1 ଯୀଶୁ ପବିତ୍ର ଆତ୍ମାରେ ପୁର୍ଣ୍ଣ ହୋଇ ଜର୍ଦ୍ଦନରୁ ବାହୁଡ଼ିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ କର୍ତୃକ ପରୀକ୍ଷିତ ହେଉଥିଲେ।

2 ସେହି ସମସ୍ତ ଦିନ ସେ କିଛି ଭୋଜନ ଭୋଜନ କଲେ ନାହିଁ, ଆଉ ସେହି ସବୁ ଦିନ ଶେଷ ହୁଅନ୍ତେ ସେ କ୍ଷୁଧିତ ହେଲେ।

3 ସେଥିରେ ଶୟତାନ ତାହାଙ୍କୁ କହିଲେ, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରକୁ ରୋଟୀହେବାପାଇଁ ଆଜ୍ଞା ଦିଅ।

4 ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟୀରେ ବଞ୍ଚିବନାହିଁ।

5 ଆଉ ସେ ତାହାଙ୍କୁ ଉପରକୁ ଘେନିଯାଇ ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା।

6 ପୁଣି ଶୟତାନ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଏ ସମସ୍ତ ଅଧିକାର ଓ ଏସବୁର ଏୗଶ୍ୱର୍ଯ୍ୟ ଦେବା କାରଣ ଆମ୍ଭକୁ ତାହା ଆମ୍ଭକୁ ତାହା ସମର୍ପିତ ହୋଇଅଛି, ଆଉ ଆମ୍ଭେ ଯାହାକୁ ଇଛା, ତାହାକୁ ତାହା ଦେଉଁ।

7 ଅତଏବ ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବା, ତେବେ ସମସ୍ତ ତୁମ୍ଭର ହେବ।

8 ଯୀଶୁ ତାହାକୁ ଉତ୍ତର ଦେଲେ, ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରଣାମ କରିବା, ଆଉ କେବଳ ତାହାଙ୍କର ଉପାସନା କରିବା।

9 ପୁଣି ସେ ତାହାଙ୍କୁ ଯିରୁଶାଲମକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲେ, ତୁମ୍ଭେ ଯଦି ଈଶ୍ୱରଙ୍କ ପୁତ୍ର, ତାହାହେଲେ ଏଠାରୁ ତଳକୁ ଡେଇଁପଡ଼;

10 କାରଣ ଲେଖା ଅଛି, ତୁମ୍ଭକୁ ରକ୍ଷା କରିବା ନିମନ୍ତେ ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ;

11 ଆଉ ଲେଖା ଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।

12 ପୁଣି ଯୀଶୁ ତାହାକୁ ଉତ୍ତର ଦେଲେ, ଉକ୍ତ ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।

13 ଶୟତାନ ସମସ୍ତ ପ୍ରକାର ପରୀକ୍ଷା ସମାପ୍ତ କଲେ ଉତ୍ତାରେ କିଛି କାଳ ପର୍ଯ୍ୟନ୍ତ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲା।

14 ଏଥିଉତ୍ତାରେ ଯୀଶୁ ଆତ୍ମାଙ୍କ ଶକ୍ତିରେ ଗାଲୀଲୀକି ବାହୁଡ଼ିଗଲେ, ଆଉ ଚତୁର୍ଦିଗସ୍ଥ ସମସ୍ତ ଅଞ୍ଚଳରେ ତାହାଙ୍କର ଖ୍ୟାତି ବ୍ୟାପିଗଲା।

15 ପୁଣି ସେ ସେମାନଙ୍କର ସମାଜଗୃହସମୂହରେ ଶିକ୍ଷା ଦେଇ ସମସ୍ତଙ୍କ ଠାରୁ ଗୌରବ ପାଇବାକୁ ଲାଗିଲେ।

16 ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣ ରୀତି ଅନୁସାରେ ବିଶ୍ରାମବାରରେ ସମାଜ ଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ।

17 ସେଥିରେ ଯିଶାୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,

18 ପ୍ରଭୁଙ୍କର ଆତ୍ମା ମୋଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି ଉପଦ୍ରବପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବାକୁ,

19 ଆଉ ପ୍ରଭୁଙ୍କୁ ଅନୁଗ୍ରହବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି।

20 ପରେ ସେ ପୁସ୍ତକ ବନ୍ଦ କରି ପରିଚାରକକୁ ତାହା ଫେରାଇଦେଇ ଉପବେଶନ କଲେ, ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା।

21 ପୁଣି ସେ ସେମାନଙ୍କୁ କହିବାକୁ ଲାଗିଲେ, ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ କର୍ଣ୍ଣ ଗୋଚାରରେ ସଫଳ ହେଲା।

22 ଆଉ ସମସ୍ତେ ତାହାଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି ସେମାନେ କହିବାକୁ ଲାଗିଲେ, ଏ କଣ ଯୋସେଫର ପୁତ୍ର ନୁହେଁ।

23 ସେଥିରେ, ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବା, ହେ ବୈଦ୍ୟ, ଆପେ ଆପଣାକୁ ସୁସ୍ଥ କର; କର୍ଫନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହିସବୁ ଏହି ସ୍ଥାନରେ ନିଜ ପୈତୃକ ନଗରରେ ମଧ୍ୟ କର।

24 ପୁଣି ସେ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପୈତୃକ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ।

25 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲିୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ରୁଦ୍ଧ ହେବାରୁ ସମସ୍ତ ଦେଶରେ ମହା ଦୁର୍ଭିକ୍ଷ ପଡ଼ିଲା, ସେତେବେଳେ ଇସ୍ରାୟେଲ ମଧ୍ୟରେ ଅନେକ ବିଧବା ଥିଲେ;

26 ତଥାପି ଏଲିୟ ସେମାନଙ୍କର କାହାରି ନିକଟକୁ ପ୍ରେରିତ ନ ହୋଇ କେବଳ ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀ ନିକଟକୁ ପ୍ରେରିତ ହେଲେ।

27 ପୁଣି ଭାବବାଦୀ ଏଲୀଶାୟଙ୍କ ସମୟରେ ଇସ୍ରାୟେଲ ମଧ୍ୟରେ ଅନେକ କୁଷ୍ଠୀ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସୁରିଆଦେଶୀୟ ନାମାନ ଶୁଚି କରାଯାଇଥିଲେ।

28 ସମାଜ ଗୃହରେ ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୁର୍ଣ୍ଣ ହେଲେ,

29 ପୁଣି ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେଥିର ତୀଖସ୍ଥାନରୁ ତଳକୁ ପକାଇଦେବା ନିମନ୍ତେ ତାହାକୁ ସେଠାକୁ ଘେନିଗଲେ;

30 କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ।

31 ସେ କଫର୍ନାହୂମ ନାମକ ଗାଲୀଲୀର ଗୋଟିଏ ନଗରକୁ ଆସିଲେ ପୁଣି ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ।

32 ଆଉ ସେମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ କାରଣ ତାହାଙ୍କ ବାକ୍ୟ ଅଧିକାରଯୁକ୍ତ ଥିଲା।

33 . ଦିନେ ସମାଜଗୃହରେ ଜଣେ ଅଶୂଚୀ ଭୂତାତ୍ମାବିଷ୍ଟଲୋକ ଥିଲା; ସେ ଉଚ୍ଛ ସ୍ୱରରେ ଚିତ୍କାର କଲା,

34 ଆଃ, ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ ତୁମ୍ଭେ କିଏ ତାହା ମୁଁ ଜାଣେ; ତୁମ୍ଭେ ଈଶ୍ୱରଙ୍କର ସେହି ପବିତ୍ର ବ୍ୟକ୍ତି।

35 ଯୀଶୁ ତାହାକୁ ଧମକ ଦେଇ କହିଲେ ଚୁପ୍ କର୍, ଏହାଠାରୁ ବାହାରିଯା। ସେଥିରେ ସେହି ଭୂତ ତାହାକୁ ମଧ୍ୟସ୍ଥାନରେ ପକାଇଦେଇ ତାହାର କୌଣସି କ୍ଷତି ନ କରି ତାହାଠାରୁ ବାହାରି ଗଲା।

36 ଏଥିରେ ସମସ୍ତେ ବିସ୍ମୟାନ୍ୱିତ ହୋଇ ପରସ୍ପରକୁ କୁହାକହି ହେଲେ, ଏ କି କଥା ସେ ଅସୁଚୀ ଆତ୍ମାମାନଙ୍କୁ ଅଧିକାର ଓ ଶକ୍ତି ସହିତ ଆଦେଶ ଦିଅନ୍ତି, ଆଉ ସେମାନେ ବାହାରିଯାଆନ୍ତି।

37 ସେଥିରେ ତାହାଙ୍କ ସମ୍ବନ୍ଧିୟ ସମାଚାର ଚତୁର୍ଦ୍ଦିଗସ୍ଥ ଅଞ୍ଚଳର ସର୍ବତ୍ର ବ୍ୟାପିଗଲା।

38 ପରେ ସେ ସମାଜଗୃହକୁ ଉଠି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା, ଆଉ ସେମାନେ ତାହାଙ୍କ ବିଷୟରେ ତାହାଙ୍କୁ ଅନୁରୋଧ କଲେ।

39 ସେଥିରେ ସେ ତାହାଙ୍କ ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି ସେ ସେହିକ୍ଷଣି ଉଠି ସେମାନଙ୍କ ପରିଚର୍ଯ୍ୟା କରିବାକୁ ଲାଗିଲେ।

40 ସୂର୍ଯ୍ୟ ଅସ୍ତ ହେବା ସମୟରେ, ଯେଉଁମାନଙ୍କ ନିକଟରେ ନାନା ପ୍ରକାର ରୋଗରେ ପିଡ଼ିତ ଲୋକମାନେ ଥିଲେ, ସେସମସ୍ତେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ ଏବଂ ସେ ପ୍ରତ୍ୟେକ ଜଣ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କଲେ।

41 ପୁଣି ଭୂତମାନେ ଚିତ୍କାର କରୁ କରୁ ତୁମ୍ଭେ ଈଶ୍ୱରଙ୍କ ପୁତ୍ର ବୋଲି କହି ଅନେକଙ୍କଠାରୁ ବାହାରିଗଲେ। ଆଉ ସେ ସେମାନକୁ ଧମକ ଦେଇ କଥା କହିବାକୁ ଦେଲେ ନାହିଁ, କାରଣ ସେ ଯେ ଖ୍ରୀଷ୍ଟ, ଏହା ସେମାନେ ଜାଣିଥିଲେ।

42 ପ୍ରଭାତ ହୁଅନ୍ତେ ସେ ବାହାରି ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଗଲେ; ଆଉ ଲୋକସମୁହ ତାହାଙ୍କର ଅନ୍ୱେଷଣ କରି କରି ତାହାଙ୍କ ନିକଟକୁ ଆସିଲେ, ପୁଣି ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ।

43 କିନ୍ତୁ ସେ ସେମାନଙ୍କୁ କହିଲେ, ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି।

44 ପୁଣି ସେ ଯିହୁଦା ଦେଶର ସମାଜଗୃହମାନଙ୍କରେ ପ୍ରଚାର କରିବାକୁ ଲାଗିଲେ।