1 ଦିନେ ଯେତେବେଳେ ଲୋକସମୁହ ତାହାଙ୍କ ଉପରେ ମାଡ଼ିପଡ଼ି ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନେସରତ ହ୍ରଦ କୁଳରେ ଠିଆ ହୋଇଥିଲେ;

2 ଆଉ ସେ ହ୍ରଦ କୂଳରେ ଦୁଇଟି ନୌକା ଥିବାର ଦେଖିଲେ; ମାଛୁଆମାନେ ସେଥିରୁ ଓହ୍ଲାଇ ଜାଲ ଧୋଉଥିଲେ।

3 ସେହି ନୌକାଗୁଡ଼ିକ ମଧ୍ୟରୁ ଯେଉଁଟି ଶିମୋନଙ୍କର ଥିଲା, ସେଥିରେ ସେ ଚଢ଼ି ସ୍ଥଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ; ଆଉ ସେ ବସି ନୌକାରୁ ଲୋକସମୁହକୁ ଶିକ୍ଷା ଦେବାକୁ ଲାଗିଲେ।

4 ସେ କଥା ଶେଷ କରି ଶିମୋନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ।

5 ଏଥିରେ ଶିନୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରି ନାହୁଁ; କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି।

6 ଆଉ, ସେମାନେ ତାହା ପକାଇ ବହୁତ ମାଛ ଧରିଲେ, ପୁଣି ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା।

7 ସେଥିରେ ସେମାନଙ୍କର ଯେଉଁ ଅଂଶିଦାରମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ। ଏଥିରେ ସେମାନେ ଆସି ଦୁଇଟି ଡ଼ଙ୍ଗାକୁ ଏପରି ପୁର୍ଣ୍ଣ କଲେ ଯେ, ସେଗୁଡ଼ିକ ବୁଡ଼ିବାକୁ ଲାଗିଲା।

8 କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହୁଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ।

9 କାରଣ ସେମାନେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ଓ ତାହାଙ୍କ ସଙ୍ଗୀସମସ୍ତେ ବିସ୍ମୟାନ୍ୱିତ ହେଲେ;

10 . ପୁଣି, ଜେବଦିଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ, ଯେଉଁମାନେ ଶିମୋନଙ୍କର ସହଭାଗୀ ଥିଲେ, ସେମାନେ ମଧ୍ୟ ସେହିପ୍ରକାର ବିସ୍ମୟାନ୍ୱିତ ହେଲେ। ପୁଣି, ଯୀଶୁ ଶିମୋନଙ୍କୁ କହିଲେ, ଭୟ କର ନାହିଁ, ଆଜିଠାରୁ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବା।

11 ସେଥିରେ ସେମାନେ ନୌକାଗୁଡ଼ିକ କୁଳକୁ ଆଣି ସମସ୍ତ ପରିତ୍ୟାଗ କରି ତାହାଙ୍କର ଅନୁଗମନ କଲେ।

12 ସେ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀ ଲୋକ ସେ ସ୍ଥାନରେ ଥିଲେ; ସେ ଯୀଶୁଙ୍କୁ ଦେଖି ମୁହଁ ମାଡି ପଡି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି।

13 ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ମୁଁ ଇଛା କରୁଅଛି, ଶୁଚି ହୁଅ। ସେହି କ୍ଷଣି କୁଷ୍ଠ ରୋଗ ତାହାଠାରୁ ଦୂର ହେଲା।

14 ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି ମୋଶାଙ୍କ ଆଦେଶ ଅନୁସାରେ ଆପଣାର ଶୌଚକ୍ରିୟାସ୍ବରୂପେ ସେମାନଙ୍କ ନିକଟରେ ସାକ୍ଷ ଦେବା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କର।

15 କିନ୍ତୁ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁ ସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ;

16 ମାତ୍ର ସେ ନିର୍ଜ୍ଜନ ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ।

17 ଦିନେ ସେ ଶିକ୍ଷା ଦେଉଥିଲେ, ଆଉ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି ଯିହୁଦା ପ୍ରଦେଶ ଓ ଯିରୂଶାଲମରୁ ଆସିଥିବା ଫାରୂଶୀ ଓ ବ୍ୟବସ୍ଥାଅଧ୍ୟାପକମାନେ ନିକଟରେ ବସିଥିଲେ। ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା।

18 ପୁଣି ଦେଖ, କେତେକ ଲୋକ ଜଣେ ପକ୍ଷାଘାତରୋଗୀ ମନୁଷ୍ୟକୁ ଖଟିଆରେ ବହିଆଣି ତାହାକୁ ଭିତରକୁ ଘେନିଯିବା ନିମନ୍ତେ ଓ ତାହାଙ୍କ ସମ୍ମୁଖରେ ଥୋଇବା ନିମନ୍ତେ ଚେଷ୍ଟା କରୁଥିଲେ।

19 କିନ୍ତୁ ଭିଡ଼ ହେତୁ ତାହାକୁ ଭିତରକୁ ଘେନିଯିବା ପାଇଁ ବାଟ ନ ପାଇବାରୁ ସେମାନେ ଘର ଉପରକୁ ଯାଇ ଛାତ ଭିତର ଦେଇ ଖଟିଆ ସହିତ ତାହାକୁ ମଧ୍ୟ ସ୍ଥାନରେ ଯୀଶୁଙ୍କ ସମ୍ମୁଖରେ ଓହ୍ଲାଇ ଦେଲେ।

20 ସେ ସେମାନଙ୍କର ବିଶ୍ବାସ ଦେଖି କହିଲେ, ହେ ମନୁଷ୍ୟ, ତୁମ୍ଭର ପାପସବୁ କ୍ଷମା କରାଯାଇଅଛି।

21 ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କରିବାକୁ ଲାଗିଲେ, ଏ ଯେ ଈଶ୍ବରନିନ୍ଦା କରୁଅଛି, ଏ କିଏ କେବଳ ଇଶ୍ବରଙ୍କ ବିନା ଆଉ କିଏ ପାପକ୍ଷମା କରି ପାରେ।

22 କିନ୍ତୁ ଯୀଶୁ ତାହାଙ୍କ ତର୍କବିତର୍କ ଜ୍ଞାତ ହୋଇ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଆପଣା ଆପଣା ମନରେ କଅଣ ତର୍କବିତର୍କ କରୁଅଛ।

23 କଅଣ ସହଜ ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, ବା, ଉଠ, ଚାଲ ବୋଲି କହିବା।

24 ସେଥିରେ ସେ ତତ୍ କ୍ଷଣିତ ସେମାନଙ୍କ ସାକ୍ଷାତରେ ଉଠି, ଯାହା ଉପରେ ସେ ଶୋଇଥିଲେ, ତାହା ଘେନି ଈଶ୍ବରଙ୍କ ମହିମା କୀର୍ତ୍ତନ କରୁଁ କରୁଁ ନିଜ ଗୃହକୁ ଚାଲିଗଲେ।

25 ସେଥିରେ ସେ ତତ୍ କ୍ଷଣିତ ସେମାନଙ୍କ ସାକ୍ଷାତରେ ଉଠି, ଯାହା ଉପରେ ସେ ଶୋଇଥିଲେ, ତାହା ଘେନି ଈଶ୍ବରଙ୍କ ମହିମା କୀର୍ତ୍ତନ କରୁଁ କରୁଁ ନିଜ ଗୃହକୁ ଚାଲିଗଲେ।

26 ତହିଁରେ ସମସ୍ତେ ଆଚମ୍ବିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ ଓ ଅତ୍ୟନ୍ତ ଭିତ ହୋଇ କହିଲେ, ଆଜି ଆମ୍ଭେମାନେ ଅଦ୍ଭୁତ ଘଟଣା ଦେଖିଲୁ।

27 ଏଥିଉତ୍ତାରେ ସେ ବାହାରିଯାଇ ଲେବୀ ନାମକ ଜଣେ କରଗ୍ରାହୀଙ୍କି କରଆଦାୟସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, ମୋହର ଅନୁଗମନ କର।

28 . ସେଥିରେ ସେ ସମସ୍ତ ପରିତ୍ୟାଗ କରି ଉଠି ତାହାଙ୍କର ଅନୁଗମନ କରିବାକୁ ଲାଗିଲେ।

29 ପୁଣି ଲେବୀ ନିଜ ଘରେ ତାହାଙ୍କ ନିମନ୍ତେ ଗୋଟିଏ ବଡ଼ ଭୋଜି କଲେ, ଆଉ ବହୁସଂଖ୍ୟକ କରଗ୍ରାହୀ ଓ ଅନ୍ୟାନ୍ୟ ଲୋକ ସେମାନଙ୍କ ସାଙ୍ଗରେ ଭୋଜନ କରିବାକୁ ବସିଲେ।

30 ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ତୁମ୍ଭେମାନେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରୁଅଚ୍ଛ।

31 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି।

32 ମୁଁ ଧାର୍ମିକ ଲୋକମାନଙ୍କୁ ଆହ୍ୱାନ ନିମନ୍ତେ ଆସିନାହିଁ, କିନ୍ତୁ ମନ ପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିଅଛି।

33 ସେମାନେ ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଥରକୁଥର ଉପବାସ ଓ ପ୍ରାର୍ଥନା କରନ୍ତି, ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଭୋଜନପାନ କରନ୍ତି।

34 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ତୁମ୍ଭେମାନେ କି ସେମାନଙ୍କୁ ଉପବାସ କରାଇ ପାର।

35 କିନ୍ତୁ ସମୟ ଆସିବ; ଆଉ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ିନିଆଯିବ, ସେତେବେଳେ ସେହି ସମୟରେ ସେମାନେ ଉପବାସ କରିବେ।

36 ପୁଣି ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ ମଧ୍ୟ କହିଲେ, କେହି ନୁଆ ଲୁଗାରୁ ତାଲି ଛିଣ୍ଡାଇ ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ସେ ନୁଆ ଖଣ୍ଡିକ ଚିରିଦେବ, ପୁଣି ନୁଆ ଲୁଗାର ତାଳିଟି ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ।

37 ଆଉ କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ଫାରେ ରଖେ ନାହି; ରଖିଲେ ନୂଆ ଦ୍ରାକ୍ଷାରସ କୁମ୍ଫାକୁ ଫଟାଇ ପଡ଼ିଯିବ, ଆଉ କୁମ୍ଫା ନଷ୍ଟ ହେବ।

38 . କିନ୍ତୁ ନୁଆ ଦ୍ରାକ୍ଷାରସ ନୁଆ କୁମ୍ଫାରେ ରଖିବା ଉଚିତ।

39 ଆଉ କେହି ପୁରୁଣା ଦ୍ରାକ୍ଷାରସ ପାନ କରି ନୂଆ ଦ୍ରାକ୍ଷାରସ ପାନ କରିବାକୁ ଇଛା କରେ ନାହିଁ, କାରଣ ସେ କହେ, ପୁରୁଣ ତ ଭଲ।