭୁଙ୍କର କଣ ସନ୍ତୋଷ ଜନକ, ତାହା ଅନୁସନ୍ଧାନ କର;
11 ଅନ୍ଧକାରର ନିଷ୍ଫଳ କର୍ମ ସବୁର ସହଭାଗୀ ହୁଅ ନାହି,ବରଂ ସେସବୁର ଦୋଷହି ଦେଖାଇଦିଅ;
12 କାରଣ ସେମାନେ ଯାହା ସବୁ ଗୁପ୍ତରେ କରନ୍ତି, ସେହି ସବୁ କଥା କହିବା ସୁଦ୍ଧା ଲଜ୍ଜା ଜନକ,
13 କିନ୍ତୁ ସମସ୍ତ ବିଷୟର ଦୋଷ ଆଲୋକ ଦ୍ବାରା ଦେଖାଇ ଦିଆଯାଏ, ସେହି ସବୁ ପ୍ରକାଶିତ ହୁଏ, ତାହା ଆଲୋକ।
14 ଏଣୁ ଉକ୍ତ ଅଛି, ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ଉଠ, ପୁଣି ଖ୍ରୀଷ୍ଟ ତୁମ୍ଭକୁ ଆଲୋକ ପ୍ରଦାନ କରିବେ।
15 ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ,
16 ପୁଣି ସୁଯୋଗର ସଦ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ।
17 ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର କଣ ଇଛା ତାହା ବୁଝ।
18 ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଗୀତ, ସ୍ତୋତ୍ର, ଓ ଆଧ୍ୟାତ୍ମିକ ସଂକିର୍ତ୍ତନ ଦ୍ବାରା ପରସ୍ପରକୁ ଉତ୍ସାହ ଦିଅ,
19 ପୁଣି ତୁମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସଂକିର୍ତ୍ତନ ଓ ଗୀତ ଗାନ କର;
20 ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ,
21 ଆଉ ଖ୍ରୀଷ୍ଟଙ୍କୁଭୟ କରି ପରସ୍ପର ବଶିଭୁତ ହୁଅ।
22 ହେ ସ୍ତ୍ରୀମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶିଭୁତା ହୁଅ, ସେହି ପରି ଆପଣା ଆପଣା ସ୍ବାମୀର ବଶିଭୁତା ହୁଅ,
23 କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ଵରୁପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ଵରୁପ, ପୁଣି ଖ୍ରୀଷ୍ଟ ଆପଣା ଶରୀର ରୁପ ମଣ୍ଡଳୀର ତ୍ରାଣକର୍ତ୍ତା।
24 ହ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶିଭୁତ, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବଶିଭୁତା ହେଉନ୍ତୁ।
25 ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀ କି ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର; ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ,
26 ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି,
27 ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନିୟ ହୁଏ, ଆଉ ସେହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି।
28 ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ;
29 କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହି, ମାତ୍ର ତାହା ଭରଣପୋଷଣ ଓ ଲାଳନପାଳନ କରେ;
30 ଯେଣୁ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।
31 ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀ ଠାରେ ଆସକ୍ତ ହେବ, ଆଉ ସେ ଦୁହେ ଏକାଙ୍ଗ ହେବେ।
32 ଏହା ଗୋଟିଏ ଅତି ନିଗୁଢ଼ ତତ୍ତ୍ବ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି।
33 ଯାହା ହେଉ,ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମକର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକୁ ଭକ୍ତି କରୁ।