1 ସାର୍ଦ୍ଦୀ ମଣ୍ଡଳୀର ଦୂତ ନିକଟକୁ ଲେଖ- ଯେ ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ |।
2 ଜାଗ୍ରତ ହୁଅ, ପୁଣି ଲୁପ୍ତପ୍ରାୟ ଅବଶିଷ୍ଟ ବିଷୟ ସବୁକୁ ସବଳ କର;କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ୱରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ |।
3 ଏଣୁ କିପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛା, ତାହା ସ୍ମରଣ କରି ପାଳନ କର ଓ ମନଃପରିବର୍ତ୍ତନ କର; ଯଦି ଜାଗ୍ରତ ନ୍ ହୁଅ, ତାହା ହେଲେ ଆମ୍ଭେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡ଼ିବୁ, ତାହା ତୁମ୍ଭେ କୌଣସି ପ୍ରକାରେ ଜାଣିବ ନାହିଁ;
4 ତଥାପି ଯେଉଁମାନେ ଆପଣା ଆପଣା ବସ୍ତ୍ର ମଳିନ କରିନାହାନ୍ତି, ତୁମ୍ଭମାନଙ୍କ ମଧ୍ୟରେ ସାର୍ଦ୍ଦୀରେ ଏପରି କେତେକ ଅଛନ୍ତି; ସେମାନେ ଶୁକ୍ଳବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନା ଗମନ କରିବେ, କାରଣ ସେମାନେ ଯୋଗ୍ୟ |।
5 ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ |।
6 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ |।
7 ଫିଲାଦେଲଫିଆ ମଣ୍ଡଳୀର ଦୂତ ନିକଟକୁ ଲେଖ- ଯେ ପବିତ୍ର ଓ ସତ୍ୟ, ଯାହାଙ୍କ ହସ୍ତରେ ଦାଉଦଙ୍କର କଞ୍ଚି ଅଛି, କେହି ଫିଟାଇଲେ କେହି ବନ୍ଦ କରି ନ ପାରେ, ଆଉ ବନ୍ଦ କଲେ କେହି ଫିଟାଇ ନ ପାରେ,
8 ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କାର୍ଯ୍ୟ ଜାଣୁ; ଦେଖ, ଆମ୍ଭେ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଫିଟାଇଅଛୁ, କେହି ତାହା ବନ୍ଦ କରି ପାରେ ନାହିଁ, କାରଣ ତୁମ୍ଭର ଶକ୍ତି ସାମାନ୍ୟ, ତଥାପି ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରି ଆମ୍ଭର ନାମ ଅସ୍ୱୀକାର କରି ନାହଁ |।
9 ଦେଖ, ଯେଉଁମାନେ ଯିହୁଦୀ ନୁହନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ |।
10 ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ |।
11 ଆମ୍ଭେ ଶୀଘ୍ର ଆସୁଅଛୁ; ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥିନିମନ୍ତେ ତୁମ୍ଭର ଯାହା ଅଛି, ତାହା ଦୃଢ଼ରୂପେ ଧରି ରଖ |।
12 ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ୱରଙ୍କ ମନ୍ଦିରର ସ୍ତମ୍ଭସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆମ୍ଭର ଈଶ୍ୱରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ୱରଙ୍କ ସେହି ନଗରୀର ନାମ ପୁଣି ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ |।
13 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ |।
14 ଲାଅଦିକୀଆ ମଣ୍ଡଳୀର ଦୂତ ନିକଟକୁ ଲେଖ- ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହେ କହନ୍ତି,
15 ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣହିଁ ନୁହଁ; ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା |।
16 ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ଉଦ୍ ଗାର କରିବାକୁ ଯାଉଅଛୁ |।
17 ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ;
18 ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ |।
19 ଆମ୍ଭେ ଯେତେ ଲୋକଙ୍କୁ ଭଲ ପାଉ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦଯୋଗୀ ହୋଇ ମନଃପରିବର୍ତ୍ତନ କର |।
20 ଦେଖ, ଆମ୍ଭେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ; ଯଦି କେହି ଆମ୍ଭର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହା ହେଲେ ଆମ୍ଭେ ପ୍ରବେଶ କରି ତାହା ନିକଟକୁ ଯିବୁ, ପୁଣି ତାହା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ |।
21 ଆମ୍ଭେ ଯେପରି ଜୟ କରି ଆମ୍ଭର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛୁ, ସେପରି ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭ ସହିତ ଆମ୍ଭର ସିଂହାସନରେ ବସିବାକୁ ଦେବୁ |।
22 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ |।