1 ଏହା ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି ତୂରୀଶଦ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, ଏଠାକୁ ଉଠିଆସ; ଯାହାସବୁ ଏହା ପରେ ଅବଶ୍ୟ ଘଟିବ, ସେହିସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ |।

2 ସେହିକ୍ଷଣି ମୁଁ ଆତ୍ମାରେ ଆବିଷ୍ଟ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି ସିଂହାସନ ଉପରେ ଜଣେ ଉପବିଷ୍ଟ ଅଛନ୍ତି;

3 ଉପବିଷ୍ଟ ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମରକତ ମଣି ତୁଲ୍ୟ |।

4 ପୁଣି ସିଂହାସନର ଚତୁର୍ଦ୍ଦିଗରେ ଚବିଶଟି ସିଂହାସନ ସ୍ଥାପିତ ଓ ସିଂହାସନଗୁଡ଼ିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ |।

5 ସିଂହାସନ ମଧ୍ୟରୁ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ମେଘଗର୍ଜନ ନିର୍ଗତ ହେଉଅଛି, ଆଉ ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ଜଳୁଅଛି, ଏହି ସପ୍ତ ପ୍ରଦୀପ ଈଶ୍ୱରଙ୍କ ସପ୍ତ ଆତ୍ମା |।

6 ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଅଗ୍ର ଓ ପଶ୍ଚାତ ଚକ୍ଷୁରେ ପରିପୂର୍ଣ୍ଣ |।

7 ପ୍ରଥମ ପ୍ରାଣୀ ସିଂହ ସଦୃଶ, ଦ୍ୱିତୀୟ ପ୍ରାଣୀ ଗୋରୁ ସଦୃଶ, ତୃତୀୟ ପ୍ରାଣୀର ମୁଖ ମନୁଷ୍ୟମୁଖ ସଦୃଶ, ପୁଣି ଚତୁର୍ଥ ପ୍ରାଣୀ ଉଡ଼୍ଡ଼ୀୟମାନ ଉତ୍କ୍ରୋଶପକ୍ଷୀ ସଦୃଶ |।

8 ପ୍ରତ୍ୟେକ ପ୍ରାଣୀର ଛଅ ଛଅ ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ | ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି, ଯେ ସର୍ବଶକ୍ତିମାନ୍, ଯେ ଭୂତ, ବର୍ତ୍ତମାନ ଓ ଭବିଷ୍ୟତ୍, ସେହି ପ୍ରଭୁ ଈଶ୍ୱର ପବିତ୍ର, ପବିତ୍ର, ପବିତ୍ର |।

9 ପ୍ରାଣୀମାନେ ଯେତେବେଳେ ସେହି ସିଂହାସନୋପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ ସମ୍ବ୍ରମ ଓ ଧନ୍ୟବାଦ ଦିଅନ୍ତି,

10 ସେତେବେଳେ ଚବିଶ ପ୍ରାଚୀନ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି,

11 ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଛାରେ ସେହିସବୁ ସତ୍ତ୍ୱ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି |।