1 ହେ ପିଲାମାନେ ପ୍ରଭୁଙ୍କ ସକାଶେ, ଆପଣା ଆପଣା ପିତା ମାତାଙ୍କର ଆଜ୍ଞା ବହ ହୁଅ:; କାରଣ ତାହା ଯଥାର୍ଥ।

2 ଆପଣା ପିତା ମାତାଙ୍କୁ ସମାଦର କର(ଏହା ପ୍ରତିଜ୍ଞା ଯୁକ୍ତ ଗୋଟିଏ ପ୍ରଧାନ ଅଜ୍ଞା)।

3 ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦିର୍ଘାୟୁ ହେବ।

4 ପୁଣି ହେ ପିତାମାନେ, ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପଳନ କର।

5 ହେ ଦାସମାନେ, ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ, ସେହି ପରି ଭୟ ଓ କମ୍ପ ସହ ହୃଦୟର ସରଳତାରେ ତୁମ୍ଭମାନଙ୍କ ଜାଗତିକ କର୍ତ୍ତାମାନଙ୍କର ଆଜ୍ଞାବହ ହୁଅ;

6 ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ୱରଙ୍କ ଇଛା ସାଧନ କର।

7 ସ୍ୱାଧିନ କି ପରାଧିନ, ଯେ କେହି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କ ଠାରୁ ସେଥିର ପୁରସ୍କାର ପାଇବା,

8 ଏହା ଜାଣି ମନୁଷ୍ୟର ସେବା କଲା ପରି ନୁହେ, ମାତ୍ର ପ୍ରଭୁଙ୍କ ସେବା କଲା ପରି ସ୍ୱଛନ୍ଦରେ ସେବା କର।

9 ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ; ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି; ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ।

10 ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ।

11 ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇ ପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର।

12 କାରଣ ଆମ୍ଭମାନଙ୍କ ଯୁଦ୍ଧମର୍ତ୍ତ୍ୟ ବିରୁଦ୍ଧରେ ନୁହେ, କିନ୍ତୁ ଆଧିପତ୍ୟା ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ ପୁଣି ଆକାଶ ମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ;

13 ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଲ ରହି ପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର।

14 ଅତଏବ ସତ୍ୟରୁପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୁପ ଉରସ୍ତ୍ରାଣ ପରିଧାନ କର,

15 ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ;

16 ଯେପରି ପାପାତମର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସ ରୁପ ଢ଼ାଲ ଧାର।

17 ପୁଣି ପରିତ୍ରାଣ ରୁପ ଶିରସ୍ତ୍ରାଣ ପରିଧାବ କର ଓ ଆତ୍ମାଙ୍କ ଖଡଗ, ଅର୍ଥାତ ଈଶ୍ୱରଙ୍କ ବାକ୍ୟ ଧାରଣ କର;

18 ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର।

19 ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ରାଜଦୁତ ସ୍ବରୁପେ ଯେ ମୁଁ, ମୋତେ ସେହି ସୁସମାଚାରର ନିଗୁଢ଼ତତ୍ୱ ସାହସ ପୁର୍ବକ ଜଣାଇବାକୁ ବାକ୍ୟ ଦିଆଯିବ,

20 ପୁଣି ମୁଁ ଯେପରି ତତସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି।

21 ମୋହର ବିଷୟ, ଅର୍ଥାତ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥି ନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖିକ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ;

22 ଏହି ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଆଶ୍ୱାସ ପ୍ରାପ୍ତ ହୁଏ।

23 ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଭାଇମାନଙ୍କ ଠାରୁ ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତୁ।

24 ଯେତେ ଲୋକ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି, ଅନୁଗ୍ରହ ସେମାନଙ୍କ ସହବର୍ତ୍ତି ହେଉ।